ଅରବିନ୍ଦ ରବୀନ୍ଦ୍ରେର ଲହୋ ନମସ୍କାର


( ଅରବିନ୍ଦ, ରବୀନ୍ଦ୍ରର ଘେନ ନମସ୍କାର)

□ ରବୀନ୍ଦ୍ରନାଥ ଠାକୁର

■ ଅନୁବାଦ:ପ୍ରଦୀପ କୁମାର ରାୟଅନେକ ଦିନରୁ ଇଚ୍ଛା ଥିଲା ଅରବିନ୍ଦ ଘୋଷଙ୍କୁ ଦେଖିବି । ସେହି ଆକାଂକ୍ଷା ପୂର୍ଣ୍ଣ ହେଲା । ତାଙ୍କୁ ଦେଖି ମୋ ମନରେ ଯାହା ଜାଗିଥିଲା ସେହି କଥା ଲେଖିବାକୁ ଇଚ୍ଛା କରୁଅଛି।ଖ୍ରୀଷ୍ଟିଆନ ଶାସ୍ତ୍ରରେ କୁହାଯାଏ, ବାଣୀ ହିଁ ଆଦ୍ୟା ଶକ୍ତି । ସେହି ଶକ୍ତି ହିଁ ସୃଷ୍ଟିରୂପେ ପ୍ରକାଶ ପାଏ । ନବ ଯୁଗ ନବ ସୃଷ୍ଟି, ତାହା କେବେହେଲେ ପଞ୍ଜିକାର ତାରିଖର ଫର୍ଦ୍ଦରୁ ଓହ୍ଲାଇ ଆସେ ନାହିଁ । ଯେଉଁ ଯୁଗର ବାଣୀ ଚିନ୍ତାରେ, କର୍ମରେ ମନୁଷ୍ୟର ଚିତ୍ତକୁ ମୁକ୍ତିର ନୂତନ ପଥରେ ନେଇଯାଏ, ତାହାକୁ ହିଁ କହୁଁ ନବଯୁଗ ।ଆମମାନଙ୍କର ଶାସ୍ତ୍ରରେ ମନ୍ତ୍ରର ଆଦ୍ୟରେ ॐ , ଅନ୍ତ ରେ ମଧ୍ୟ ॐ । ଏହି ଶବ୍ଦ ଟିକୁ ହିଁ ପୂର୍ଣ୍ଣର ବାଣୀ କରିଥାଉ । ଏହି ବାଣୀ ସତ୍ୟର ଅୟମହଂ ଭୋ – କାଳର ଶଙ୍ଖ ଗହ୍ୱରରେ ଅସୀମର ନିଃଶ୍ବାସ ।ଫରାସୀ ରାଷ୍ଟ୍ର ବିପ୍ଳବ ର ବନ୍ୟା ଡାକି ଆଣି ଯେଉଁ ଯୁଗ ଅତଳ ଭାବସମୁଦ୍ରରୁ କଳନାଦରେ ଭାସି ଆସିଲା ତାହାକୁ ୟୁରୋପର ଏକ ନବଯୁଗ ବୋଲି କହିଥାଉ । ତାହାର କାରଣ ଏହା ନୁହେଁ, ସେଦିନ ଫ୍ରାନ୍ସରେ ଯେଉଁମାନେ ପୀଡ଼ିତ ସେମାନେ ପୀଡନକାରୀମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ ତାହାର କାରଣ ସେହି ଆଦିରେ ଥିଲା ବାଣୀ। ସେହି ବାଣୀ କେବଳ ମାତ୍ର ଫ୍ରାନ୍ସର ଆଶୁ ରାଷ୍ଟ୍ରୀୟ ପ୍ରୟୋଜନର ପଞ୍ଜୁରୀରେ ବନ୍ଧା ଖବରକାଗଜ ର ଖୋଳରେ ଘୋଡ଼ା ହୋଇଥିବା ସ୍କୁଲ ପୁସ୍ତକର ପାଠ ଘୋଷୁଥିବା ଶୁଆ ନୁହେଁ । ତାହା ଥିଲା ମୁକ୍ତପକ୍ଷ ଆକାଶବିହାରୀ ବାଣୀ ; ସକଳ ମଣିଷକୁ ହିଁ ପୂର୍ଣ୍ଣତର ମନୁଷ୍ୟତ୍ବ ଆଡ଼କୁ ସେହି ପଥ ନିର୍ଦ୍ଦେଶ କରି ଦେଇଥିଲା ।ଏକଦା ଇଟାଲୀ ର ଉତ୍ଥାନର ଦୂତ ଥିଲେ ମାଟସିନି, ଗାରିବାଲ୍‌ଡି । ସେମାନେ ଯେଉଁ ମନ୍ତ୍ର ବଳରେ ଇଟାଲୀ କୁ ଉଦ୍ଧାର କରିଥିଲେ ତାହା ଇଟାଲୀର ତତ୍କାଳୀନ ଶତ୍ରୁ ବିନାଶର ଦ୍ରୁତ ଫଳଦାୟକ ମାରଣ ଉଚ୍ଚାଟନ ପିଶାଚ ମନ୍ତ୍ର ନୁହେଁ, ସମସ୍ତ ମନୁଷ୍ୟଙ୍କର ନାଗପାଶ ମୋଚନର ତାହା ଗରୁଡ଼ ମନ୍ତ୍ର , ନାରାୟଣଙ୍କ ଆଶୀର୍ବାଦ ନେଇ ମର୍ତ୍ତ୍ୟରେ ଅବତୀର୍ଣ୍ଣ । ସେଥିପାଇଁ ତାହାକୁ ହିଁ ବାଣୀ ବୋଲି କହେ । ଆଙ୍ଗୁଠିର ଅଗ୍ରରେ ଯେଉଁ ସ୍ପର୍ଶବୋଧ ତାହା ଦ୍ବାରା ଅନ୍ଧକାରରେ ମନୁଷ୍ୟ ଘରର ପ୍ରୟୋଜନ ଚଳାଇ ନେଇ ପାରେ, ସେହି ସ୍ପର୍ଶବୋଧ ତାହାର ନିଜର । କିନ୍ତୁ ସୂର୍ଯ୍ୟ ର ଆଲୋକରେ ନିଖିଳର ଯେଉଁ ସ୍ପର୍ଶବୋଧ ଆକାଶରେ ଆକାଶରେ ବିସ୍ତୃତ, ତାହା ପ୍ରତ୍ୟେକ ପ୍ରୟୋଜନର ଉପଯୋଗୀ ଅଥଚ ପ୍ରତ୍ୟେକ ପ୍ରୟୋଜନର ଅତୀତ । ସେହି ଆଲୋକକୁ ହିଁ ବାଣୀର ରୂପକ ବୋଲି କହେ ।ବିଜ୍ଞାନ ଦିନେ ୟୁରୋପରେ ଯୁଗାନ୍ତର ଆଣିଥିଲା । କାହିଁକି…? ବସ୍ତୁ ଜଗତରେ ଶକ୍ତିର ସନ୍ଧାନ ଜଣାଇଥିଲା ବୋଲି ନୁହେଁ । ଜଗତ୍ ତତ୍ତ୍ଵ ସମ୍ବନ୍ଧରେ ଜ୍ଞାନର ଅନ୍ଧତା ଘୁଞ୍ଚି ଯାଇଥିଲା ବୋଲି । ବସ୍ତୁ ସତ୍ୟର ବିଶ୍ଵରୂପ ସ୍ବୀକାର କରିବା ପାଇଁ ସେଦିନ ମନୁଷ୍ୟ ପ୍ରାଣ ପର୍ଯ୍ୟନ୍ତ ଦେଇଛନ୍ତି । ଆଜି ବିଜ୍ଞାନ ସେହି ଯୁଗ ପାରି କରିଦେଇ ଆଉ ଏକ ନବତର ଯୁଗର ସମ୍ମୁଖରେ ମନୁଷ୍ୟକୁ ଛିଡ଼ା କରାଇଛି । ବସ୍ତୁରାଜ୍ୟର ଚରମ ସୀମାରେ ମୂଳ ତତ୍ତ୍ଵର ଦ୍ଵାରରେ ତାହାର ରଥ ଆସିଲା। ସେଠାରେ ସୃଷ୍ଟିର ଆଦି ବାଣୀ । ପ୍ରାଚୀନ ଭାରତରେ ମନୁଷ୍ୟର ମନ କର୍ମକାଣ୍ଡ ରୁ ଯେମିତି ଜ୍ଞାନକାଣ୍ଡକୁ ଆସିଲା, ସଙ୍ଗେ ସଙ୍ଗେ ଆସିଲା ସୃଷ୍ଟିର ଯୁଗ । ମନୁଷ୍ୟର ଆଚାରକୁ ଲଙ୍ଘନ କରି ଆତ୍ମାକୁ ଡ଼ାକ ପଡ଼ିଲା । ସେହି ଆତ୍ମା ଯନ୍ତ୍ରଚାଳିତ କର୍ମର ବାହନ ନୁହେଁ , ଆପଣାର ମହିମାରେ ସେ ସୃଷ୍ଟି କରେ । ସେହି ଯୁଗରେ ମନୁଷ୍ୟର ଜାଗ୍ରତ ଚିତ୍ତ କହି ଉଠିଥିଲା, ଚିରନ୍ତନ ଭିତରେ ବଞ୍ଚି ଉଠିବା ହିଁ ହେଲା ବଞ୍ଚି ରହିବା, ତାହାର ବିପରୀତ ହିଁ ମହତୀ ବିନାଶ । ସେହି ଯୁଗର ବାଣୀ ଥିଲା -” ଯ ଏତଦ୍ବିଦୁରମୃତାସ୍ତେ ଭବନ୍ତି” । ଆଉ ଦିନେ ଭାରତରେ ଉଦ୍ବୋଧନର ବାଣୀ ଆସିଲା । ସମସ୍ତ ମନୁଷ୍ୟକୁ ଡକା ପଡ଼ିଲା – ବିଶେଷ ସଂକୀର୍ଣ୍ଣ ପରାମର୍ଶ ଦ୍ବାରା ନୁହେଁ , ଯେଉଁ ମୈତ୍ରୀ ମୁକ୍ତିର ପଥରେ ନେଇଯାଏ ତାହାର ହିଁ ବାଣୀ ସହିତ । ସେହି ବାଣୀ ମନୁଷ୍ୟର ଚିତ୍ତକୁ ତାହାର ସମଗ୍ର ଉଦ୍ବୋଧିତ ଶକ୍ତିଯୋଗେ ବିପୁଳ ସୃଷ୍ଟିରେ ପ୍ରବୃତ୍ତ କଲେ ।