ଭୁବେଶ୍ୱର, ୦୯/୦୪: ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଦ୍ୱାରା ଆଜି ୮ମ ପୋଷଣ ପକ୍ଷ-୨୦୨୬ ର ଭବ୍ୟ ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡଃ. ମୃଣାଳିନୀ ଦର୍ସ୍ଵାଲ ଉପସ୍ଥିତ ରହି ‘ସୁପୋଷିତ ଓଡ଼ିଶା’ ଗଠନ ଦିଗରେ ରାଜ୍ୟର ସଫଳ ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥିଲେ।
ଚଳିତ ବର୍ଷ ଅପ୍ରେଲ ୯ ରୁ ୨୩ ରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି ପୋଷଣ ପକ୍ଷରେ ଶିଶୁର ଜୀବନର ପ୍ରଥମ ୬ ବର୍ଷରେ ମସ୍ତିଷ୍କ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନ ମୁଖ୍ୟତଃ ପାଞ୍ଚଟି ପ୍ରମୁଖ ଦିଗ ଉପରେ ପର୍ଯ୍ୟବେସିତ, ଯଥା: ମା’ ଓ ଶିଶୁ ପାଇଁ ଉତ୍ତମ ପୋଷଣ, ୦-୩ ବର୍ଷର ଶିଶୁଙ୍କ ପାଇଁ ପ୍ରାରମ୍ଭିକ ଉଦ୍ଦୀପନା, ୩-୬ ବର୍ଷର ଶିଶୁଙ୍କ ପାଇଁ ଖେଳ ଆଧାରିତ ଶିକ୍ଷା, ମୋବାଇଲ ଓ ଲ୍ୟାପଟପ୍ ଭଳି ସ୍କ୍ରିନ୍ ସମୟ କମାଇବାରେ ଅଭିଭାବକଙ୍କ ଭୂମିକା ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ସଶକ୍ତିକରଣ।ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଯେଉଁଠାରେ ବିଭିନ୍ନ ସହଯୋଗୀ ବିଭାଗର ଅଧିକାରୀମାନେ ସାମିଲ ହେବା ସହ ସମଗ୍ର ଓଡ଼ିଶାର ଅଙ୍ଗନବାଡ଼ି କର୍ମୀ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।
ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ଆଗାମୀ ୧୫ ଦିନ ଧରି ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରି ଶିଶୁର ସର୍ବାଙ୍ଗୀନ ବିକାଶକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ହୋଇଛନ୍ତି।

More Stories
ଧୁରନ୍ଧର ୨ ଦେଖିବା ପାଇଁ ଅଲ୍ଲୁ ଅର୍ଜୁନଙ୍କ ଥିଏଟର ପହଞ୍ଚିଲେ ପ୍ରଭାସ, କଲେ ପ୍ରଶଂସା |
ମାଓବାଦୀ ପ୍ରଭାବିତ ଜିଲ୍ଲାଗୁଡିକରେ ‘ଗ୍ରାମୋଦୟ’ ଯୋଜନାର ସଫଳ ରୂପାୟନ ପାଇଁ ନିର୍ଦ୍ଦେଶ |
ଐତିହାସିକ ପଦକ୍ଷେପ: ୫୦୦୦ ମିଶନ ଶକ୍ତି ମହିଳାଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା