ମୋ ଜଙ୍ଗଲ ଜମି ଯୋଜନା


“ମୋ ଜଙ୍ଗଲ ଜମି ଯୋଜନା” ନାମରେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତାକୁ ବାଟବଣା କରାଯାଉଛି।ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ, ଓଡ଼ିଶା ଭୁବନେଶ୍ୱର, ତା ୧୨ /୦୩ /୨୪ : ଓଡିଶା ସରକାର ଗତବର୍ଷ ୯ ଅଗଷ୍ଟ ୨୦୨୩ରେ ଜଙ୍ଗଲ ଅଧିକାର ଆଇନ୍- ୨୦୦୬ର କାର୍ଯ୍ୟକାରିତାର ଦୀର୍ଘ ୧୬ ବର୍ଷ ପରେ, “ମୋ ଜଙ୍ଗଲ ଜମି ଯୋଜନା” ଭଳି ଏକ ଯୋଜନା ପ୍ରଣୟନ ଓ କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ଜଙ୍ଗଲ ଅଧିକାର ଆଇନ୍ କାର୍ଯ୍ୟକାରୀ ପାଇଁ ଏକ ଅଭିଯାନ ଭାବରେ ଓ “ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ” କରିବାକୁ କୁହାଯାଇଛି। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବାସ୍ତବ ସ୍ଥିତି ଦେଖିଲେ ଏହା ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀ ମାନଙ୍କୁ ଅଧିକାର ପ୍ରଦାନ ବଦଳରେ ବାଟବଣା କରାଯାଉଛି ବୋଲି ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (ସି.ଏସ୍.ଡି) ଓଡ଼ିଶା ପକ୍ଷରୁ ଅଭିଯୋଗ କରାଯାଇଛି।ଯଦିଓ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ ପ୍ରକ୍ରିୟାରେ ସାମିଲ ରହିଥିବା ଅନେକ ବୁଦ୍ଧିଜୀବୀ, ଆଗ୍ରହରେ ଜଡିତ ଥିବା କିଛି ଭଲ ସରକାରୀ ଅଧିକାରୀ ଓ ସାମାଜିକ ସଂଗଠନମାନଙ୍କ ମତରେ ଏହା ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବର ରାଜନୈତିକ ସ୍ୱାର୍ଥ ଉଦ୍ଦେଶ୍ୟରେ ଆଦିବାସୀ ଓ ଜଙ୍ଗଲ ଅଧିବାସୀଙ୍କୁ ଆକର୍ଷଣ କରିବା ଲକ୍ଷ୍ୟରେ ହୋଇଥାଇ ପାରେ। କିନ୍ତୁ ତାହାରି ମଧ୍ୟରେ ଯଦି ଜଙ୍ଗଲ ଅଧିକାର ଆଇନର ଗୁଣାତ୍ମକ କାର୍ଯ୍ୟକାରିତା ଓ ତ୍ୱରାନ୍ୱିତ ହୁଏ, ତେବେ ଏହା ଉତ୍ତମ ରାଜନୈତିକ ଉଦ୍ଦେଶ୍ୟ ଓ ଜଙ୍ଗଲ ଅଧିବାସୀଙ୍କର ଅଧିକାରକୁ ପ୍ରକୃତ ମାନ୍ୟତା ପ୍ରଦାନ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଓଡିଶା ସରକାରଙ୍କର ଦ୍ଵାରା ଏହି ପ୍ରକ୍ରିୟାରେ ଜଙ୍ଗଲ ଆଦିବାସୀ ଓ ଅନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ ମାନଙ୍କ ଅଧିକାରକୁ ମାନ୍ୟତା ଦେବା କ୍ଷେତ୍ରରେ ଅନେକ ପ୍ରକାର ଜଟିଳତା ଓ ପ୍ରତିବନ୍ଧକ ସୃଷ୍ଟି କରୁଅଛି। ପ୍ରଥମତଃ ଜିଲ୍ଲାମାନଙ୍କରେ ଏହା ଏକ ନୂଆ ଆଇନ କିମ୍ବା ଯୋଜନା ହିସାବରେ ବୁଝାଯାଇ ପ୍ରକ୍ରିୟାରେ ପୂର୍ବରୁ ଚାଲି ଆସୁଥିବା ଆଇନଗତ ପ୍ରକ୍ରିୟାରେ ଉଲଂଘନ ଓ ଭ୍ରମ ସୃଷ୍ଟି ହେଉଛି। ମୋ ଜଙ୍ଗଲ ଜମି ଯୋଜନା ମାଧ୍ୟମରେ କାର୍ଯ୍ୟ କରୁଥିବା ସଂଯୋଜକ, ସରପଞ୍ଚ ଓ ସରକାରୀ (ତହସିଲଦାର, ବିଡ଼ିଓ) ଅଧିକାରୀମାନେ କେବଳ ରାଜସ୍ୱ ଗ୍ରାମରେ ହୋଇଥିବା କମିଟି ମାନଙ୍କୁ ଗ୍ରହଣ କରୁଛନ୍ତି ଏବଂ ପଡା ଗାଁ, ଜଙ୍ଗଲ ଗାଁ ଓ ଅଣସର୍ଭେ ଗାଁ ଗୁଡିକୁ ଏହି ପ୍ରକ୍ରିୟାରୁ ବଞ୍ଚିତ କରୁଛନ୍ତି। ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକର ବାଦପଲ୍ଲି ପଞ୍ଚାୟତର ଖଜୁରିସାହି, ଫାସିଖୋଲ, ମିନାପୁର ପଡା ମାନଙ୍କରେ ଥିବା କମିଟି ମାନଙ୍କର ଦାବି ଗ୍ରହଣ କରାଯାଉନାହିଁ, ଯାହାକି ବଡମାଳ ଭାଲିଆପଦର ରାଜସ୍ୱ ମୌଜା ଅନ୍ତର୍ଗତ ପଡାଗ୍ରାମଭାବେ ସ୍ଵାଧୀନ କମିଟି ଗୁଡିକ ଗଠନ କରାଯାଇଛି। ଛକାସିଙ୍ଗ ମୌଜାର ବଡସାହି କମିଟିକୁ ଛାଡି ଦିଆଯାଇଛି। ଏଗୁଡିକରେ ସ୍ଵାଧୀନ କମିଟି/ ଗ୍ରାମସଭା ମାନ ଗଠନ କରାଯାଇ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରୀ ହୋଇ ଆସୁଛି। କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ, ଗଜପତି, କୋରାପୁଟ, ରାୟଗଡା ଆଦି ଜିଲ୍ଲା ମାନଙ୍କରେ ଏ ପ୍ରକାର ସମସ୍ୟା ସୃଷ୍ଟି କରାଯାଉଛି। ଏହି ପ୍ରକାର ବ୍ୟତିକ୍ରମ ଆଇନର ସମ୍ପୂର୍ଣ ବିରୋଧି ଓ ଜଙ୍ଗଲ ଅଧିବାସୀଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରିବା ସହିତ ଜଙ୍ଗଲ ଅଧିକାର ଆଇନର ପ୍ରକ୍ରିୟାକୁ ଭୁଲବାଟରେ ପରିଚାଳିତ କରୁଛି। ଦ୍ୱିତୀୟତଃ କର୍ପୋରେଟ କମ୍ପାନୀମାନଙ୍କ ସ୍ଵାର୍ଥକୁ ପୂରଣ, ଜଙ୍ଗଲ ଜମିକୁ ଖଣି, କାରଖାନା, ଉଦ୍ୟୋଗ, ପର୍ଯ୍ୟଟନ ସ୍ଥଳୀ, ଅଭୟାରଣ୍ୟ ଆଦି ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ଜଙ୍ଗଲ ଅଧିକାର ଆଇନରେ ଗ୍ରାମସଭାର ଅନୁମତିର ନେବାରେ ଆଇନଗତ ପ୍ରକ୍ରିୟାର ଅନୁପାଳନ କରିବା ପ୍ରତିବନ୍ଧକକୁ ଏଡାଇବା ପାଇଁ ଏହାକୁ “ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ” କାର୍ଯ୍ୟକାରୀ କରିବାର ପୂର୍ଣ୍ଣତା (saturation) ଆଣିବା ଏକ ସୁଚିନ୍ତିତ ଷଡଯନ୍ତ୍ର ଓ ଜଙ୍ଗଲ ଅଧିବାସୀମାନଙ୍କ ବିରୋଧରେ ଚକ୍ରାନ୍ତ ଭଳି ଲାଗୁଛି। ଆଦିବାସୀ ଓ ଜଙ୍ଗଲ ଅଧିବାସୀମାନଙ୍କ ମଧ୍ୟରେ ଭାବପ୍ରବଣତାକୁ ବ୍ୟବହାରକରି ଶୋଷଣର ଷଡଯନ୍ତ୍ର ରଚନା କରାଯାଉଛି। ଯେଉଁଥିରେ ତରବରିଆ ଭାବେ ଆଇନଗତ ପ୍ରକ୍ରିୟାକୁ ଅଣଦେଖା କରାଯାଉଛି। ଗ୍ରାମସଭା ଠାରୁ ପୂର୍ବରୁ ପ୍ରସ୍ତୁତ ଫର୍ମାଟରେ, ବିନା ଆଲୋଚନାରେ ଓ ଉପଯୁକ୍ତ ଭାବେ ସଚେତନ ନକରି ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି ବୋଲି ଆଗୁଆ ଦସ୍ତଖତ ନିଆଯାଉଛି। ତୃତୀୟତଃ ଜଙ୍ଗଲ ଅଧିକାର ଆଇନରେ ଗ୍ରାମସଭାର ଭୂମିକା ଓ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୋ ଜଙ୍ଗଲ ଜମି ଯୋଜନାରେ କାର୍ଯ୍ୟ କରୁଥିବା ସଂଯୋଜକ ଓ ଅଧିକାରୀମାନେ ବିନା ନୋଟିସ୍ ଓ ବିନା କୋରମରେ ଗ୍ରାମସଭା କରାଉଥିବା କାଗଜପତ୍ର ତିଆରି କରୁଥିବାର ଘଟଣା ବହୁମାତ୍ରାରେ ପରିଲକ୍ଷିତ ହେଉଛି। ଗ୍ରାମସାଥି, ଜଙ୍ଗଲ ଅଧିକାର ଆଇନ ସଂଯୋଜକ ଓ ସହଯୋଗୀ ମାନଙ୍କୁ ଏଥିପାଇଁ ଆବଶ୍ୟକୀୟ ତାଲିମ୍ ବା କୈାଣସି ପ୍ରଶିକ୍ଷଣ ଦିଆଯାଇନାହିଁ । ସେମାନେ ହଠାତ୍ ଗାଁରେ ପହଞ୍ଚି ଗ୍ରାମସଭା କରିବାକୁ ଓ ରିଜୋଲ୍ୟୁସନ ଫର୍ମାଟରେ ଦସ୍ତଖତ କରିବାକୁ ଚାପ ପକାଉଛନ୍ତି, ଯାହାକି ଜଙ୍ଗଲ ଅଧିକାର ଆଇନରେ ଗ୍ରାମସଭାର କ୍ଷମତାକୁ ଉଲଂଘନ କରୁଛି । ଏପରିକି ତହସିଲଦାର ଓ ବିଡ଼ିଓ ମାନେ ମଧ୍ୟ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି। ଅଳ୍ପ କିଛି ଘଣ୍ଟା ମଧ୍ୟରେ ବ୍ୟକ୍ତିଗତ ଦାବି ଫର୍ମ ପୂରଣ କରିବା, ଗୋଷ୍ଠୀ ଅଧିକାର ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଦାବି ଗାଁରେ ବସି ପୁରଣ କରିବାକୁ ତରବରିଆ ପଦକ୍ଷେପ ସୂଚାଉଛି ଯେ, ସେହି କର୍ମଚାରୀ ମାନଙ୍କ ମଧ୍ୟରେ ଆଇନର ପ୍ରକ୍ରିୟା ଉପରେ ସମ୍ପୂର୍ଣ ସଚେତନତାର ଅଭାବ ରହିଛି କିମ୍ବା ସେମାନଙ୍କ ଜାଣିଶୁଣି ଏପରି କରୁଛନ୍ତି, ଯାହାର ପରିଣାମ ଅତି ଜଟିଳ ଓ କ୍ଷତିକାରକ ହେବ। ଚତୁର୍ଥତଃ ଗୋଷ୍ଠୀ ଜଙ୍ଗଲ ଅଧିକାର ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଦାବି ପ୍ରସ୍ତୁତରେ ତୃଟି ଓ ଅଧିକାର ନଥିକରଣରେ ଅତି ବ୍ୟାପକ ସଙ୍କୁଚିତ କରାଯାଉଛି। ବ୍ୟାପକ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଞ୍ଚଳକୁ ନଥିକରଣ ନକରି ଦୁଇ ତିନିଟି ଜଙ୍ଗଲ ପାହାଡର ନାଁ ପଚାରି ଲେଖି ଦାବି ଗୁଡିକ ପ୍ରସ୍ତୁତ ଜଙ୍ଗଲ ଅଧିକାର ସହଯୋଗୀ (FRA Volunteer) କରୁଛନ୍ତି, ଯାହାଦ୍ୱାରା ଅନେକ ବନାଞ୍ଚଳ ଉପରେ ଥିବା ଅଧିକାର ଦାବିରୁ ସେମାନଙ୍କୁ ବଞ୍ଚିତ କରାଯାଉଛି। ପାରମ୍ପରିକ ସୀମା ମଧ୍ୟରେ ଥିବା ସମସ୍ତ ସମ୍ବଳର ନଥିକରଣ ନକରି ଦାବି ପ୍ରସ୍ତୁତ କରାଯାଉଛି। ଅନେକ ମଧ୍ୟରୁ ଗୋଟିଏ ଉଦାହରଣ ହେଲା; ମାଲକାନାଗିରି ଜିଲ୍ଲା କୁଡୁମୁଲୁଗୁମା ତହସିଲ ଅନ୍ତର୍ଗତ ଲାଡିଗୁଡ଼ା ଗ୍ରାମରେ ବିନା କୋରମରେ କେତୋଟି ଦସ୍ତଖତ କରାଯାଇ ଗ୍ରାମସଭା କରାଗଲା ବୋଲି ନଥି ପ୍ରସ୍ତୁତ କରାଯାଇଛି। ଗାଁ ଗାଁ ମଧ୍ୟରେ ପାରମ୍ପରିକ ସୀମା ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଚିହ୍ନଟ ଓ ନଥିକରଣ ପ୍ରକ୍ରିୟାରେ ଉଭୟ ଗ୍ରାମକୁ ସାମିଲ କରି ଦାବି ପ୍ରସ୍ତୁତ ନକରିଲେ ଭବିଷ୍ୟତରେ ଅନେକ ଦ୍ଵନ୍ଦ ଓ ଗାଁ ଗାଁ ମଧ୍ୟରେ ଭୟଙ୍କର ବିବାଦ ସୃଷ୍ଟିହେବ। ପଞ୍ଚମତଃ ଜଙ୍ଗଲ ଅଧିକାର ସହଯୋଗୀ ସାଥିମାନେ ଶୀଘ୍ର ପଇସା ମିଳିବା ଆଶାରେ ବହୁତ ତୃଟିପୂର୍ଣ ଦାବି ଓ ନଥିପତ୍ର ତରବରିଆ ଭାବେ ପ୍ରସ୍ତୁତ କରୁଛନ୍ତି। ଆଗକୁ ସେହି ଦାବିଗୁଡିକ ସହଜରେ ନାକଚ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯାହାଦ୍ୱାରା ଜଙ୍ଗଲ ଅଧିବାସୀ ଚିରସ୍ଥାୟୀ ଭାବେ ଜଙ୍ଗଲ ଅଧିକାରରୁ ବଞ୍ଚିତ ହୋଇ ରହିଯିବେ। ଷଷ୍ଠତଃ ମୋ ଜଙ୍ଗଲ ଜମି ଯୋଜନା ମାଧ୍ୟମରେ ଜଙ୍ଗଲ ଅଧିକାର କମିଟି ଗୁଡିକର ଗଠନ ଓ ପୁନଃଗଠନ କରିବା ନିର୍ଦେଶ ପ୍ରକ୍ରିୟାରେ ଭୁଲ ବୁଝାବଣା ଯୋଗୁ ଅନେକ ସମସ୍ୟା ଦେଖା ଦେଉଛି। ଆବଶ୍ୟକ ପ୍ରଶିକ୍ଷଣ ବା ତାଲିମ୍ ଦିଆଯାଇନଥିବାରୁ ସରପଞ୍ଚ ଓ ତାଙ୍କ ସହଯୋଗୀ ମାନେ ଏହାକୁ ଭୁଲ ଅର୍ଥରେ ବୁଝୁଛନ୍ତି ଓ ଭୁଲବାଟରେ ନେଊଛନ୍ତି। କେସ୍ ରେକର୍ଡ ଗୁଡିକ ସମ୍ପୂର୍ଣ ହେବା ପୂର୍ବରୁ ସମସ୍ତ କାଗଜ ପତ୍ର ଦସ୍ତଖତ କରି ନେଇଯାଉଛନ୍ତି। ରେକର୍ଡ ପ୍ରସ୍ତୁତକାରୀ ଜଙ୍ଗଲ ଅଧିକାର କମିଟି/ଗ୍ରାମସଭା ପାଖରେ କିଛି ତଥ୍ୟ କିମ୍ବା ପ୍ରସ୍ତାବ ଗ୍ରହଣ ନଥି ରହୁନାହିଁ, ଯାହା ବେଆଇନ୍ ଅଟେ। ସରପଞ୍ଚମାନେ ପୂର୍ବରୁ ଗଠିତ ହୋଇଥିବା କମିଟି ଗୁଡିକ ଆଉ କାମ କରିବ ନାହିଁ ଏବଂ ସେଇଥିପାଇଁ ନୂଆ କମିଟି ଗଠନ ହେବ ବୋଲି ଲୋକମାନଙ୍କୁ କହୁଛନ୍ତି। ଶେଷରେ ସରକାରଙ୍କ ଦ୍ଵାରା ସୁଚିତ ନିର୍ଦ୍ଧିଷ୍ଟ ତାରିଖରେ ଗ୍ରାମସଭା କରିବା କିମ୍ବା କମିଟିର ଗଠନ ଓ ପୁନଃଗଠନ କରିବାକୁ ବାଧ୍ୟ କରାଯାଉଛି। ସରପଞ୍ଚ, ସଂଯୋଜକ, ଜଙ୍ଗଲ ଅଧିକାର ସାଥି ଏବଂ ପିଇଓ ମାନେ କେବଳ ‘ମୋ ଜଙ୍ଗଲ ଜମି ଯୋଜନା’ ମାଧ୍ୟମରେ ସୁଚିତ ହୋଇଥିବା ତାରିଖରେ ହିଁ କମିଟି ଗଠନ, ଗ୍ରାମସଭା ଆହ୍ଵାନ, ଦାବି ଦାଖଲର ଶେଷ ତାରିଖ ହେବ ବୋଲି ପ୍ରଚାର କରୁଛନ୍ତି, ଯାହା ସମ୍ପୂର୍ଣ ଭ୍ରମ ସୃଷ୍ଟିକରୁଛି ଏବଂ ଲୋକଙ୍କ ମଧ୍ୟରେ ଭୁଲ ବୁଝାମଣା ତଥା ପରିବେଶ ସୃଷ୍ଟି କରୁଛି। ଏହି ସବୁ ଆଇନଗତ ପ୍ରକ୍ରିୟାରେ ଭୁଲ୍ ଓ ବ୍ୟତିକ୍ରମ ହେଲେ ଜଙ୍ଗଲ ଅଧିକାର ଆଇନ -୨୦୦୬ର କାର୍ଯ୍ୟକାରିତା ଗ୍ରାମସଭାର କ୍ଷମତା ଓ ନିଷ୍ପତ୍ତି ଜରିଆରେ ହେବା ବଦଳରେ ସରକାରୀ ଓ ଏନଜିଓ କର୍ମଚାରୀଙ୍କର ନିଷ୍ପତି ଦ୍ଵାରା ହେବ। ଜଙ୍ଗଲ ଅଧିକାର ଆଇନର ଉଲଂଘନର ପ୍ରଭାବ ଆଦିବାସୀ ଓ ଜଙ୍ଗଲ ଅଧିବାସୀଙ୍କ ଅଧିକାରକୁ ମାନ୍ୟତା ପ୍ରଦାନ କରିବା କ୍ଷେତ୍ରରେ ଗୁରୁତର ପ୍ରତିବନ୍ଧକ ସୃଷ୍ଟି କରିବ । ପୂର୍ବରୁ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀ ମାନଙ୍କ ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟକୁ ସୁଧାରି ସେମାନଙ୍କୁ ନ୍ୟାୟଦେବା ପାଇଁ ଉପଯୁକ୍ତ ପଦକ୍ଷେପ ଏବଂ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରି ସମସ୍ତ ଦାବିଦାର ମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ସଂଗଠନ ଦାବି କରିଛି । ସଂଗଠନର ରାଜ୍ୟ ଆବାହକ, ଗୋପୀନାଥ ମାଝୀ ଏବଂ ଆବାହକ ମଣ୍ଡଳୀ ସଦସ୍ୟ ପ୍ରଦୀପ କୁମାର ସାହୁ ଏହି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏକ ସଂପର୍କରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଜଙ୍ଗଲ ଅଧିକାର ଆଇନର ସଠିକ୍ କାର୍ଯ୍ୟକାରିତା ପାଇଁ ଦାବି କରିଛନ୍ତି ।ସମ୍ବାଦ ପ୍ରସ୍ତୁତି: ପ୍ରଦୀପ ସାହୁ, ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ (ସିଏସଡ଼ି), ଓଡିଶା ।।ଫୋନ୍: ୯୪୩୯୪ ୫୯୧୪୮


error: Content is protected !!