August 24, 2026

Now Odisha

Now Odisha

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

Spread the love

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ ଶେଷ ସୁଦ୍ଧା ୫ ଉଇକେଟ ହରାଇ ୩୦୦ ରନ କରିଛି। ଏହା ପଡିକଲଙ୍କର କ୍ରମାଗତ ଦ୍ୱିତୀୟ ଟେଷ୍ଟ ଶତକ। ଷ୍ଟମ୍ପ ଅପସାରଣ ବେଳକୁ ଧ୍ରୁବ ଜୁରେଲ ୭ ଓ ପଦାର୍ପଣକାରୀ ସାଂରାଶ ଜୈନ ୪ ରନରେ ବ୍ୟାଟିଂ କରୁଛନ୍ତି। ଏହି ମ୍ୟାଚ୍‌ ଜରିଆରେ ଅଫ୍‌ ସ୍ପିନର ସାରାଂଶ ଜୈନ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି।

ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯଶସ୍ବୀ ଜୟସ୍ବାଲ (୪୫ ରନ, ୯ ଚୌକା) ଓ ଲୋକେଶ ରାହୁଲ (୧୮ ରନ, ୨ ଚୌକା ଓ ୧ ଛକା) ଭଲ ଆରମ୍ଭ କରିଥିଲେ। ହେଲେ ମିଳିଥିବା ଆରମ୍ଭକୁ ଦୁହେଁ ବଡ଼ ସ୍କୋରରେ କନଭର୍ଟ କରିପାରି ନ ଥିଲେ। ନଂ.୩ରେ ଆସିଥିବା ପଡିକଲ ୧ ରନ କରିବା ମଧ୍ୟରେ ଦୁଇ ଥର ଜୀବନଦାନ ପାଇଥିଲେ। ଏହାର ପରିଣାମ ସ୍ବରୂପ ପଡିକଲ, ଅଧିନାୟକ ଶୁବମନ ଗିଲଙ୍କ ସହ ମିଶି ତୃତୀୟ ଉଇକେଟରେ ୧୨୦ ରନ ଯୋଡ଼ିଥିଲେ। ଅର୍ଦ୍ଧଶତକ ପୂରଣ କରିବା ପରେ ଗିଲ (୫୦) ପାଭିଲିଅନ ଫେରିଥିଲେ।

ଉଇକେଟକିପର ବ୍ୟାଟର ରିଷଭ ପନ୍ତ ୩ ରନ କରିଥିବା ବେଳେ ଘରୋଇ ପେସର ଲାହିରୁ କୁମାରାଙ୍କ ଏକ ଶର୍ଟ ପିଚ୍‌ ବଲକୁ ପୁଲ କରିବା ଯାଇ ବାମହାତରେ ଆଘାତ ପାଇଥିଲେ। ଏଥିଯୋଗୁ ସେ ରିଟାୟର୍ଡ ହର୍ଟ ହୋଇ ପାଭିଲିଅନ ଫେରିଥିଲେ। ଏହାପରେ ପଡ଼ିକଲ ଓ ରବୀନ୍ଦ୍ର ଜାଡେଜା ୭୪ ରନ ଯୋଡ଼ି ଦଳୀୟ ସ୍କୋରକୁ ୨୮୦ ରନ ଅତିକ୍ରମ କରାଇଥିଲେ। ଶତକୀୟ ଇନିଂସ ଖେଳିଥିବା ପଡ଼ିକଲ (୧୧୭ ରନ, ୧୨ ଚୌକା) ଘରୋଇ ପେସର କେଶରା ନୁଓ୍ବାନ୍ଥାଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଶ୍ରୀଲଙ୍କା ଦଳ ନୂଆ ବଲ ବ୍ୟବହାର କରିବା ପରେ ଜାଡେଜା (୪୩ ରନ, ୪ ଚୌକା)ଙ୍କୁ ଆଶିଥା ଫର୍ନାଣ୍ଡୋ ବୋଲ୍ଡ କରିଥିଲେ। ଘରୋଇ ଶ୍ରୀଲଙ୍କା ପାଇଁ ଆଶିଥା ଫର୍ନାଣ୍ଡୋ ୩ ଉଇକେଟ ନେଇଥିବା ବେଳେ ଲାହିରୁ କୁମାରା ଓ କେଶରା ନୁଓ୍ବାନ୍ଥା ଗୋଟିଏ ଲେଖାଏ ଉଇକେଟ ହାତେଇଛନ୍ତି।

error: Content is protected !!