ଆରପାରିରେ ଓଡ଼ିଶା ରାଜନୀତିର ମହାଦ୍ରୁମ ଡାକ୍ତର ଦାମୋଦର ରାଉତ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ


ଆରପାରିରେ ଓଡ଼ିଶା ରାଜନୀତିର ମହାଦ୍ରୁମ ଡାକ୍ତର ଦାମୋଦର ରାଉତ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ।ଆରପାରିରେ ଓଡ଼ିଶା ରାଜନୀତିର ମହାଦ୍ରୁମ ତଥା ବାକ୍ୟ ବାଣ ଭାବେ ପରିଚିତ ଡାକ୍ତର ଦାମୋଦର ରାଉତ। ୮୩ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଆଜି ଭୋର ୫ଟା ୨୩ ମିନିଟରେ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।*ଦୀର୍ଘ ଦିନ ଧରି କିଡନୀ ସମସ୍ୟା ସହ ଯୁଝୁଥିବା ଦାମୋଦର ରାଉତ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ଦାମ। ଅକ୍ସିଜେନ୍ ସାଚୁରେସନ କମିବା ପରେ, ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ।ଘରୋଇ ହସ୍ପିଟାଲକୁ ନେବା ଭିତରେ ବ୍ରେନକୁ ବ୍ଲଡ ଓ ଅକ୍ସିଜେନ୍ ସପ୍ଲାଇ କମିଯାଇଥିଲା ବୋଲି କହିଛନ୍ତି ସମ୍ବିତ। ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ସିପିଆର୍ ଦିଆଯାଇଥିଲା ଏବଂ ହାର୍ଟ ଚାଲିଥିଲା। ତେବେ ମସ୍ତିଷ୍କରେ ଗୁରୁତର କ୍ଷତି ହୋଇଥିବାରୁ ସେ ଅଲମୋଷ୍ଟ ବ୍ରେନଡେଡ୍ ସ୍ଥିତିରେ ବୋଲି କହିଥିଲେ ପୁଅ ସମ୍ବିତ ।ଓଡ଼ିଶା ରାଜନୀତିର ଜଣେ ମହାଦ୍ରୁମ ଭାବେ ପରିଚିତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ୭ ଥର ବିଧାୟକ ଓ ବହୁ ବାର ମନ୍ତ୍ରୀ ହୋଇଥିବା ଦାମୋଦର ବିଜୁ ପଟ୍ଟନାୟକଙ୍କର ବି ଥିଲେ ଅତି ଘନିଷ୍ଠ ସହଯୋଗୀ। ୧୯୭୭ ମସିହାରେ ପ୍ରଥମ ଥର ପାଇଁ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତାଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଦାମ |ପରେ ୧୯୮୦ରେ ଜନତା ଦଳ ସେକୁଲାରରୁ ଜିତି ଦ୍ୱତୀୟ ଥର ପାଇଁ ବିଧାନସଭା ଆସିଥିଲେ। ଯଦିଓ ୧୯୯୫ ମସିହାରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା, ହେଲେ ୨ ହଜାରରୁ ୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ ଲଗାତର ନିର୍ବାଚିତ ହୋଇ ଆସିଥିଲେ | ୫ଥର ଏରସମା ଓ ୨ଥର ପାରାଦ୍ୱୀପରୁ ଲଢି ବି ଜିତିଥିଲେ ଦାମ |ବାପା ବିଜୁ ପଟ୍ଟନାୟକ ଓ ପୁଅ ନବୀନ ପଟ୍ଟନାୟକଙ୍କ ସରକାରରେ ବିଭିନ୍ନ ସମୟରେ କୃଷି, ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ସମବାୟ ଭଳି ୭ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳି ଥିଲେ ଦାମ | ତେବେ ୨୦୧୭ ମସିହାରେ ବିଜେଡି ତାଙ୍କୁ ଦଳରୁ ବହିଷ୍କାର କରିଥିଲା।ତାପରେ ସେ ମାର୍ଚ୍ଚ ୨୦୧୯ରେ ବିଜେପିରେ ମିଶି ବାଲିକୁଦାରୁ ପଦ୍ମଫୁଲ ଚିହ୍ନରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ | ତେବେ ଗତ ଜାନୁଆରୀ ମାସରେ ବିଜେଡି ତାଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇ ଥିଲା। ଜଣେ ଦକ୍ଷ ରାଜନେତାଭାବେ ଦାମ ଯେତିକି ଜଣାଶୁଣା ତାଙ୍କ ରୋକଠୋକ୍ କଥାବାର୍ତ୍ତା ପାଇଁ ମଧ୍ୟ ସେ ସେତିକି ଚର୍ଚ୍ଚିତ।


error: Content is protected !!