ଦେଶର ରାଜଧାନୀ ଦିଲ୍ଲୀର ରାଜନୈତିକ କରିଡରରେ ଏବେ ଏକ ବଡ଼ ଚର୍ଚ୍ଚା ଜୋର ଧରିଛି। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ କରିବାକୁ ଯାଉଛନ୍ତି। ଏହି ସମ୍ଭାବ୍ୟ କ୍ୟାବିନେଟ୍ ବିସ୍ତାରକୁ ନେଇ ଅନେକ ନେତାଙ୍କ ହୃଦସ୍ପନ୍ଦନ ବଢ଼ିଯାଇଥିବା ବେଳେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ବଡ଼ ‘ପ୍ରମୋସନ୍’ ବା ନୂଆ ‘ସୁପର ରୋଲ୍’ ମିଳିବାର ସମ୍ଭାବନା ରହିଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ଭୂମିକା ଏବଂ ରାଜନୈତିକ ପ୍ରଭାବ ଆଗାମୀ ଦିନରେ ସରକାରରେ ଆହୁରି ବୃଦ୍ଧି ପାଇପାରେ। ସରକାର ଓ ସଙ୍ଗଠନ ମଧ୍ୟରେ ଦୃଢ଼ ତାଲମେଳ ରଖିବା ପାଇଁ ତାଙ୍କୁ କୌଣସି ଅତିରିକ୍ତ ଏବଂ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବାର ଚର୍ଚ୍ଚା ହେଉଛି। ନିକଟରେ ଶାହଙ୍କ ଦିଲ୍ଲୀ ବାସଭବନରେ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କ୍ୟାବିନେଟ୍ ସମ୍ପ୍ରସାରଣ ଏବଂ ଦଳର ନୂଆ କୋର୍ ଟିମ୍ ଗଠନ ଉପରେ ଏକପ୍ରକାର ଚୂଡ଼ାନ୍ତ ମୋହର ବାଜିଥିବା ସୂଚନା ରହିଛି। ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଏହି ଚୂଡ଼ାନ୍ତ ତାଲିକା ସାମ୍ନାକୁ ଆସିପାରେ।
ଆସନ୍ତା ୨୦୨୭ ମସିହାରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଏହି କ୍ୟାବିନେଟ୍ ଅଦଳବଦଳରେ ଉତ୍ତରପ୍ରଦେଶକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ବର୍ତ୍ତମାନ ୟୁପିରୁ କ୍ୟାବିନେଟରେ ୧୧ ଜଣ ମନ୍ତ୍ରୀ ଥିବାବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରୁଛନ୍ତି। ବିଶେଷକରି ଓବିସି ଭୋଟ୍ ବ୍ୟାଙ୍କ ଏବଂ ଆଞ୍ଚଳିକ ସମୀକରଣକୁ ସନ୍ତୁଳିତ କରିବା ଉପରେ ଦଳର ଫୋକସ୍ ରହିଛି। ଏହା ବ୍ୟତୀତ ପଞ୍ଜାବ, ଗୁଜରାଟ, ହିମାଚଳ ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରୁ ମଧ୍ୟ ନୂଆ ଚେହେରାଙ୍କୁ ମୋଦୀ କ୍ୟାବିନେଟରେ ସୁଯୋଗ ମିଳିପାରେ।
ବିଜେପିର ଏହି ନୂଆ ରଣନୀତି ଅନୁସାରେ, ସରକାରରେ ଥିବା କିଛି ବରିଷ୍ଠ ମନ୍ତ୍ରୀଙ୍କୁ ସଙ୍ଗଠନ କାର୍ଯ୍ୟରେ ଲଗାଯାଇପାରେ। ଅନ୍ୟପଟେ ବିରୋଧୀ ଦଳରୁ ବିଜେପିକୁ ଆସିଥିବା ବିଦ୍ରୋହୀ ନେତା କିମ୍ବା ଦଳର ଅନ୍ୟ ବିଶ୍ୱସ୍ତ ସାଂସଦମାନଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବାର ଆଶା ରହିଛି। ସ୍ମୃତି ଇରାନୀ, ଅନୁରାଗ ଠାକୁର ଏବଂ ଜିତିନ ପ୍ରସାଦଙ୍କ ଭଳି ଟାଣୁଆ ନେତାଙ୍କୁ ନେଇ ମଧ୍ୟ ଅନେକ କଳ୍ପନାଜଳ୍ପନା ଲାଗିରହିଛି। ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ହେଉଛି ‘ବିକଶିତ ଭାରତ ୨୦୪୭’, ଏବଂ ଏହି ନୂଆ କ୍ୟାବିନେଟ୍ ତାହାର ଏକ ମୂଳଦୁଆ ପାଲଟିବ। ଦଳର ସମସ୍ତ ନଜର ଏବେ ଆଗାମୀ ବିଧାନସଭା ଓ ୨୦୨୯ ସାଧାରଣ ନିର୍ବାଚନ ଉପରେ କେନ୍ଦ୍ରୀଭୂତ ହୋଇଛି।

More Stories
ପୂର୍ବତ୍ତନ ଜିଲ୍ଲାପରିଷଦ ଅଧ୍ୟାକ୍ଷା ଶ୍ରୀମତୀ ମାଝୀଙ୍କ ପରଲୋକ
ଝାଟିଆସାହି-ମଙ୍ଗଳପୁର ରାସ୍ତା ବେହାଲ; ୪୦ ସ୍ଥାନରେ ଖାଲ, ୯ କଲଭର୍ଟ କ୍ଷତିଗ୍ରସ୍ତ, ତୁରନ୍ତ ମରାମତି ଦାବି
ପାଣିରେ ବୁଡ଼ି ଚାଲିଗଲା ନାବାଳିକାର ଜୀବନ