ବାଣୀ ତାହାକୁ ହିଁ କହିଥାଉ ଯାହା ମନୁଷ୍ୟର ଅନ୍ତରତମ ପରମ ଅବ୍ୟକ୍ତକୁ ବାହାରେ ଅଭିବ୍ୟକ୍ତି ଆଡ଼କୁ ଆହ୍ବାନ କରି ଆଣେ, ଯାହା ଉପସ୍ଥିତ ପ୍ରତ୍ୟକ୍ଷ ଠାରୁ ଅନାଗତ ପୂର୍ଣ୍ଣତାକୁ ବାସ୍ତବତର ସତ୍ୟ ବୋଲି ସପ୍ରମାଣ କରେ । ପ୍ରକୃତି ପଶୁକୁ ନିଚ୍ଛକ ଦିନମଜୁରୀ କରିବା ପାଇଁ ପ୍ରତ୍ୟହ ନିଯୁକ୍ତ କରି ରଖିଛି । ସୃଷ୍ଟିର ବାଣୀ ସେହି ସଂକୀର୍ଣ୍ଣ ଜୀବିକାର ଜଗତ ଠାରୁ ମନୁଷ୍ୟକୁ ଏଭଳି ଜୀବନଯାତ୍ରା ରୁ ଉଦ୍ଧାର କରିଦେଲେ ଯାହାର ଲକ୍ଷ୍ୟ ଉପସ୍ଥିତ କାଳକୁ ବିସ୍ତରି ଯାଏ । ମନୁଷ୍ୟର କାନରେ ବାଜିଲା — ତିଷ୍ଠି ରହିବାକୁ ହେବ, ଏକଥା ତୁମର ନୁହେଁ ; ତୁମକୁ ବଞ୍ଚି ରହିବାକୁ ହେବ, ତାହା ପାଇଁ ଯଦି ମରିବାକୁ ହୁଏ ତାହା ହିଁ ଭଲ । ପ୍ରାଣ ଯାପନର ବଦ୍ଧ ଗଣ୍ଡି ଭିତରେ ଯେଉଁ ଆଲୋକ ଜଳେ ତାହା ରାତ୍ରିର ଆଲୋକ, ତହିଁରେ ପଶୁ ମାନଙ୍କର କାମ ଚଳେ । କିନ୍ତୁ ମନୁଷ୍ୟ ନିଶାଚର ଜୀବ ନୁହେଁ ।ସମୁଦ୍ରମନ୍ଥନର ଦୁଃସାଧ୍ୟ କାର୍ଯ୍ୟରେ ବାଣୀ ମନୁଷ୍ୟକୁ ଡ଼ାକ ଦିଏ ତଳେ ଥିବା ରତ୍ନକୁ ତୀରକୁ ଆଣିବା କାର୍ଯ୍ୟରେ । ଏହା ଫଳରେ ବାହାରେ ସେ ଯେଉଁ ସିଦ୍ଧି ପାଏ ତାହାଠାରୁ ବଡ଼ ସିଦ୍ଧି ତାହାର ଅନ୍ତରରେ । ଏହା ଯେ ଦେବତାର କାର୍ଯ୍ୟରେ ସହଯୋଗୀତା । ଏଥିରେ ହିଁ ଆପଣାର ପ୍ରଚ୍ଛନ୍ନ ଦୈବ ଶକ୍ତି ଉପରେ ମନୁଷ୍ୟର ଶ୍ରଦ୍ଧା ଘଟେ । ଏହି ଶ୍ରଦ୍ଧା ହିଁ ନୂତନ ଯୁଗକୁ ମର୍ତ୍ତ୍ୟର ସୀମାରୁ କର୍ତ୍ତବ୍ୟ ଆଡ଼କୁ ଉଦ୍ଧାର କରି ନେଇଯାଏ । ଏହି ଶ୍ରଦ୍ଧାକୁ ନିଃସଂଶୟରେ ସ୍ପଷ୍ଟ ଭାବରେ ଦେଖାଯାଏ ତାହାରି ଭିତରେ, ଯାହାର ଆତ୍ମା ସ୍ବଚ୍ଛ ଜୀବନର ଆକାଶରେ ମୁକ୍ତ ମହିମାରେ ପ୍ରକାଶିତ । କେବଳ ମାତ୍ର ବୁଦ୍ଧି ନୁହେଁ , ଉପାୟ ନୁହେଁ, ଯାହାକୁ ଦେଖିଲେ ମନେହୁଏ ବାଣୀ ତାହାରି ଭିତରେ ମୂର୍ତ୍ତିମତୀ ।