April 9, 2026

Now Odisha

Now Odisha

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

Spread the love

ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର ତୀବ୍ର ହୋଇଛି। ବିଗତ ଦୁଇ ବର୍ଷ ଧରି ବ୍ଲକ ଓ ଏନ୍‌ଏସି ପ୍ରଶାସନ ସେମାନଙ୍କୁ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ କରି ଆଜି ଚିକିଟି ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଏନ୍‌ଏସି ଅଧ୍ୟକ୍ଷାଙ୍କ ସମେତ ବହୁ ସଂଖ୍ୟକ ସରପଞ୍ଚ ଓ କାଉନସିଲର ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଜନପ୍ରତିନିଧିମାନଙ୍କ ଅଭିଯୋଗ ଅନୁଯାୟୀ, ବ୍ଲକର ବିଡିଓଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ପଞ୍ଚାୟତର ଜନସାଧାରଣଙ୍କ ସମସ୍ୟା ପ୍ରତି କର୍ଣ୍ଣପାତ କରୁନାହାନ୍ତି। ଏପରିକି ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନରେ ସେମାନଙ୍କୁ ଅନ୍ଧାରରେ ରଖାଯାଉଛି। ସେମାନଙ୍କର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ଭତ୍ତା ବଣ୍ଟନ, ରାସନ କାର୍ଡ ପ୍ରଦାନ ଏବଂ ଆବାସ ଗୃହ ହିତାଧିକାରୀ ଚୟନ ପାଇଁ ଗ୍ରାମସଭା ମାଧ୍ୟମରେ ପ୍ରକ୍ରିୟା କରାଯାଉ। ଦୀର୍ଘ ଦିନରୁ ସ୍ଥଗିତ ଥିବା ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତୁରନ୍ତ ଆରମ୍ଭ ହେଉ ମନରେଗା କାର୍ଯ୍ୟରେ ଦଳୀୟ ମନୋଭାବ ବନ୍ଦ କରାଯାଇ ସାଧାରଣ ଶ୍ରମିକଙ୍କୁ ନିୟୋଜିତ କରାଯାଉ। ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଦିଆଯାଇଥିବା ଭୁଲ କାର୍ଯ୍ୟ ଖସଡ଼ାକୁ ବାତିଲ କରି ପଞ୍ଚାୟତ ସମିତିର ସୁପାରିଶକୁ ମଞ୍ଜୁର କରାଯାଉ ଆଦି ରହିଛି।

ସେହିଭଳି ଚିକିଟି ଏନ୍‌ଏସି ପ୍ରଶାସନ ବିରୋଧରେ ମଧ୍ୟ ଅନୁରୂପ ଅଭିଯୋଗ ଆସିଛି। ଏନ୍‌ଏସି ଅଧ୍ୟକ୍ଷା ଦିପା କୁମାରୀ ସାହୁ ଏବଂ ଉପାଧ୍ୟକ୍ଷ ହରପ୍ରସାଦ ଚୌଧୂରୀଙ୍କ ସମେତ କାଉନସିଲରମାନେ ଅଭିଯୋଗ କରିଛନ୍ତି ଯେ, ସରକାରୀ ନିୟମ ଅନୁଯାୟୀ କାଉନସିଲ ବୈଠକ ଆହୂତ ହେଉନାହିଁ। ସହରର ଟ୍ରାଫିକ୍ ସମସ୍ୟା ଦୂର ପାଇଁ ପାର୍କିଂ ଜୋନ୍, ବସଷ୍ଟାଣ୍ଡ ନିକଟରେ ଆହାର କେନ୍ଦ୍ର ଏବଂ ନାଳ ନର୍ଦ୍ଦମା ସଫେଇ ଭଳି ଜନହିତକର କାର୍ଯ୍ୟ ପ୍ରତି ପ୍ରଶାସନ ଅବହେଳା କରୁଛି।

ଏହି ଦାବିପତ୍ର ପ୍ରଦାନ ସମୟରେ ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ, ଉପାଧ୍ୟକ୍ଷା ବି.ରେଣୁକାମ୍ମା, ସରପଞ୍ଚ ସଂଘ ସଭାପତି ଏ. ରାଙ୍ଗା ରାଓ ଏବଂ ବହୁ ସରପଞ୍ଚ, ସମିତି ସଭ୍ୟ ଓ କାଉନସିଲର ଉପସ୍ଥିତ ଥିଲେ। ଜିଲାପାଳ ଏହି ସମସ୍ୟାର ସମାଧାନ ପାଇଁ ଉଚିତ ପଦକ୍ଷେପ ନେବେ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି।

error: Content is protected !!