ଭୁବନେଶ୍ୱର, ୦୯/୦୪: ଓଡ଼ିଶାରେ ଚଳିତ ବର୍ଷ ଖରିଫ୍ ଧାନ କ୍ରୟ ପ୍ରକ୍ରିୟାରେ ରାଜ୍ୟ ସରକାର ଐତିହାସିକ ସଫଳତା ଅର୍ଜନ କରିଛନ୍ତି। ମାନ୍ୟବର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ଚାଷୀଙ୍କ ହିତରେ ନିଆଯାଇଥିବା ପଦକ୍ଷେପ ଫଳରେ ଧାନ କ୍ରୟରେ ନୂତନ ରେକର୍ଡ ସୃଷ୍ଟି ହୋଇଛି।
୨୦୨୫ ମସିହା ନଭେମ୍ବର ୧୫ ତାରିଖରୁ ୨୦୨୬ ଏପ୍ରିଲ ୮ ପର୍ଯ୍ୟନ୍ତ ପ୍ରାୟ ୫ ମାସ ଧରି ଚାଲିଥିବା ଏହି ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟର ୪,୧୧୯ଟି ଧାନମଣ୍ଡୀ ମାଧ୍ୟମରେ କ୍ରୟ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ଅଭିଯାନରେ ୧୮ ଲକ୍ଷ ୮୫ ହଜାରରୁ ଅଧିକ ଚାଷୀ ଅଂଶଗ୍ରହଣ କରିଥିବା ବେଳେ, ସରକାର ମୋଟ ୭୭ ଲକ୍ଷ ୭୯ ହଜାର ମେଟ୍ରିକ ଟନ୍ ଧାନ କ୍ରୟ କରିଛନ୍ତି।
ଧାନ ବିକ୍ରୟ ପାଇଁ ଚାଷୀଙ୍କୁ ସରକାର ପକ୍ଷରୁ ୨୪,୧୧୪ କୋଟି ଟଙ୍କା ସିଧାସଳଖ ତାଙ୍କର ବ୍ୟାଙ୍କ ଖାତାକୁ ଜମା କରାଯାଇଛି, ଯାହା ଏକ ନୂତନ ରେକର୍ଡ ଭାବେ ଗଣ୍ୟ ହେଉଛି।
ଏହା ସହିତ, ସରକାରୀ ତଥ୍ୟ ଅନୁଯାୟୀ ଖରିଫ୍ ୨୦୨୫-୨୬ ଋତୁରେ ମୋଟ ୭୮ ଲକ୍ଷରୁ ଅଧିକ ମେଟ୍ରିକ ଟନ୍ ଧାନ କ୍ରୟ କରାଯାଇଥିବା ବେଳେ, ଗତ ବର୍ଷ ଏହା ପ୍ରାୟ ୭୩ ଲକ୍ଷ ମେଟ୍ରିକ ଟନ୍ ଥିଲା। ଏହା ରାଜ୍ୟର କୃଷି କ୍ଷେତ୍ରରେ ଲକ୍ଷଣୀୟ ବୃଦ୍ଧିକୁ ପ୍ରକାଶ କରୁଛି।ଚାଷୀଙ୍କ ସୁବିଧା ପାଇଁ ଏଥର ୪,୮୬୯ଟି ଧାନ ମଣ୍ଡି ଖୋଲାଯାଇଥିଲା ଏବଂ ପ୍ରତି କ୍ୱିଣ୍ଟାଲ୍ ୩,୧୦୦ ଟଙ୍କା ହାରରେ ଧାନ କ୍ରୟ କରାଯାଇଛି, ଯାହାରେ କେନ୍ଦ୍ରର ନ୍ୟୁନତମ ସହାୟକ ମୂଲ୍ୟ ସହିତ ରାଜ୍ୟର ଅତିରିକ୍ତ ସହାୟତା ଅନ୍ତର୍ଭୁକ୍ତ ଅଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଚାଷୀଙ୍କ ଆୟ ବୃଦ୍ଧି ଓ କୃଷି ଭିତ୍ତିଭୂମି ସୁଦୃଢ କରିବା ପାଇଁ ନିଆଯାଇଥିବା ବିଭିନ୍ନ କୃଷକ କଲ୍ୟାଣକାରୀ ପଦକ୍ଷେପ ଫଳରେ ଚାଷୀମାନେ ପ୍ରତ୍ୟକ୍ଷ ଭାବରେ ଲାଭବାନ ହେଉଛନ୍ତି। ଏହା ଫଳରେ ଅଧିକ ସଂଖ୍ୟାରେ ଚାଷୀ ଧାନ ଚାଷ ପାଇଁ ଆଗ୍ରହୀ ହୋଇଥିବା ସହ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।
ଏହି ପରିପ୍ରେକ୍ଷୀରେ, ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ମହେଶ୍ୱର ସାହୁ ଏକ ପ୍ରେସ ବିଜ୍ଞପ୍ତିରେ ମାନ୍ୟବର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।
ସେ କହିଛନ୍ତି ଯେ, ମୋହନ ମାଝି ସରକାର ଆସିବା ପରେ ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ଲକ୍ଷ୍ୟରେ ବହୁ କୃଷକ କଲ୍ୟାଣକାରୀ ଯୋଜନା ଓ କୃଷି ଭିତ୍ତିଭୂମି ଉନ୍ନତି ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଚାଷୀମାନେ ତାହାର ସକାରାତ୍ମକ ପରିଣାମ ପାଉଛନ୍ତି।
ସେ ଆହୁରି ମଧ୍ୟ ଧାନ କ୍ରୟ ପ୍ରକ୍ରିୟାରେ ନେଇଥିବା ସଂସ୍କାରମୂଳକ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିବା ସହ ଆଗାମୀ ଦିନରେ ଅଧିକ ମଣ୍ଡି ନିର୍ମାଣ ଓ କ୍ରୟ କେନ୍ଦ୍ର ବୃଦ୍ଧି ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ସମସ୍ତଙ୍କ ସହଯୋଗ, ସହଭାଗିତା ଅକ୍ଲାନ୍ତ ପରିଶ୍ରମ ଫଳରେ ଓଡ଼ିଶାରେ ଏହି ସଫଳ ଧାନ କ୍ରୟ ପ୍ରକ୍ରିୟା କୃଷି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିଥିବା ସହ ଚାଷୀଙ୍କ ଆର୍ଥିକ ସ୍ୱାବଲମ୍ବନକୁ ଆହୁରି ମଜବୁତ କରିଛି। ସରକାର ଆଗାମୀ ଦିନରେ ମଧ୍ୟ ଏହି ଗତିକୁ ଜାରି ରଖିବାକୁ ପ୍ରତିବଦ୍ଧ ବୋଲି ଜଣାପଡ଼ିଛି।

More Stories
୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟିଂ ଜାରି
ହର୍ମୁଜ ନିକଟ ସମୁଦ୍ରରେ ଖଞ୍ଜାଯାଇଛି ‘ସି-ମାଇନ୍ସ
ପ୍ରତିଦିନ କେବଳ ୧୫ଟି ଜାହାଜକୁ ଅନୁମତି: ହର୍ମୁଜ୍ ପ୍ରଣାଳୀ ଉପରେ କଠୋର ସର୍ତ୍ତ ରଖିଲା ଇରାନ୍