February 8, 2026

Now Odisha

Now Odisha

ଇନ୍ଦ୍ରାବତୀ ଜଳଭଣ୍ଡାର ଅବବାହିକାରେ ନିର୍ମାଣାଧୀନ ପୋଲର ଅଗ୍ରଗତି ମାଗିଲେ ମୁଖ୍ୟଯନ୍ତ୍ରୀ |

Spread the love

ନବରଙ୍ଗପୁର :-ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ପ୍ରାୟ ୬ହଜାର ପରିବାର ଇନ୍ଦ୍ରାବତୀ ଜଳଭଣ୍ଡାର ଯୋଗୁଁ ବିସ୍ଥାପିତ। ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ଟାଙ୍ଗିନିକୋଟ, ବାଗରା, ଗୁରୁମାଇଗୁଡ଼ା, ତଳଙ୍ଗ, ଝଲାଗୁଡା ଆଦି ୫ଖଣ୍ଡଗାଁ ଜଳଭଣ୍ଡାର ଅପରପାର୍ଶ୍ଵରେ ରହିଯାଇଥିଲା। ଜୀବନ ଜୀବିକା ପାଇଁ ପ୍ରତିଦିନ ଜଳଭଣ୍ଡାରର ପାଣିରେ ବିପଦ ସଂକୁଳସ୍ଥିତିରେ ଖାତିଗୁଡ଼ାକୁ ଦେଶୀ ଡଙ୍ଗାରେ ନିଜ ଜୀବନକୁ ବାଜିରେ ଲଗାଇ ଜଳଯାତ୍ରା କରୁଛନ୍ତି।କେନ୍ଦୁଗୁଡା ଘାଟରେ ପୋଲ ନିର୍ମାଣ କରିବାକୁ ତତ୍କାଳୀନ ସରକାର ଯୋଜନା କରି ୧୫୦କୋଟି ଟଙ୍କା ମଞ୍ଜୁର କରିଥିଲେ। ତାହାକୁ ନେଇ ଏକ ରିପୋର୍ଟ ସମ୍ବାଦରେ ପ୍ରକାଶ ପାଇଥିଲା। ଏହାକୁ ନେଇ ମାନବାଧିକାର କର୍ମୀ ଅନୁପ ପାତ୍ର ମୁଖ୍ୟମନ୍ତ୍ରୀ, ରାଜ୍ୟ ଜଳସେଚନ ବିଭାଗର ସଚିବ ଓ ମୁଖ୍ୟଯନ୍ତ୍ରୀ ଆଦିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାକୁନେଇ ରାଜ୍ୟ ଜଳସେଚନ ବିଭାଗର ସଚିବ ଓ ମୁଖ୍ୟଯନ୍ତ୍ରୀ ଇଂ.ସାଗର ମହାନ୍ତି, ଇନ୍ଦ୍ରାବତୀ କୋଲାବ ବେସିନର ମୁଖ୍ୟଯନ୍ତ୍ରୀ ଏବଂ ବେସିନ୍ ପ୍ରବନ୍ଧକଙ୍କୁ ଚିଠି କରିଛନ୍ତି। ଜଳଭଣ୍ଡାର ଅପରପାର୍ଶ୍ବରେ ରହିଯାଇଥିବା ଗାଁର ଲୋକେ କିଭଳି ଅବସ୍ଥାରେ ରହିଛନ୍ତି, କଣ କଣ ସରକାରୀ ସୁବିଧା, ସୁଯୋଗ ପାଉଛନ୍ତି। ପ୍ରସ୍ତାବିତ କେନ୍ଦୁଗୁଡା ଘାଟପୋଲର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

