September 12, 2026

Now Odisha

Now Odisha

ଚିକିତ୍ସା ବାହାନାରେ ଆସି ସଶସ୍ତ୍ର ଡକାୟତି ବନ୍ଧୁକ ମୁନରେ ଟଙ୍କା ଓ ସୁନା ଲୁଟ୍୍

Spread the love

ଚିକିତ୍ସା ବାହାନାରେ ଆସି ଘରେ ପଶି ଜଣେ ଅବସରପ୍ରାପ୍ତ ଫାର୍ମାସିଷ୍ଟଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି। ପରିବାର ଲୋକଙ୍କୁ ବନ୍ଧୁକ ଓ ଛୁରି ଦେଖାଇ ଆତଙ୍କିତ କରି ଟଙ୍କା ଓ ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ। କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ପଞ୍ଚାୟତର ଗୌଡ଼ଗୁଡ଼ା ଗ୍ରାମର ନରସିଂହ ସାହୁଙ୍କ ଘରେ କଳା କନା ବୁଲାଇଛନ୍ତି ଲୁଟେରା।ଦୁର୍ବୃତ୍ତମାନେ ପରିବାର ସଦସ୍ୟଙ୍କୁ ବାନ୍ଧି ନଗଦ ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କା ସମେତ ୭ରୁ ୮ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଗୌଡ଼ଗୁଡ଼ାସ୍ଥିତ ଆଇଇଏମ୍ କଲେଜ ନିକଟରେ ଅବସରପ୍ରାପ୍ତ ଫାର୍ମାସିଷ୍ଟ ନରସିଂହ ସାହୁ(୬୧) ପରିବାର ସହ ରହୁଛନ୍ତି। ସେ ନିଜ ଘରେ ଗ୍ରାମବାସୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥାନ୍ତି। ଅଭିଯୋଗ ଅନୁଯାୟୀ, ପ୍ରବଳ ବର୍ଷା ହେଉଥିବା ବେଳେ ଜଣେ ଯୁବକ ତାଙ୍କ ଘର କବାଟ ବାଡ଼େଇଥିଲା।

ତା’ର ଜଣେ ସାଙ୍ଗ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା କହି ତୁରନ୍ତ ଚିକିତ୍ସା କରିବାକୁ ନେହୁରା ହୋଇଥିଲା। ଏହାପରେ ଶ୍ରୀ ସାହୁ କବାଟ ଖୋଲିବା ମାତ୍ରେ ଅନ୍ୟ ଦୁଇ ଜଣ ଜଣେ ଯୁବକଙ୍କୁ ଧରି ତାଙ୍କ ଘର ଭିତରକୁ ପଶିଥିଲେ। ଶ୍ରୀ ସାହୁ ଔଷଧ ପ୍ରସ୍ତୁତ କରୁଥିବା ବେଳେ ହଠାତ୍‌ ଦୁର୍ବୃତ୍ତମାନେ ତାଙ୍କ ମୁହଁ ଜାବୁଡ଼ି ଧରିବା ସହ ହାତଗୋଡ଼ ବାନ୍ଧି ରଖିଥିଲେ। ଏହି ସମୟରେ ଅନ୍ୟ ଦୁଇ ଜଣ ଶୋଇବା ଘରକୁ ପଶି ଶ୍ରୀ ସାହୁଙ୍କ ପତ୍ନୀଙ୍କ ବେକରୁ ସୁନାହାର ଭିଡି ନେଇଥିଲେ।

ମହିଳା ଜଣକ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ଛୁରିରେ ଆଘାତ କରିଥିଲେ। ଏଥିସହ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିଲେ। ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ପରିବାର ଲୋକେ ଆଲମାରିର ଚାବି ଦେଇଥିଲେ। ଦୁର୍ବୃତ୍ତମାନେ ଆଲମାରିରୁ ୭ରୁ ୮ ଭରି ସୁନା ଅଳଙ୍କାର, ୮ ହଳ ଗୋଡ଼ ମୁଦି, ଗୋଟେ ହଳ ରୂପା ପାଉଁଜି ଏବଂ ନଗଦ ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଥିଲେ।

ପରେ ଏକ ବାଇକ୍‌ରେ ତିନି ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜୟପୁର ସଦର ଥାନାରେ କେଶ୍ ନଂ ୨୮୬/୨୬ରେ ମାମଲା ରୁଜୁ ହୋଇଛି। ଏସ୍‌ଆଇ ଡି.କେ. ବାରିକ ମାମଲାର ତଦନ୍ତ କରୁଛନ୍ତି। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଫିଙ୍ଗରପ୍ରିଣ୍ଟ ସମେତ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି। ଲୁଟେରାଙ୍କୁ ଧରିବା ପାଇଁ ଛାନଭିନ୍‌ ଜାରି ରହିଥିବା ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

error: Content is protected !!