ପ୍ରଗତି ମୈଦାନ ନିକଟରେ ଲାଇନ୍‌ଚ୍ୟୁତ ହେଲା ଲୋକାଲ୍‌ ଟ୍ରେନ୍‌ ଯାତ୍ରୀ ଭୟଭୀତ


ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରବିବାର ଇଏମ୍‌ୟୁ ଟ୍ରେନ୍‌ର ଏକ ବଗି ଲାଇନ୍‌ଚ୍ୟୁତ ହୋଇଛି। ଏହାକୁ ନେଇ ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ। ଖବର ପାଇ ରେଲେଓ୍ଵର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣା ଯୋଗୁ ଟ୍ରେନର ବଗି କ୍ଷତିଗ୍ରସ୍ତ ହୋଇଛି, ଯାହାଫଳରେ ଟ୍ରେନ ଛାଡ଼ିବାରେ ବିଳମ୍ବ ହେବ ବୋଲି କୁହାଯାଉଛି।ଏହି ଘଟଣା ପ୍ରଗତି ମୈଦାନରୁ ମାତ୍ର କିଛି କିଲୋମିଟର ଦୂରରେ ଘଟିଛି। ଏଠାରେ ଆସନ୍ତା ୯ ଏବଂ ୧୦ ତାରିଖରେ ଜି-୨୦ ସମ୍ମିଳନୀ ଆୟୋଜନ ହେବ। ରେଲେଓ୍ଵ ଡିସିପିଙ୍କ ଅନୁସାରେ, ଦିଲ୍ଲୀର ଭୈରୋ ମାର୍ଗ ନିକଟରେ ଲୋକାଲ୍‌ ଇଏମ୍‌ୟୁ ଟ୍ରେନ୍‌ର ବଗି ଲାଇନ୍‌ଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ କେହି ଯାତ୍ରୀ ଆହତ ହେବାର ସୂଚନା ନାହିଁ।ଖବର ମୁତାବକ, ବଗି ଲାଇନ୍‌ଚ୍ୟୁତ ହେବା କ୍ଷଣି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଟ୍ରେନ୍‌ ଅଟକିବା ମାତ୍ରେ ସମସ୍ତେ ନିଜ ନିଜ କୋଚ୍‌ରୁ ବାହାରି ଆସିଥିଲେ। ତେବେ ମରାମତି କାର୍ଯ୍ୟ ପାଇଁ ରେଲେଓ୍ଵର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହାଯାଉଛି ଯେ କିଛି ସମୟ ପରେ ଟ୍ରେନ୍‌ ପୁଣି ଯାତ୍ରା ଆରମ୍ଭ କରିବ।ସେପଟେ ଲୋକାଲ୍‌ ଟ୍ରେନ୍‌ର ବଗି ରେଳଧାରଣାରୁ କାହିଁକି ଖସିଲା, ତାହାର ତଦନ୍ତ କରାଯିବ। କହି ରଖୁଛୁ ଯେ ୯ ଏବଂ ୧୦ ତାରିଖରେ ଦିଲ୍ଲୀର ପ୍ରଗତି ମୈଦାନରେ ଜି-୨୦ ସମ୍ମିଳନୀ ଆୟୋଜନ ହେବ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଭଳି ସମୟରେ ପ୍ରଗତି ମୈଦାନରୁ ମାତ୍ର କିଛି କିଲୋମିଟର ଦୂରରେ ଟ୍ରେନ୍‌ ଲାଇନଚ୍ୟୁତ ହେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


error: Content is protected !!