May 14, 2026

Now Odisha

Now Odisha

ମୁଖ୍ୟମନ୍ତ୍ରୀଙ୍କ ଆଇନ ଶୃଙ୍ଖଳା ସମୀକ୍ଷା: ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ

Spread the love

ଭୁବନେଶ୍ୱର, ୧୪/୦୫: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ରାଜ୍ୟ ପ୍ରଶାସନ, ପୋଲିସ ଉଚ୍ଚ ପଦାଧିକାରୀ ଏବଂ ଜିଲ୍ଲାପାଳ ଓ ଏସ୍.ପି ମାନଙ୍କ ସହିତ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସକୁ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ପାଇଁ ପରାମର୍ଶ ଦେଇ କହିଛନ୍ତି ଯେ, ରାଜ୍ୟ ପୋଲିସ ଏଭଳି ପଦକ୍ଷେପ ନେଉ ଯାହାଦ୍ୱାରା ପୋଲିସ ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହେବା ସହିତ ଅପରାଧୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିପାରିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲ୍ଲା ସ୍ତରରେ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନେ ମିଳିତ ଭାବେ ଗୋଟିଏ ଟିମ୍ ଭାବେ କାମ କରିବା ଆବଶ୍ୟକ । ପୋଲିସ ସହିତ ଜିଲ୍ଲାର ଅନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରହିଲେ ଅପରାଧ ନିୟନ୍ତ୍ରଣରେ ଅଧିକ ସଫଳତା ଆସିପାରିବ ବୋଲି ସେ କହିଥିଲେ। ଯେ କୌଣସି ଅପରାଧିକ କାର୍ଯ୍ୟକଳାପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ପୋଲିସ ପ୍ରଶାସନ ପାଇଁ ଖୁବ୍ ସହାୟକ ହୋଇପାରିବେ । ବିଭିନ୍ନ ଯୋଜନା ଓ ପ୍ରକଳ୍ପର ସଫଳତା ପାଇଁ ଯେପରି ଟିମ୍‌ ସ୍ପିରିଟ୍‌ରେ କାମ କରାଯାଉଛି, ସେହିଭଳି ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ମଧ୍ୟ ଟିମ୍‌ ସ୍ପିରିଟ୍ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୋଲିସ ସମ୍ପୂର୍ଣ୍ଣ ଭାବେ ଆଗୁଆ ପଦକ୍ଷେପ ବା Pro Active Action ନେବା ଅତ୍ୟନ୍ତ ଜରୁରୀ । ବିଭିନ୍ନ ଅଞ୍ଚଳର ଅପରାଧ ସମ୍ପର୍କରେ ତଥ୍ୟ ସଂଗ୍ରହ କରି କ୍ରାଇମ୍‌ ମ୍ୟାପିଙ୍ଗ୍ କରିବା ଜରୁରୀ । ଏହା ସହିତ ଗୁଇନ୍ଦା ତଥ୍ୟ ସଂଗ୍ରହ ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ । ସାଧାରଣ ଲୋକଙ୍କ ସହିତ ବନ୍ଧୁ ଭଳି ସୁ-ସମ୍ପର୍କ ରକ୍ଷା କରିପାରିଲେ ପୋଲିସକୁ ସୂଚନା ମିଳିବାରେ ସହାୟତା ମିଳିପାରିବ । ଏହାଦ୍ୱାରା ପୋଲିସକୁ ମଧ୍ୟ ଅନେକ ସ୍ଥଳରେ ଆଗୁଆ ପଦକ୍ଷେପ ନେବା ପାଇଁ ସୁବିଧା ହେବ ।

ପୋଲିସ ପାଟ୍ରୋଲିଙ୍ଗ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ କଡ଼ାକଡ଼ି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପୋଲିସର ଉପସ୍ଥିତି ସର୍ବସାଧାରଣରେ ପରିଲକ୍ଷିତ ହେବା (Visible) ଅତ୍ୟନ୍ତ ଜରୁରୀ । ବ୍ୟାପକ ପାଟ୍ରୋଲିଙ୍ଗ୍ ବ୍ୟବସ୍ଥା ଦ୍ୱାରା ଅପରାଧୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହେବା ସହିତ ସାଧାରଣ ଜନତାଙ୍କ ମଧ୍ୟରେ ଆସ୍ଥା ମଧ୍ୟ ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

error: Content is protected !!