ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ କରି ଘରୋଇ ବଜାର ପର୍ଯ୍ୟନ୍ତ, ଉଭୟ ମୂଲ୍ୟବାନ ଧାତୁ ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଜୁଲାଇ ୮ ତାରିଖରେ ଗୋଟିଏ ଦିନରେ ରୁପା ଦର ପ୍ରାୟ ୬,୭୦୦ ଟଙ୍କା ହ୍ରାସ ପାଇଥିବା ବେଳେ ସୁନା ଦର ମଧ୍ୟ ତଳକୁ ଖସିଛି। ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ଉତ୍ତେଜନା, ଅଶୋଧିତ ତୈଳର ବଦ୍ଧିତ ମୂଲ୍ୟ ଏବଂ ଆମେରିକୀୟ ଡଲାରର ମଜଭୁତି ଏହି ବଡ଼ ହ୍ରାସର ମୁଖ୍ୟ କାରଣ ବୋଲି କୁହାଯାଉଛି।
ଭାରତୀୟ କମୋଡିଟି ଏକ୍ସଚେଞ୍ଜ (MCX) ରେ ଜୁଲାଇ ୮ରେ ସୁନା ଏବଂ ରୁପା ବିକ୍ରି ଉପରେ ପ୍ରବଳ ଚାପ ଦେଖିବାକୁ ମିଳିଥିଲା। ସୁନା ୱାଏଦା ମୂଲ୍ୟ (Gold Futures) ୧.୧୬ ପ୍ରତିଶତ ହ୍ରାସ ପାଇଛି। ଏହାଦ୍ୱାରା ସୁନା ଦର ୧,୬୯୨ ଟଙ୍କା କମି ପ୍ରତି ୧୦ ଗ୍ରାମ ପିଛା ୧,୪୩,୭୧୦ ଟଙ୍କା ସ୍ତରକୁ ଚାଲିଆସିଛି। ସେହିପରି ରୁପା ଦର ହ୍ରାସର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି। ସିଲଭର ଫ୍ୟୁଚର୍ସ (Silver Futures) ୨.୯୩ ପ୍ରତିଶତ ହ୍ରାସ ପାଇଛି, ଯାହାଫଳରେ ରୁପା ମୂଲ୍ୟ ୬,୭୬୩ ଟଙ୍କା ଖସି ପ୍ରତି କିଲୋଗ୍ରାମ ପିଛା ୨,୨୪,୨୦୧ ଟଙ୍କାରେ ପହଞ୍ଚିଛି। ଗ୍ଲୋବାଲ ମାର୍କେଟରେ ମଧ୍ୟ ସ୍ପଟ୍ ଗୋଲ୍ଡ ୧.୧ ପ୍ରତିଶତ ଦୁର୍ବଳ ହୋଇ ପ୍ରତି ଆଉନ୍ସ ପିଛା ୪,୦୬୧.୩୨ ଡଲାର ହୋଇଯାଇଛି।
ସୁନା-ରୁପା ହଠାତ୍ ଶସ୍ତା ହେବା ପଛରେ ଆନ୍ତର୍ଜାତୀୟ ରାଜନୀତି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଘୋଷଣା କରିଛନ୍ତି ଯେ ଇରାନ ସହିତ ସଂଘର୍ଷବିରତି ଏବେ ଶେଷ ହୋଇଛି। ଯୁଦ୍ଧର ଏହି ଆଶଙ୍କା ଯୋଗୁ ଅଶୋଧିତ ତୈଳ ମୂଲ୍ୟରେ ହଠାତ୍ ୬ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି।
ତେଲ ମହଙ୍ଗା ହେବା ଦ୍ୱାରା ସାରା ବିଶ୍ୱରେ ମୁଦ୍ରାସ୍ଫୀତି (ମହଙ୍ଗା ମାଡ଼) ବଢ଼ିବ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ (ଫେଡେରାଲ ରିଜର୍ଭ) ସୁଧ ହାର ବଢ଼ାଇପାରେ। ଅର୍ଥନୀତିର ନିୟମ ଅନୁଯାୟୀ, ଯେତେବେଳେ ବି ଡଲାର ମଜଭୁତ ହୁଏ, ସୁନାର ଚମକ କମିବାକୁ ଲାଗେ।
ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ମଧ୍ୟପ୍ରାଚ୍ୟରେ ବଢୁଥିବା ଭୂ-ରାଜନୈତିକ ଉତ୍ତେଜନା ଯୋଗୁ ସୁନା ଦର ଉପରେ ପ୍ରଭାବ ପଡ଼ିଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତେଲ-ଗ୍ୟାସ ଯୋଗାଣ ପଥ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ପୁଣି ବନ୍ଦ ହେବାର ଆଶଙ୍କା ଦେଖାଦେଇଛି। ଯଦି ଏହି ପଥ ବାଧାପ୍ରାପ୍ତ ହୁଏ, ତେବେ ଅଶୋଧିତ ତୈଳ ଦର ଆହୁରି ବଢ଼ିବ। ଏହି ଭୟରେ କ୍ରମାଗତ ତୃତୀୟ ଦିନ ପାଇଁ ସୁନା ଦର ହ୍ରାସ ପାଇଛି।
ବଜାର ବିଶେଷଜ୍ଞଙ୍କ ମତରେ, ଆଗାମୀ କିଛି ସମୟ ପାଇଁ ସୁନା ଦର ଉପରେ ଚାପ ରହିପାରେ, କିନ୍ତୁ କୌଣସି ବଡ଼ ଧରଣର ହ୍ରାସ ଆଶା କରାଯାଉନାହିଁ। ଦର ଏକ ସୀମିତ ପରିସର ମଧ୍ୟରେ ଉପର-ତଳ ହେବ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…