ଆଜି ଏହି ରୂପରେ ମନୁଷ୍ୟକୁ ଯେ ଏକାନ୍ତ ଇଚ୍ଛା କରେ ତାହାର କାରଣ, ଚାରିଦିଗରେ ଆଜି ମନୁଷ୍ୟ ଭିତରେ ଆତ୍ମ ଅବିଶ୍ବାସ ପ୍ରବଳ । ଏହି ଆତ୍ମ ଅବିଶ୍ବାସ ହିଁ ଆତ୍ମଘାତୀ । ତେଣୁ ରାଷ୍ଟ୍ରୀୟ ସ୍ବାର୍ଥବୁଦ୍ଧି ହିଁ ଆଜି ଆଉ ସକଳ ସାଧନାକୁ ପଛକୁ ଠେଲି ଦେଇଛି । ମନୁଷ୍ୟ ବସ୍ତୁର ସତ୍ୟକୁ ବିଚାର କରୁଛି । ଏଭଳି ଭାବରେ ଯେତେବେଳେ ସତ୍ୟ ହୁଏ ଉପଲକ୍ଷ, ଲକ୍ଷ୍ୟ ହୁଏ ଅନ୍ୟ କିଛି, ସେତେବେଳେ ବିଷୟର ଲୋଭ ଉଗ୍ର ହୋଇଉଠେ, ସେହି ଲୋଭର ଆଉ ଶେଷ ନ ଥାଏ । ବିଷୟସିଦ୍ଧିର ଅଧ୍ୟବସାୟରେ ବିଷୟବୁଦ୍ଧି ଆପଣାର ସାଧନାର ପଥ କୁ ଯେତେ ସଂକ୍ଷିପ୍ତ କରିପାରେ ସେତେ ତା’ର ବିଜୟ । କାରଣ, ତାହାର ପାଇବାଟା ହେଲା ସାଧନା ପଥର ଶେଷ ପ୍ରାନ୍ତରରେ । ସତ୍ୟର ସାଧନାରେ ସର୍ବକ୍ଷଣରେ ହିଁ ପାଇବା । ତାହା ଯେପରି ଗୀତ ପରି, ଗାଇବାର ଅନ୍ତ ପରେ ତାହା ଗୀତ ନୁହେଁ , ଗାଇବାର ସବୁକିଛି ଭିତରେ । ତାହା ଯେପରି ଫଳର ସୌନ୍ଦର୍ଯ୍ୟ, ମୂଳରୁ ଫୁଲର ସୌନ୍ଦର୍ଯ୍ୟ ଯାହାର ଭୂମିକା । କିନ୍ତୁ ଲୋଭର ପ୍ରବଳତାରେ ସତ୍ୟ ଯେତେବେଳେ ବିଷୟରର ବାହନ ହୋଇ ଉଠିଲା, ମହେନ୍ଦ୍ରକୁ ସେତେବେଳେ ଉଚ୍ଚେଃଶ୍ରବାର ସହିସଗିରିରେ ଭର୍ତ୍ତି କରାହେଲା, ସେତେବେଳେ ସାଧନାକୁ ଫାଙ୍କିଦେଇ , ସିଦ୍ଧିକୁ ସିନ୍ଧ ଖୋଳି ନେବାକୁ ଇଚ୍ଛା ହୁଏ , ସେଥିରେ ସତ୍ୟ ବିମୁଖ ହୁଏ , ସିଦ୍ଧି ହୁଏ ବିକୃତ ।ଦୀର୍ଘ ନିର୍ବାସନରେ ରହିବା ଫଳରେ ରାମଚନ୍ଦ୍ରଙ୍କର ଗୋଟିଏ ସାଧନା ପୂର୍ଣ୍ଣ ହୋଇଥିଲା । ଯେତେ ଦୁଃଖ ପାଇଛନ୍ତି ସେତେ ଗଭୀର ଭାବରେ ଉପଲବ୍ଧି କରିଛନ୍ତି ସୀତାଙ୍କର ପ୍ରେମ । ତାଙ୍କର ସେହି ଉପଲବ୍ଧି ନିବିଡ଼ ଭାବରେ ସାର୍ଥକ ହୋଇଥିଲା ଯେଉଁଦିନ ପ୍ରାଣପଣେ ଯୁଦ୍ଧ କରି ସୀତାଙ୍କୁ ରାବଣ କବଳରୁ ଉଦ୍ଧାର କରି ଆଣିଥିଲେ ।କିନ୍ତୁ ରାବଣ ଠାରୁ ବଡ଼ ଶତ୍ରୁ ଦେଖା ଦେଇଥିଲା ତାଙ୍କ ନିଜ ଭିତରେ । ରାଜ୍ୟକୁ ଫେରି ଆସିବା ପରେ ରାମଚନ୍ଦ୍ର ସୀତାଙ୍କ ମହିମାକୁ ରାଷ୍ଟ୍ରନୀତିର ଆଶୁ ପ୍ରୟୋଜନରେ ଖର୍ବ କରିବାକୁ ଚାହିଁଲେ – ତାଙ୍କୁ କହିଥିଲେ, ସର୍ବଜନ ସମ୍ମୁଖରେ ଅଗ୍ନି ପରୀକ୍ଷାରେ ଅନିତିକାଳରେ ତୁମର ସତ୍ୟର ପରିଚୟ ଦିଅ । କିନ୍ତୁ ଗୋଟିଏ ମୁହୂର୍ତ୍ତରେ ଯାଦୁର କୌଶଳରେ ସତ୍ୟର ପରୀକ୍ଷା ହୁଏ ନାହିଁ, ତାହାର ଅପମାନ ଘଟେ। ଦଶଜଣ ଯଦି ସତ୍ୟକୁ ସ୍ବୀକାର ନ କରନ୍ତି, ତେବେ ତାହା ଦଶଜଣଙ୍କର ହିଁ ଦୁର୍ଭାଗ୍ୟ, ସତ୍ୟକୁ ଯେ ସେହି ଦଶଜଣଙ୍କର କ୍ଷୁଦ୍ର ମନର ବିକୃତି ଅନୁସାରେ ଆପଣାର ଅସମ୍ମାନ କରିବାକୁ ହେବ ଏହା ଯେପରି ନ ଘଟେ । ସୀତା କହିଥିଲେ -” ମୁଁ ମୁହୂର୍ତ୍ତ କାଳର ଦାବି ମେଣ୍ଟାଇବାର ଅସମ୍ମାନ ମାନିବି ନାହିଁ, ଚିରକାଳ ପାଇଁ ବିଦାୟ ନେବି । ” ରାମଚନ୍ଦ୍ର ନିମିଷକ ମଧ୍ୟରେ ସିଦ୍ଧି ଚାହିଁଛନ୍ତି, ମୁହୂର୍ତ୍ତକରେ ସୀତାଙ୍କୁ ହରାଇଛନ୍ତି । ଇତିହାସର ଯେଉଁ ଉତ୍ତରକାଣ୍ଡରେ ଆମେ ପହଞ୍ଚିଛୁ, ସେହି କାଣ୍ଡରେ ଆମେ ଶୀଘ୍ର ଶୀଘ୍ର ଦଶଜଣଙ୍କର ମନଭୁଲାଣିଆ ସିଦ୍ଧିର ଲୋଭରେ ସତ୍ୟକୁ ହରାଇବାର ପାଲା ଆରମ୍ଭ କରିଛୁ ।ବନ୍ଧୁ କ୍ଷିତିମୋହନ ସେନ୍ ଙ୍କ ଦୁର୍ଲ୍ଲଭ ବାକ୍ୟରତ୍ନର ଝୁଲାମୁଣିରୁ ଦିନେ ଗୋଟିଏ ପୁରାତନ ବାଉଲ ଗୀତ ପାଇଥିଲି । ତାହାର ପ୍ରଥମ ଧାଡ଼ିଟି ମନେ ପଡେ”ନିଠୁର ଗରଜୀ, ତୁଇ କି ମାନସ ମୁକୁଲ ଭାଜବି ଆଗୁନେ !”ଯେଉଁ ମାନସ ମୁକୁଳର ବିକାଶ ସାଧନା ସାପେକ୍ଷ, ଦଶଜଣଙ୍କ ସାମ୍ନାରେ ଅଗ୍ନି ପରୀକ୍ଷାରେ ତାହାର ପରିଣତ ସତ୍ୟକୁ ଆଶୁକାଳର ଗରଜରେ ସପ୍ରମାଣ କରିବାକୁ ଚାହିଁଲେ ଆୟୋଜନର ଧୁମଧାମ ଓ ଉତ୍ତେଜନାଟା ରହିଯାଏ, କିନ୍ତୁ ତାହାର ପଶ୍ଚାତରେ ମାନସଟା ହିଁ ଅନ୍ତର୍ଦ୍ଧାନ ହୋଇଯାଏ ।ଏହି ଲୋଭର ଚାଞ୍ଚଲ୍ୟରେ ସର୍ଵତ୍ର ହିଁ ଯେତେବେଳେ ସତ୍ୟର ପୀଡନ ଚାଲିଛି ସେତେବେଳେ ଏହାର ବିରୁଦ୍ଧରେ ତର୍କ – ଯୁକ୍ତିକୁ ଛିଡ଼ା କରାଇ କୌଣସି ଫଳ ନାହିଁ ; ମନୁଷ୍ୟକୁ ଦରକାର ; ଯେଉଁ ମନୁଷ୍ୟ ବାଣୀର ଦୂତ, ସତ୍ୟ ସାଧନାରେ ସୁଦୀର୍ଘ କାଳରେ ମଧ୍ୟ ଯାହାର ଧୈର୍ଯ୍ୟଚ୍ୟୁତି ଘଟେ ନାହିଁ, ସାଧନା ପଥରେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସତ୍ୟକୁ ହିଁ ଅମୃତ ପାଥେୟ ଯାହାକୁ ଆନନ୍ଦିତ ରଖେ । ଆମେ ଏଭଳି ମନୁଷ୍ୟକୁ ଚାହୁଁ ଯିଏ ସର୍ବାଙ୍ଗୀନ ମନୁଷ୍ୟର ସମଗ୍ରତାକୁ ଶ୍ରଦ୍ଧା କରନ୍ତି । ଏକଥା ଆରମ୍ଭରୁ ହିଁ ମାନି ନେବାକୁ ହେବ, ଯେଉଁ ବିଧାତାଙ୍କର କୃପାବଶତଃ ହିଁ ସର୍ବାଙ୍ଗୀନ ମନୁଷ୍ୟଟି ସହଜ ନୁହେଁ, ମନୁଷ୍ୟ ଜଟିଳ । ତାହାର ବ୍ୟକ୍ତି ରୂପର ଅଙ୍ଗ ପ୍ରତ୍ୟଙ୍ଗ ବହୁ ବିଚିତ୍ର । କୌଣସି ବିଶେଷ ଅପ୍ରଶସ୍ତ ଆଦର୍ଶର ମାପ ଦ୍ବାରା ବାଛି ଏକତ୍ରିତ ଭାବରେ ତାହାକୁ ଅନେକ ଦୂର ବଢେଇ ଦିଆଯାଇ ପାରେ । ବୁଝାଇ କହିବାର ପରିଶ୍ରମ ଓ ବିଳମ୍ବକୁ ଖର୍ବ କରିଦେଇ ପାରିଲେ ମନର ଶକ୍ତି ବଢ଼ାଇବା ଅପେକ୍ଷା ମନର ବୋଝ ବଢ଼ାଇବା, ବିଦ୍ୟାଲାଭ ପରିବର୍ତ୍ତେ ଡିଗ୍ରୀ ଲାଭ ସହଜ ହୁଏ । ଜୀବନଯାତ୍ରା କୁ ଉପକରଣ ଶୂନ୍ୟ କରି ପାରିଲେ ତାହାର ବହନ ଭାର କମି ଆସେ । ତଥାପି ସହଜର ପ୍ରଲୋଭନରେ ସବୁଠାରୁ ବଡ଼ କଥାଟିକୁ ଭୁଲିଗଲେ ଚଳିବ ନାହିଁ ଯେ ଆମେମାନେ ମନୁଷ୍ୟ, ଆମେମାନେ ସହଜ ନୋହୁଁ ।ତିବ୍ବତରେ ମନ୍ତ୍ରଜପର ଘୂର୍ଣିଚକ୍ର ଅଛି । ଏହା ଭିତରେ ମନୁଷ୍ୟ ପ୍ରତି ଅଶ୍ରଦ୍ଧା ପ୍ରକାଶ ପାଏ ବୋଲି ଆମମାନଙ୍କ ମନରେ ଅବଜ୍ଞା ଆସେ । ପ୍ରକୃତ ମନ୍ତ୍ରଜପ ଆଦୌ ସହଜ ନୁହେଁ । ତାହା କେବଳ ମାତ୍ର ଆଚାର ନୁହେଁ , ତାହା ସହିତ ରହିଛି ଚିତ୍ତ, ଅଛି ଇଚ୍ଛାଶକ୍ତିର ଏକାଗ୍ରତା । ହିତୈଷୀ ଆସି କହିଲେ – ସାଧାରଣ ମନୁଷ୍ୟର ଚିତ୍ତ ଅଳସ, ଇଚ୍ଛାଶକ୍ତି ଦୁର୍ବଳ, ଅତଏବ ମନ୍ତ୍ରଜପକୁ ସହଜ କରିବା ପ୍ରୟାସରେ ସେହି ଶୁଷ୍କ ଅଂଶତକ ବାଦ୍ ଦିଆଯାଉ – କିଛି ନ ଭାବି ନ ବୁଝି ଶବ୍ଦ ଉଚ୍ଚାରଣ କଲେ ହିଁ ସାଧାରଣ ପକ୍ଷରେ ଯଥେଷ୍ଟ । ସଜୀବ ଛାପାଖାନା ପରି ପ୍ରତ୍ୟହ କାଗଜରେ ହଜାରେ ଥର ନାମ ଲେଖିଲେ ହିଁ ଉଦ୍ଧାର । କିନ୍ତୁ ସହଜ କରିବା ଭିତରେ ଯଦି ବିଶେଷ ଗୁଣ ଥାଏ ତେବେ ଆହୁରି ସହଜ କରିବା ନାହିଁ କାହିଁକି ? ଚିତ୍ତ ଅପେକ୍ଷା ପାଟି ବେଗରେ ଚାଲେ, ପାଟି ଅପେକ୍ଷା ବେଗରେ ଚକ , ଅତଏବ ଚକ ଚାଲୁ, ଚିତ୍ତ ମରୁ ।