May 23, 2026

Now Odisha

Now Odisha

ବିଦ୍ୟୁତ ସମସ୍ୟାକୁ ନେଇ ସୁରଙ୍ଗୀ ବିଦ୍ୟୁତ କାର୍ଯ୍ୟାଳୟରେ ତାଲା

Spread the love

ପାତ୍ରପୁର ବ୍ଳକର ବିଭିନ୍ନ ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଥିବା ଅଘୋଷିତ ବିଦ୍ୟୁତ କାଟ୍‌ ଓ ଏସ୍‌ ନୁଆଗାଁ ଗ୍ରାମ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସ୍ଥାନାନ୍ତର ଦାବିକୁ ନେଇ ଶୁକ୍ରବାର ସୁରଙ୍ଗୀ ବିଦ୍ୟୁତ କାର୍ଯ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା। ତାଳପଡା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବହୁ ଗ୍ରାମବାସୀ ଏକତ୍ରିତ ହୋଇ କାର୍ଯ୍ୟାଳୟ ଘେରାଉ କରିବା ସହ ରାସ୍ତାରୋକ୍ କରି ପ୍ରତିବାଦ କରିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଥିବାରୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏନେଇ ବିଦ୍ୟୁତ ବିଭାଗକୁ ଅନେକଥର ଜଣାଇଥିଲେ ମଧ୍ୟ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଆଜି ଗ୍ରାମବାସୀମାନେ ସୁରଙ୍ଗୀ ବିଦ୍ୟୁତ କାର୍ଯ୍ୟାଳୟରେ ପହଞ୍ଚି କର୍ମଚାରୀଙ୍କୁ ବାହାରକୁ ବାହାର କରିବା ସହ ମୁଖ୍ୟ ଗେଟ୍‌ରେ ତାଲା ପକାଇଥିଲେ। ପରେ ସେମାନେ ସୁରଙ୍ଗୀ ମୁଖ୍ୟ ରାସ୍ତାରେ ବସି ଧାରଣା ଦେବା ସହ ରୋଷେଇ କରି ପ୍ରତିବାଦ ଜାରି ରଖିଥିଲେ।ରାସ୍ତାରୋକ୍ ଯୋଗୁଁ କିଛି ସମୟ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଖାରିଆଗୁଡା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ପରେ ଚିକିଟୀ ସେକ୍ସନ ଏସଡିଓ ଓ ସୁରଙ୍ଗୀ ଜେଇ ମଧ୍ୟ ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

ଆଲୋଚନା ବେଳେ ଗ୍ରାମବାସୀ ଏସ୍‌ ନୁଆଗାଁ ଦେଇ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ପାଇଁ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲେ। ଏସଡିଓ ଜିଲ୍ଲାପାଳଙ୍କ ପକ୍ଷରୁ ଏହି କାମ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ସମ୍ବନ୍ଧୀୟ ଚିଠି ଦେଖାଇବା ସହ ଅଘୋଷିତ ବିଦ୍ୟୁତ କାଟ୍‌ ସମସ୍ୟାର ସମାଧାନ ପାଇଁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହାପରେ ଗ୍ରାମବାସୀ ପ୍ରତିବାଦ ହଟାଇଥିବା ଜଣାପଡ଼ିଛି।

ଚିକିଟୀ ଏସଡିଓ କହିଛନ୍ତି ଯେ, ବିଭାଗ ପକ୍ଷରୁ ଅଘୋଷିତ ବିଦ୍ୟୁତ କାଟ୍‌ କରାଯାଉନାହିଁ। କେବଳ ଜରୁରୀ ପରିସ୍ଥିତିରେ ସାମୟିକ ଭାବେ ବିଦ୍ୟୁତ ସରବରାହ ବନ୍ଦ ରହୁଛି। ଏହାସହ ୧୧ କେଭି ତାର ସ୍ଥାନାନ୍ତର ଦାବି ଉପରେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରାଯାଇ ଶୀଘ୍ର ସମାଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

error: Content is protected !!