୨୧ରେ ଅନସୂୟା ନାଥଙ୍କ ସଙ୍ଗୀତ ସନ୍ଧ୍ୟା ‘ଧନ ମାଳିରେ’


ଭୁବନେଶ୍ୱର, ୧୬।୧୨: ଝିଅ ଜନମ ପର ଘରକୁ, ଧନ ମାଳିରେ, ଢ଼ିଙ୍କି ଦେ ଦୁଲୁକେଇ ଲୋ, ଆଲୋ ରାଇ ରାଇ ରାଇ ଭଳି ଲୋକପ୍ରିୟ ଗୀତର ଗାୟିକା, ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ଡକ୍ଟର ଅନସୂୟା ନାଥଙ୍କୁ ନେଇ ଏକ ସ୍ୱତନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ ‘ଅନସୂୟା ନାଥ ମ୍ୟୁଜିକାଲ ନାଇଟ’ ଚଳିତ ଡିସେମ୍ବର ୨୧ତାରିଖ ସନ୍ଧ୍ୟାରେ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି। ଅନସୂୟା ନାଥ ଫାଉଣ୍ଡେସନ୍ ଓ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ‘ୟୁଥ’ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମର ନାମ ଅନସୂୟାଙ୍କ ସବୁଠାରୁ ଲୋକପ୍ରିୟ ଭଜନକୁ ନେଇ ‘ଧନ ମାଳିରେ’ ରଖାଯାଇଛି। ସେଦିନ ସନ୍ଧ୍ୟା ୬ଟା ବେଳେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅନସୂୟା ନାଥ ନିଜେ ପୂର୍ବରୁ ଗାଇଥିବା ଭଜନ, ଆଧୁନିକ, ଲୋକଗୀତ ଇତ୍ୟାଦି ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ନିଶୁଳ୍କ ଆୟୋଜନ କରାଯାଉଥିବାରୁ ସଙ୍ଗୀତ ପ୍ରେମୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସଙ୍ଗୀତକୁ ଉପଭୋଗ କରିବାକୁ ‘ୟୁଥ’ ପକ୍ଷରୁ ଚିତ୍ତରଞ୍ଜନ ମହାନ୍ତି ଓ ଅନସୂୟା ନାଥ ଫାଉଣ୍ଡେସନ ପକ୍ଷରୁ ପ୍ରଫେସର ଅଭୟ ବେହେରା ଅନୁରୋଧ କରିଛନ୍ତି।


error: Content is protected !!