କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ବର୍ତ୍ତମାନ ଚାଷ କାର୍ଯ୍ୟର ଗୁରୁତ୍ୱପୂର୍ଣ୍ଣ ସମୟରେ ସାର ପାଇଁ ଚାଷୀ କଲବଲ ହେଉଥିବା ବେଳେ ସମିତିରୁ ରାତିରେ ସାର ବିକ୍ରି ହେବା ଘଟଣା ଚାଷୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିବା ସହ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଛି।
ସମିତି ସମ୍ପାଦକ ଅକ୍ଷୟ କବିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କିଛି ଚାଷୀ ଏକତ୍ରିତ ହୋଇ ଏକ ଟ୍ରାକ୍ଟରରେ ସେମାନଙ୍କ ସାର ସାରେ ନେଇଛନ୍ତି l କେନ୍ଦୁଝର ଡିଆରସିଏ୍ ପର୍ଶୁରାମ ପାତ୍ର କହିଛନ୍ତି ଯେ, ସାରର ଉଠାଣ, ବଣ୍ଟନ ଏବଂ ମହଜୁଦ ସମ୍ପର୍କିତ ସ୍ଥିତିର ତଦନ୍ତ ପାଇଁ ଆନନ୍ଦପୁର ଏଆରସିଏସ୍ଙ୍କୁ କୁହାଯାଇଛି।
ତେବେ ସାର କେଉଁ ପରିସ୍ଥିତିରେ ରାତିରେ ବିକ୍ରି କରାଗଲା, ସାର ବଣ୍ଟନ ପ୍ରକ୍ରିୟାରେ ସମସ୍ତ ନିୟମ ପାଳନ ହୋଇଛି କି ନାହିଁ, ରେକର୍ଡ ହିସାବରେ ସମିତିକୁ ଆସିଥିବା ସାରର ପରିମାଣ, ସାର ବଣ୍ଟନ ହୋଇଥିବା ଚାଷୀଙ୍କ ସଂଖ୍ୟା ଏବଂ ମହଜୁଦ ଥିବା ସାରର ପରିମାଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଆଲୋଚନା ହେଉଛି।
ସୂଚନା ଯୋଗ୍ୟ, ଚାଷୀଙ୍କ ଅଭିଯୋଗ ଅନୁସାରେ, ସମିତିରୁ ଦିନରେ ଆବଶ୍ୟକ ପରିମାଣର ସାର ମିଳୁ ନ ଥିବା ବେଳେ ରାତିରେ ସାର ବିକ୍ରି ପାଇଁ ଅନ୍ୟତ୍ର ଚାଲାଣ ହେଉଛି l ଦିନରେ ସାର ପାଇଁ ସମିତିକୁ ଆସି ଅପେକ୍ଷା କରୁଥିବା ଚାଷୀମାନେ ଅନେକ ସମୟରେ ନିରାଶ ହୋଇ ଘରକୁ ଫେରୁଛନ୍ତି l ଚାଷୀଙ୍କୁ ସାର ପ୍ରଦାନରେ ନିର୍ଦ୍ଧାରିତ ନିୟମ ପାଳନ କରାଯିବା, ଯୋଗ୍ୟ ଚାଷୀଙ୍କୁ ଆବଶ୍ୟକତା ଅନୁସାରେ ସାର ଯୋଗାଇ ଦିଆଯିବା, ସମିତିକୁ ଆସୁଥିବା ସାରର ପରିମାଣ ସମ୍ପର୍କିତ ସୂଚନା, ବିଭିନ୍ନ ଚାଷୀଙ୍କୁ ପ୍ରଦାନ କରାଯାଉଥିବା ସାରର ପରିମାଣ ତାଲିକା ସାର୍ବଜନୀନ କରାଯିବାକୁ ଚାଷୀମାନେ ଦାବି କରିଛନ୍ତି । ସାରର କଳାବଜାରୀ ଓ ଅନିୟମିତତା ରୋକିବା ପାଇଁ ପ୍ରଶାସନ ଏବଂ ସମବାୟ ବିଭାଗ ଉପଯୁକ୍ତ ପଦକ୍ଷେପ ନେବା ସହ ନିରପେକ୍ଷ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

More Stories
ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ
୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି