ବଦଳିଛି ସରକାର। ବଦଳିନି ଜଙ୍ଗଲଘେରୀ ଶବରପଡ଼ାର ଚିତ୍ର। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତ ସ୍ଥାନୀୟ ଜଙ୍ଗଲଘେରି ଗାଁରେ। ବୁଧବାର ଅପରାହ୍ନରେ ଛବି ପାତ୍ର (୫୫) ନାମକ ଜଣେ ଆଦିବାସୀ ମହିଳା ନିକଟ ରାମଚଣ୍ଡୀ ଗଳିଆ ନଦୀରେ ବାସନକୁସନ ଧୋଉଥିବା ବେଳେ ବଣବୁଦା ଉହାଡ଼ରେ ଛକି ରହିଥିଲା ଏକ ବଉଳା କୁମ୍ଭୀର।
ଏହି ସମୟରେ କୁମ୍ଭୀରଟି ଛବିଙ୍କୁ ଟାଣି ନେଇଥିଲା। ପରେ ଛବି ଓ କୁମ୍ଭୀର ବହୁ ସମୟ ଧରି ଟଣାଓଟରା ଲାଗିଥିଲା। ଚିତ୍କାର ଶୁଣି ନିକଟ ଗାଁ ଲୋକମାନେ ଉଦ୍ଧାର କରିଥିଲେ। ପରେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ସେବା ଗାଡ଼ି ଆସି ପାରି ନ ଥିଲା। ପରେ ଗ୍ରାମର ଲୋକମାନେ କିଛି ଉପାୟ ନ ପାଇ ଏକ କିମି ଦୂର ବାଉଁଶ ଦୋଳା ଭାରରେ ବୋହି ମୁଖ୍ୟ ରାସ୍ତାକୁ ନେଇଥିଲେ। ମୁଖ୍ୟ ରାସ୍ତାରୁ ଜମ୍ବୁ ସାମୁଦ୍ରିକ ଥାନା ଗାଡ଼ିରେ ଅଧିକାରୀ ଅନିତା ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ରୋଗୀଙ୍କୁ ଉଦ୍ଧାର କରି ମହାକାଳପଡ଼ା ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ପରେ ଅଧିକ ଚିକିତ୍ସା ନିମନ୍ତେ କେନ୍ଦ୍ରାପଡ଼ା ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତା ମହିଳାଙ୍କ ପେଟ, ହାତ, ଜଙ୍ଘରେ ଗଭୀର କ୍ଷେତ ହୋଇଥିବା ଜଣାପଡ଼ିଛି।ଅପରପକ୍ଷରେ ନଦୀନାଳରେ ମାଛ କଙ୍କଡା ବଂଶ ଲୋପ ପାଇବାକୁ ବସିଲାଣି। ସେଥିପାଇଁ ଖାଦ୍ୟ ଅଭାବ ଯୋଗୁ ଅନେକ ସମୟରେ ମଣିଷକୁ କୁମ୍ଭୀର ଆକ୍ରମଣରେ ଶିକାର ହେଉଥିବା ନଜିର ରହିଛି ବୋଲି କୁହାଯାଇଛି। ସେହିପରି କିଛି ମାସ ପୂର୍ବରୁ ବେଣା କନ୍ଧା ଗ୍ରାମ ଓ କାଉସପାଳ ଗ୍ରାମର ଗୋବରୀ ନଦୀରେ ମାଛ ଧରିବା ପାଇଁ ଯାଇ ଜୀବନ ଯାଇଥିଲା କୁମ୍ଭୀର ମୁହଁରେ। ନଦୀକୂଳରେ ବସବାସ କରୁଥିବା ଲୋକମାନଙ୍କୁ ନଦୀ ପ୍ରବେଶ ନ କରିବା ପାଇଁ ବନବିଭାଗ ପକ୍ଷରୁ ସଚେତନ ରହିବାକୁ କୁହାଯାଉଛି ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…