January 25, 2026

Now Odisha

Now Odisha

କଣ୍ଟେନରରେ ଚାଲାଣ ହେଉଥିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ପୋଲିସ,

Spread the love

ପୋଲିସକୁ ମିଳିଛି ବଡ଼ ସଫଳତା। କଣ୍ଟେନରରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ବେଳେ ସୁବଳୟା ପୋଲିସ ମାଡ଼ି ବସିଛି। ଗଞ୍ଜେଇ ଚୋରା ଚାଲାଣ ବେଳେ ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଦୁରଦୁରା ନର୍ସରୀ ନିକଟରୁ ପୋଲିସ ଏନ୍‌ଏଲ ୦୧ ଏନ ୬୯୧୫ ନମ୍ବର ବିଶିଷ୍ଟ ଏକ କଣ୍ଟେନରକୁ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି।

ଗିରଫ ଦୁଇ ଜଣ ହେଲେ ବିହାର ରାଜ୍ୟ ଭୋଜପୁର ଜିଲା ସାହାପୁର ଥାନା ଅନ୍ତର୍ଗତ ସୁନାଭରସା ଗ୍ରାମର ଶିବଧର ଯାଦବଙ୍କ ପୁଅ ଅନିଲ(୨୮) ଓ ଝାଡ଼ଖଣ୍ଡ ଧାନବାଦ ଥାନା ଝରିଆ ଗ୍ରାମର ଗଜାଧର ମହ୍ଲାରଙ୍କ ପୁଅ ବିନୁ (୩୫)।

ସୂଚନାନୁସାରେ, ସୋନପୁର ଆଡୁ ସୁବଳୟା ଦେଇ ସମ୍ବଲପୁର ଆଡ଼କୁ ଏକ
କଣ୍ଟେନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ନାରାୟଣ ନାଏକ ସୁବଳୟା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ସୁବଳୟା ଥାନାଧିକାରୀ ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ପିଛା କରି ଦୁରଦୁରା ନର୍ସରୀ ନିକଟରେ ଏନ୍‌ଏଲ ୦୧ ଏନ୍‌ ୬ ୯୧୪ ନମ୍ବର ବିଶିଷ୍ଟ ଏକ କଣ୍ଟେନରକୁ ଅଟକାଇ ତନଖିଥିଲେ। ଏହାର ଏକ ସିକ୍ରେଟ୍‌ ଚାମ୍ବରରେ ବ୍ୟାପକ ଗଞ୍ଜେଇ ଥିବା ଦେଖିବାକୁ ପାଇବାରୁ ଏହାକୁ ଜବତ କରିଥିଲେ। ଏହା ସହିତ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଡ୍ରାଇଭର ଓ ଅନ୍ୟଜଣେ ଯୁବକଙ୍କୁ ଧରିଥିଲେ। ଏନେଇ ସୁବଳୟା ଥାନାରେ କେସ୍‌ ନଂ ୧୪/୨୬ ରେ ଏକ ମାମଲା ରୁଜୁ ହୋଇଛି। ମାଜିଷ୍ଟ୍ରେଟ ଦାୟିତ୍ୱରେ ଅତିରିକ୍ତ ଜିଲାପାଳ ଅଜିତ ମିର୍ଦ୍ଧାଙ୍କ ଉପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକାରୀ କେ. କେ . ହରିପ୍ରସାଦ, ଉପଖଣ୍ଡୀୟ ପୋଲିସ ଅଧିକାରୀ ହେମନ୍ତ ରାଓ, ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ପ୍ରମୁଖ ଥାଇ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା। ୬୦୬ ଟି ପ୍ୟାକେଟରେ ଥିବା ପ୍ରାୟ ୫ କୁଇଣ୍ଟାଲ ୯୩ କିଗ୍ରା ଗଞ୍ଜେଇ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି। ଗିରଫ ଉଭୟଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

error: Content is protected !!