୧୯୯୦ ମସିହାରେ ଇନ୍ଦ୍ରାବତୀ ଡ୍ୟାମ୍ ନିର୍ମାଣ ହେବାପରେ ବିସ୍ତୀର୍ଣ୍ଣ ଇନ୍ଦ୍ରାବତୀ ଜଳଭଣ୍ଡାର ଘେରରେ ରହିଗଲେ ଟାଙ୍ଗିନିକୋଟ, ବାଗରା, ଗୁରୁମାଇଗୁଡ଼ା, ତଳଙ୍ଗ, ଝଲାଗୁଡା ଆଦି ୫ଖଣ୍ଡ ଗାଁର ଲୋକେ। ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଜଳବନ୍ଦି ଅଞ୍ଚଳରେ ପଡ଼ିନି ବିକାଶର ଛାଇ। ଆଜି ବି ଲୋକେ ପାନୀୟ ଜଳ, ବିଜୁଳି, ସଡ଼କ, ସ୍ବସ୍ଥ୍ୟ ସେବା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ବିତାଉଛନ୍ତି। ପାଞ୍ଚ ବର୍ଷ ପୂର୍ବେ ଦିଆଯାଇଥିବା ସୋଲାର ଲାଇଟ୍ ଗୁଡ଼ିକ ଅଚଳ। ଗାଁରେ ମିଳୁନି ଚାଉଳ। ଆଶା, ଅଙ୍ଗନୱାଡୀ କର୍ମୀ ଓ ଶିକ୍ଷକ ଆଦି ଡଙ୍ଗାରେ ଯିବା ଆସିବା କରୁଛନ୍ତି। ତଳଙ୍ଗ ଘାଟରୁ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଦେଶୀ ଡଙ୍ଗାରେ ପ୍ରାୟ ୮ କିଲୋମିଟର ଜଳଯାତ୍ରା କରି ଯାତାୟାତ କରୁଛନ୍ତି। ବିଭିନ୍ନ କାମ ପାଇଁ ମଞ୍ଚାଗାଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଛନ୍ତି।ସେହିପରି ଦୈନନ୍ଦିନ ଚଳଣି ପାଇଁ ଲମତାଗୁଡ଼ା ହାଟ ଏବଂ ସ୍ବାସ୍ଥ୍ୟସେବା ପାଇଁ ତେନ୍ତୁଳିଖୁଣ୍ଟି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଅତୀତରେ ଡ଼ଙ୍ଗା ବୁଡ଼ି ଅନେକ ଧନଜୀବନ ନଷ୍ଟ ହେବାର ନଜିର ରହିଛି। ୧୯୯୮ରୁ ୨୦୨୬ ମସିହା ମଧ୍ୟର ୨୨୦ ଜଣଙ୍କ ଜଳଭଣ୍ଡାର ମଧ୍ୟରେ ସଲିଳ ସମାଧି ଘଟିଥିବା ତଥ୍ୟ ରହିଛି। କୋଇଲା ଏବଂ ଜଳଭଣ୍ଡାରରୁ ମାଛ ଧରି ଡ଼ଙ୍ଗା ପାର ହୋଇ ଇନ୍ଦ୍ରାବତୀରେ ବିକ୍ରୟ କରୁଛନ୍ତି। ଏହି ଟଙ୍କାରେ ଘର ପାଇଁ ଆବଶ୍ୟକ ସାମଗ୍ରୀ କିଣି ପୁଣି ଦେଶୀ ଡ଼ଙ୍ଗାରେ ଗାଁକୁ ଫେରୁଛନ୍ତି। ଏପରିକି ରୋଗୀ ଓ ଗର୍ଭବତୀଙ୍କୁ ମଧ୍ୟ ଡ଼ଙ୍ଗାରେ ଜଳଭଣ୍ଡାର ପାର କରାଇ ତେନ୍ତୁଳିଖୁଣ୍ଟି, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଉଛି।୨୦୧୬ ମସିହାରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ କର୍ତ୍ତୃପକ୍ଷ ୩୫ ଲକ୍ଷ ଟଙ୍କା ବ୍ୟୟରେ ୨୫ ଆସନ ବିଶିଷ୍ଟ ବୋଟ୍ ଯୋଗାଇଦେଇଥିଲେ। ତେବେ ଏହି ବୋଟ କେବଳ ସରକାରୀ ଅଧିକାରୀମାନେ ଯିବା ସମୟରେ ହିଁ ଯିବା ଆସିବା କରୁଛି। ବଳକା ସମୟରେ ସେଭଳି ପଡି ରହୁଛି। ଜଳ ବିଦ୍ୟୁତ୍ ନିଗମ କର୍ତ୍ତୃପକ୍ଷ ୧୯୯୨ ମସିହାରେ କରିଥିବା ଚୁକ୍ତି ଅନୁଯାୟୀ ଲାଭାଂଶର ୫ ପ୍ରତିଶତ ଅର୍ଥ ପାରିପାର୍ଶ୍ଵକ ବିକାଶରେ ବିନିଯୋଗ କରିବେ। କିନ୍ତୁ ପରିତାପର ବିଷୟ ଏବେ ବି ଜଳଭଣ୍ଡର ପାର୍ଶ୍ଵବର୍ତ୍ତୀ ଅନେକ ଗ୍ରାମ ଅବହେଳିତ।

error: Content is protected !!