ଏକ ଦୁଃଖଦ ଘଟଣା କ୍ରମେ କେରଳର ମାଲ୍ଲାପୁରମ ଅଞ୍ଚଳରେ କୂଅରେ ପଡ଼ିଯାଇଥିବା ଏକ ଛେଳିକୁ ବଞ୍ଚାଇବାକୁ ଯାଇ ଦୁଇ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶ୍ରମିକମାନେ ଓଡ଼ିଶାର ବାସିନ୍ଦା ଥିବା ବେଳେ ଦୀର୍ଘ ଦିନ ଧରି କେରଳରେ କାମ କରି ଆସୁଥିଲେ । ମୃତକ ଦ୍ୱୟ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଖାରିଆଗୁଡା ଗାଁର ନରସିଂହ ପ୍ରଧାନ ଓ ସନ୍ତୋଷ ବାଡତ୍ୟା ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ, ଉଭୟ ସାଙ୍ଗ ଗତ ୩ ବର୍ଷ ଧରି କେରଳର ଏକ କଂକ୍ରିଟ କମ୍ପାନୀରେ କାମ କରିଆସୁଥିଲେ । ସୋମବାର ସନ୍ଧ୍ୟା ପ୍ରାୟ ୬ଟାରେ କମ୍ପାନୀ ପାଖରେ ଥିବା ଏକ ଘରର କୂଅରେ ପ୍ରଥମେ ଛେଳିଟି ପଡ଼ିଯାଇଥିଲା । ଏଣୁ ସେଠାରେ ଉପସ୍ଥିତ ଥିବା ସନ୍ତୋଷ ପ୍ରଥମେ ଉକ୍ତ ଛେଳିକୁ ଉଦ୍ଧାର କରିବାକୁ କୂଅ ଭିତରକୁ ପଶିଥିଲେ ।
ହେଲେ ସେଠାରେ ଅକ୍ସିଜେନ ଅଭାବରୁ ତାଙ୍କ ଶ୍ୱାସରୁଦ୍ଧ ହୋଇଯାଇ ଥିବାରୁ ସେ କୂଅ ମଧ୍ୟରେ ଅସୁସ୍ଥ ହୋଇପଡ଼ିଥିଲେ । ଏପରି ପରିସ୍ଥିତିରେ ତାଙ୍କୁ ବଞ୍ଚାଇବାକୁ ତାଙ୍କ ସାଙ୍ଗ ନରସିଂହ ଆଉ ବିଳମ୍ୱ ନକରି କୂଅକୁ ଓହ୍ଲାଇଥିଲେ । ହେଲେ ଦୀର୍ଘ ସମୟ ଯାଏ କୂଅ ଭିତରୁ କୌଣସି ଉତ୍ତର ନଆସିବାରୁ ସ୍ଥାନୀୟ ଲୋକ ସଙ୍ଗେସଙ୍ଗେ ଦମକଳ କେନ୍ଦ୍ର ସହ ଯୋଗାଯୋଗ କରିଥିଲେ ।ସ୍ଥାନୀୟ ଅଗ୍ନିଶମ ବିଭାଗର ଅଧିକାରୀ ମାନେ ଏ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟ ସାଙ୍ଗଙ୍କୁ କୂଅରୁ ଉଦ୍ଧାର କରିଥିଲେ । କିନ୍ତୁ ଅପ୍ରତ୍ୟାଶିତ ଘଟଣାକ୍ରମେ ଦୁହେଁ କୂଅ ଭିତରେ ହିଁ ମୃତ୍ୟୁବରଣ କରିଥିବା ଜଣାପଡିଥିଲା ।
ମିଳିଥିବା ଖବର ମୁତାବକ, କୂଅରେ ଲାଗିଥିବା ଏକ ପମ୍ପରୁ ବିଦ୍ୟୁତ ଆଘାତ ଲାଗି ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଉଭୟଙ୍କ ମୃତଦେହକୁ କୋଣ୍ଡୋଟ୍ଟି ପ୍ରାଇଭେଟ୍ ହସ୍ପିଟାଲ୍ରୁ କୋଝିକୋଡ୍ ମେଡିକାଲ୍ କଲେଜ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ଏହା ଯେ, ମୃତ ଶ୍ରମିକଦ୍ୱୟ ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ଓଡ଼ିଶା ଫେରିବାକୁ ଟ୍ରେନ୍ ଟିକେଟ୍ ବୁକ୍ କରି ରଖିଥିଲେ ବୋଲି ଜଣାପଡିଛି ।ଏହି ଦୁର୍ଘଟଣା ଖବର ପାଇବା ପରେ ପରିବାର ଲୋକଙ୍କ ଉପରେ ଦୁଃଖର ବାଦଲ ଭାଙ୍ଗିପଡିଛି । ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଖାରିଆଗୁଡା ଗାଁରେ ଶୋକାର ଛାୟା ଖେଳିଯାଇଛି ।

More Stories
ବାଲିଅନ୍ତା ମବ୍ ଲିଞ୍ଚିଙ୍ଗ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ
ଗୋଚାଲାଣକୁ ରୋକିଲେ ଶ୍ରୀ ରାମ ଗୋସେବା ସମିତିର ସଦସ୍ୟ – ପହଞ୍ଚିଲେ ବିଧାୟକ,୭୮୦ ଗୋରୁ ଉଦ୍ଧାର ।
ପରଲୋକରେ ଅବସର ପ୍ରାପ୍ତ ସୈନିକ |