May 25, 2026

Now Odisha

Now Odisha

ସେବା ଓ ସମର୍ପଣର ଦୁଇ ବର୍ଷ |

Spread the love

ବରଗଡ଼, ୨୫/୦୫: ଗଣତନ୍ତ୍ରରେ ଜନପ୍ରତିନିଧି ହେଉଛନ୍ତି ସାଧାରଣ ଜନତାର ସେବକ। ଏହି ବାର୍ତ୍ତାକୁ ବାସ୍ତବ ରୂପ ଦେଇ ବରଗଡ଼ ବିଧାୟକ ନିଜର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଏକ ଅନନ୍ୟ ପରମ୍ପରା ଆରମ୍ଭ କରିଥିଲେ। ଦଳମତ ନିର୍ବିଶେଷରେ ସାଧାରଣ ଲୋକଙ୍କ ସମସ୍ୟା ଶୁଣିବା ଏବଂ ତୁରନ୍ତ ସମାଧାନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ‘ଜନତା ଦରବାର’ ଏହା ସଫଳତାର ସହ ଦୁଇ ବର୍ଷ ପୂରଣ କରିଛି।

ଗତ ଦୁଇ ବର୍ଷ ଧରି ପ୍ରତ୍ୟେକ ନିର୍ଦ୍ଧିଷ୍ଟ ସମୟରେ ବିଧାୟକଙ୍କ କାର୍ଯ୍ୟାଳୟରେ ଏହି ଜନତା ଦରବାର ଅନୁଷ୍ଠିତ ହୋଇଆସୁଛି। ଏଠାରେ କୌଣସି ରାଜନୈତିକ ଦଳ କିମ୍ବା ଆଦର୍ଶର ଭେଦଭାବ ନାହିଁ। ବରଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ଆସୁଥିବା ସାଧାରଣ ମଣିଷଟି ନିଜର ଅଭିଯୋଗ ନେଇ ବିନା ସଙ୍କୋଚରେ ବିଧାୟକଙ୍କୁ ଭେଟିପାରୁଛି।

ବିଶେଷକରି ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଜନସାଧାରଣଙ୍କ ମୁଖ୍ୟ ସମସ୍ୟା ଯେପରିକି ଜୀର୍ଣ୍ଣଶୀର୍ଣ୍ଣ ରାସ୍ତାଘାଟର ମରାମତି, ବିଦ୍ୟୁତ ସରବରାହରେ ଅନିୟମିତତା, ଏବଂ ପିଇବା ପାଣିର ଘୋର ସଙ୍କଟ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଏହି ଦରବାରରେ ପ୍ରାଧାନ୍ୟ ପାଇ ଆସିଛି। ଅନେକ ସମୟରେ ଦୀର୍ଘଦିନ ଧରି ପଡ଼ିରହିଥିବା ପାନୀୟ ଜଳ ପ୍ରକଳ୍ପ କିମ୍ବା ବିଦ୍ୟୁତ ସମସ୍ୟାର ସମାଧାନ ଏହି ଦରବାର ମାଧ୍ୟମରେ ହିଁ ସମ୍ଭବ ହୋଇପାରିଛି।ଜନତା ଦରବାରର ସବୁଠାରୁ ବଡ଼ ସଫଳତା ହେଉଛି ସମସ୍ୟାର ସମୟୋଚିତ ସମାଧାନ। କେବଳ ଅଭିଯୋଗ ଶୁଣିବା ନୁହେଁ, ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ସିଧାସଳଖ କଥା ହୋଇ ସମସ୍ୟାର ନିରାକରଣ ପାଇଁ ବିଧାୟକ ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି। ଫଳସ୍ୱରୂପ, ଦୁଇ ବର୍ଷ ମଧ୍ୟରେ ଅନେକ ଦୀର୍ଘଦିନର ସମସ୍ୟାର ସମାଧାନ ହୋଇପାରିଛି, ଯାହା ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛି।

ଏହି ପ୍ରକ୍ରିୟା ସମ୍ପର୍କରେ ବିଧାୟକ କୁହନ୍ତି, “ମୁଁ ନିର୍ବାଚିତ ହେବା ପରଠାରୁ ହିଁ ନିଷ୍ପତ୍ତି ନେଇଥିଲି ଯେ, ମୋର କାର୍ଯ୍ୟାଳୟ କେବଳ ଦଳୀୟ କାର୍ଯ୍ୟାଳୟ ହୋଇ ରହିବ ନାହିଁ, ବରଗଡ଼ବାସୀଙ୍କ ପ୍ରତିଟି ମୌଳିକ ସମସ୍ୟା – ରାସ୍ତା, ବିଜୁଳି କିମ୍ବା ପାଣି – ସବୁର ସମାଧାନ ପାଇଁ ଏହା ଏକ ମୁକ୍ତ ମଞ୍ଚ ହେବ।”

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଏହା ପୂର୍ବରୁ ସମସ୍ୟା ଜଣାଇବା ପାଇଁ ଅନେକ ସ୍ତର ଅତିକ୍ରମ କରିବାକୁ ପଡ଼ୁଥିଲା। ମାତ୍ର ଏହି ଜନତା ଦରବାର ଯୋଗୁଁ ସାଧାରଣ ଲୋକେ ଏବେ ସିଧାସଳଖ ନିଜର ପ୍ରତିନିଧିଙ୍କୁ ଭେଟି ସେମାନଙ୍କ ସମସ୍ୟା ରଖିପାରୁଛନ୍ତି, ଯାହା ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରୁଛି।

ଦୁଇ ବର୍ଷର ଏହି ସଫଳ ଯାତ୍ରା ଆଗାମୀ ଦିନରେ ବରଗଡ଼ର ବିକାଶ ପାଇଁ ଏକ ନୂତନ ଦିଗଦର୍ଶନ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

error: Content is protected !!