କତର ମାମଲାରେ ମୋଦୀଙ୍କ ହସ୍ତକ୍ଷେପ, ମୃତ୍ୟୁଦଣ୍ଡ ପାଇଥିବା ପୂର୍ବତନ ନୌସେନା ଅଧିକାରୀଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ


କତରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଭାରତୀୟ ରାଷ୍ଟ୍ରଦୂତ ଓ ଦୂତାବାସ ଅଧିକାରୀମାନେ ଭେଟିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ରାଷ୍ଟ୍ରଦୂତ ସମସ୍ତ ୮ ଜଣଙ୍କୁ ଭେଟିଛନ୍ତି। ଆବେଦନ ପରେ ଏହି ମାମଲାରେ କୋର୍ଟରେ ଏପର୍ଯ୍ୟନ୍ତ ଦୁଇଟି ଶୁଣାଣି ହୋଇଛି।ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, କତାରରେ ୮ ଜଣ ପୂର୍ବତନ ନୌସେନା କର୍ମଚାରୀଙ୍କ ଫାଶୀ ଦଣ୍ଡାଦେଶ ମାମଲାରେ ଆମର ଆବେଦନର ଦୁଇଥର ଶୁଣାଣି ହୋଇଛି। ଆମେ ଏହି ମାମଲାର ଅନୁଧ୍ୟାନ କରୁଛୁ ଏବଂ ସମସ୍ତ ଆଇନଗତ ସହାୟତା ପ୍ରଦାନ କରୁଛୁ । ଗତ ରବିବାର (ଡିସେମ୍ବର ୩) ଜେଲରେ ଥିବା ୮ ଜଣଙ୍କୁ ଭେଟିବା ପାଇଁ ଆମ ରାଷ୍ଟ୍ରଦୂତଙ୍କୁ କନ୍ସୁଲାର ଆକସେସ୍ ମିଳିଥିଲା। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ, କିନ୍ତୁ ଆମେ ଯାହା କରିପାରିବା ତାହା କରିବୁ।ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁବାଇରେ ଅନୁଷ୍ଠିତ ସିଓପି-୨୮ ଅବସରରେ କତାରର ଅମୀର ଶେଖ୍ ତମିମ୍ ବିନ୍ ହମାଦ ଅଲ୍-ଥାନିଙ୍କୁ ଭେଟିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିନ୍ ହମାଦ ଅଲ୍ ଥାନିଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ କତାରରେ ରହୁଥିବା ଭାରତୀୟ ସମୁଦାୟର କଲ୍ୟାଣ ବିଷୟରେ ଆଲୋଚନା ହୋଇଥିଲା।ତେବେ ପ୍ରଧାନମନ୍ତ୍ରୀ ମୋଦୀ ଓ ହମାଦ ଅଲ ଥାନିଙ୍କ ମଧ୍ୟରେ କ’ଣ ଘଟିଥିଲା ତାହା ବାଗଚୀ କହି ନାହାନ୍ତି। କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଥାନିଙ୍କ ସମ୍ମୁଖରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ନୌସେନାଙ୍କ ମାମଲା ଉଠାଇଥିଲେ।


error: Content is protected !!