September 5, 2026

Now Odisha

Now Odisha

ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍‌

Spread the love

ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତଙ୍କୁ କେ.ନୂଆଗାଁ ଥାନା ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ବମୋକେଇ ଗାଁ ର ଜୟ ପ୍ରଧାନ ଓରଫ ଜୟରାମ(୪୩)। କେସ୍‌ ନଂ ନଂ.୧୨୮/୨୬ରେ ବିଭିନ୍ନ ଦଫା ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଜୁନ୍‌ ୯ ତାରିଖ ଅପରାହ୍ନରେ ସରପଞ୍ଚ ତାଙ୍କ କାର୍‌ (ନଂ. ଓଡି ୩୩ ଏଏଚ -୮୪୮୭)ଯୋଗେ ଘରକୁ ଫେରୁଥିବା ବେଳେ ଗାଁ ଶିବମନ୍ଦିର ନିକଟରେ ଅଭିଯୁକ୍ତ ବାଇକ୍‌ରେ ଆସି କାର୍‌କୁ ଅଟକାଇଥିଲେ। ସରପଞ୍ଚ କାର୍‌ରୁ ଓହ୍ଲାଇବାରୁ ତାଙ୍କୁ ଏବଂ ତାଙ୍କ ମା’ ଭଉଣୀଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ। ପ୍ରତିବାଦ କରିବାରୁ ସେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ସେ ଧରିଥିବା ଖଣ୍ଡାରେ ସରପଞ୍ଚଙ୍କ ମୁଣ୍ଡକୁ ଲକ୍ଷ୍ୟକରି ଚୋଟ ପକାଇଥିଲେ। ସରପଞ୍ଚ ଭୟରେ ଘୁଞ୍ଚି ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସରପଞ୍ଚଙ୍କ ପାଟି ଶୁଣି ଗାଁର କିଛି ବ୍ୟକ୍ତି ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଅଭିଯୁକ୍ତ ତାଙ୍କୁ ଦିନେ ନା ଦିନେ ଜୀବନରେ ମାରିଦେବାକୁ ଧମକ ଦେଇ ସେଠାରୁ ବାଇକ ଯୋଗେ ପଳାଇଥିଲେ। ଘଟଣା ସମ୍ପର୍କରେ ସରପଞ୍ଚ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ବିଶ୍ୱଜିତ ନାୟକ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଘଟଣା ଦିନଠାରୁ ଗିରଫ ଭୟରେ ଅଭିଯୁକ୍ତ ଗାଁରୁ ଫେରାର ଥିଲେ। ଗତ ଅଗଷ୍ଟ ୨୫ ତାରିଖରେ ବ୍ରହ୍ମପୁର ରେଲଓ୍ବେ ପୋଲିସ(ଜିଆରପି)ଥାନା ମାମଲା ନଂ.୧୦୩/୨୬ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିବା ନେଇ ରେଲଓ୍ବେ ଥାନା ପୋଲିସ କେ.ନୂଆଗାଁ ପୋଲିସକୁ ସୂଚନା ଦେଇଥିଲେ। ଅଭିଯୁକ୍ତ ଗାଁକୁ ଫେରିଥିବା ଖବର ପାଇ ତଦନ୍ତକାରୀ ଅଧିକାରୀ ତଥା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌ଆଇଆଇ ଅତିଥି ଚରଣ ନାୟକ ଅଭିଯୁକ୍ତ ଜୟରାମଙ୍କୁ ବୁଧବାର ରାତିରେ ଗିରଫ କରିଥିଲେ ବୋଲି କହିଛନ୍ତି। ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ କେ.ନୂଆଗାଁ ଥାନା, ବ୍ରହ୍ମପୁର ସଦର ଥାନା, ବ୍ରହ୍ମପୁର ଟାଉନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି।

error: Content is protected !!