କିନ୍ତୁ ମନୁଷ୍ୟର ପନ୍ଥା ସମ୍ବନ୍ଧରେ ଯେଉଁ ଗୁରୁ କହନ୍ତି – ” ଦୁର୍ଗଂ ପଥସ୍ତତ୍ ” ତାଙ୍କୁ ନମସ୍କାର କରେ । ଚରିତାର୍ଥତାର ପଥରେ ମନୁଷ୍ୟର ସକଳ ଶକ୍ତିକୁ ହିଁ ଆମେ ଦାବି କରିବା । ବହୁଳତା ପଦାର୍ଥଟି ହିଁ ମନ୍ଦ, ଏହି ମତର ଖାତିରରେ କୁହାଯାଇପାରେ ଯେ, ଭେଳା ଜିନିଷଟା ହିଁ ଭଲ, ନୌକାଟା ବର୍ଜନୀୟ । ଏକଦା ଅତ୍ୟନ୍ତ ସାଧାରଣ ଭେଳାରେ ଅତ୍ୟନ୍ତ ସାଧାରଣ କାର୍ଯ୍ୟ ହେଉଥିଲା । କିନ୍ତୁ ମନୁଷ୍ୟ ରହି ପାରିଲା ନାହିଁ, କାରଣ ସେ ସାଧାରଣ ନୁହେଁ । କୌଣସି ଭାବରେ ସ୍ରୋତ ଉପରେ ଭରସା କରି ନିଜର କାର୍ଯ୍ୟ ସଂକ୍ଷେପରେ କରିବାକୁ ତା’ର ଲଜ୍ଜା । ବୁଦ୍ଧି ବ୍ୟସ୍ତ ହୋଇ ଉଠିଲା, ନୌକାରେ ଲଙ୍ଗର ଲଗାଇଲା, ଆହୁଲା ତିଆରି କଲା , ପାଲ ବାନ୍ଧିଲା , ଲମ୍ବା ବାଉଁଶର କାତ ବାଛି ଆଣିଲା , ପାଲ ଟାଣିବା ପାଇଁ ଉପାୟ କଲା , ନୌକା ଉପରେ ତାହାର କର୍ତୃତ୍ବ ନାନାଗୁଣରେ ନାନା ଦିଗରେ ବଢ଼ିଗଲା, ନୌକାର କାର୍ଯ୍ୟ ମଧ୍ୟ ପୂର୍ବ ଅପେକ୍ଷା ହେଲା ଅନେକ ଅଧିକ ଓ ଅନେକ ବିଚିତ୍ର । ଅର୍ଥାତ୍ ମନୁଷ୍ୟର ତିଆରି ନୌକା ମାନବ ପ୍ରକୃତିର ଜଟିଳତାର ପରିଚୟରେ କେବଳ ହିଁ ଆଗେଇ ଚାଲିଲା । ଆଜି ଯଦି କହିବି ନୌକା ଛାଡି ଦେଇ ଭେଳା କୁ ଫେରି ଗଲେ ଅନେକ ଦାୟ ବଞ୍ଚିଯିବ, ତେବେ ତାହାର ଉତ୍ତରରେ କହିବାକୁ ହେବ ମନୁଷ୍ୟତ୍ବର ଦାୟ ମନୁଷ୍ୟକୁ ବହନ କରିବା ଉଚିତ୍ । ମନୁଷ୍ୟର ବହୁଧା ଶକ୍ତି, ସେହି ଶକ୍ତିର ଯୋଗରେ ନିହିତାର୍ଥକୁ କେବଳ ହିଁ ଉଦ୍ଘାଟିତ କରିବାକୁ ହେବ – ମନୁଷ୍ୟ କୋଉଠି ହେଲେ ଅଟକି ପାରିବ ନାହିଁ । ମନୁଷ୍ୟ ପକ୍ଷରେ ” ନାଳ୍ପେସୁଖମସ୍ତି ” । ଆଧିକ୍ୟକୁ ବାଦ୍ ଦେଇ ସହଜ କରିବା ମନୁଷ୍ୟର ନୁହେଁ, ସମସ୍ତକୁ ନେଇ ସାମଞ୍ଜସ୍ୟ କରିବା ହିଁ ତାହାର । କଳକାରଖାନା ର ଯୁଗରେ ବ୍ୟବସାୟରୁ ସୌନ୍ଦରଯ୍ୟବୋଧକୁ ବାଦ୍ ଦେଇ ଜିନିଷଟାକୁ ସେହି ପରିମାଣରେ ସହଜ କରିଛି, ତହିଁରେ ହିଁ ମୁନାଫା ର ବୁଭୁକ୍ଷା କୁଶ୍ରୀତତାରେ ଦାନବୀୟ ହୋଇ ଉଠିଲା । ଅପରପକ୍ଷରେ ପ୍ରାଚୀନ କାଳର ହଳ ଲଙ୍ଗଳ , ଢେଙ୍କି ଇତ୍ୟାଦିରୁ ବିଜ୍ଞାନକୁ ଚାଂଛି ପୋଛି ଦେବାରୁ ସେଗୁଡିକ ସହଜ ହୋଇଛି, ସେହି ପରିମାଣରେ ଏମାନଙ୍କର ଆଶ୍ରିତ ଜୀବିକା ଅପଟୁତାରେ ସ୍ଥାବର ହୋଇ ରହିଲା, ବଢିଲା ନାହିଁ, ଆଗେଇଲା ନାହିଁ, ଲଡବଡ ହେଉ ହେଉ କୌଣସି ଭାବରେ ତିଷ୍ଠି ରହେ । ତାପରେ ଶକ୍ତ ହାତର ମାଡ଼ ଖାଇ ମରେ । ପ୍ରକୃତି ପଶୁକୁ ହିଁ ସହଜ କରିଛି, ତ’ପାଇଁ ସ୍ବଳ୍ପତା, ମନୁଷ୍ୟକୁ କରିଛି ଜଟିଳ, ତା ପାଇଁ ପୂର୍ଣ୍ଣତା । ପହଁରିବାକୁ ସହଜ କରିବାକୁ ହୁଏ ବିଚିତ୍ର ହାତ ଗୋଡ଼ ହଲାଇବାର ସାମଞ୍ଜସ୍ୟ ଘଟାଇ ; ଆଣ୍ଠୁଏ ଗଭୀର ଜଳରେ କାଦୁଅ ଭିତରେ ଲଟପଟ ହୋଇ ହାତ ଗୋଡ ଛାଟି ଆଦୌ ନୁହେଁ । ଧନର ଆଡ଼ମ୍ବର ରୁ ଗୁରୁ ଆମମାନଙ୍କୁ ରକ୍ଷା କରନ୍ତି, ଦାରିଦ୍ର୍ୟର ସଂକୀର୍ଣ୍ଣତା ଭିତରେ ଘେରି ଦେଇ ନୁହେଁ, ଐଶ୍ବର୍ଯ୍ୟର ଅପ୍ରମତ୍ତ ପୂର୍ଣତାରେ ମନୁଷ୍ୟର ଗୌରବ ବୋଧକୁ ଜାଗ୍ରତ କରି ।ଏସବୁ କଥା ଭାବୁଛି ଏତିକିବେଳେ ଆମର ଫରାସୀ ଜାହାଜ ଆସି ପହଞ୍ଚିଲା ପଣ୍ଡିଚେରୀ ବନ୍ଦରରେ । ଭଙ୍ଗା ଶରୀର ନେଇ ଯଥେଷ୍ଟ କଷ୍ଟ କରି ଓହ୍ଲାଇବାକୁ ପଡ଼ିଲା , ହେଉ , ଅରବିନ୍ଦ ଘୋଷଙ୍କ ସହିତ ଦେଖା ହୋଇଛି । ପ୍ରଥମ ଦୃଷ୍ଟିରେ ହିଁ ବୁଝି ପାରିଲି – ଇଏ ଆତ୍ମାକୁ ହିଁ ସବୁଠାରୁ ସତ୍ୟ ଭାବରେ ଚାହିଁଛନ୍ତି, ସତ୍ୟ ଭାବରେ ପାଇଛନ୍ତି ମଧ୍ୟ । ତାହା ତାଙ୍କର ଦୀର୍ଘ ତପସ୍ୟାର ଚାହିଁବା ଓ ପାଇବା ଦ୍ବାରା ତାଙ୍କର ସତ୍ତା ଓତଃପ୍ରୋତ । ମୋର ମନ କହିଲା ଅରବିନ୍ଦ ତାଙ୍କର ଅନ୍ତରର ଆଲୋକ ଦେଇ ହିଁ ବାହାରେ ଆଲୋକ ଜଳାଇବେ । ବେଶି କଥାବାର୍ତ୍ତା ହେବା ପାଇଁ ସମୟ ନ ଥିଲା । ଅଳ୍ପ ସମୟ ଥିଲି । ତାହାରି ଭିତରେ ମନେ ହେଲା , ତାଙ୍କ ଭିତରେ ସହଜ ପ୍ରେରଣା ଶକ୍ତି ପୁଞ୍ଜିତ । କୌଣସି ଖର – ଦସ୍ତୁର ମତର ଉପଦେବତାର ନୈବେଦ୍ୟ ରୂପେ ସତ୍ୟର ଉପଲବ୍ଧି କୁ ସେ କ୍ଲିଷ୍ଟ ଓ ଖର୍ବ କରିନାହାଁନ୍ତି । ତେଣୁ ତାଙ୍କ ମୁଖଶ୍ରୀରେ ଏଭଳି ସୌନ୍ଦର୍ଯ୍ୟମୟ ଶାନ୍ତିର ଉଜ୍ବଳ ଆଭା । ମଧ୍ୟ ଯୁଗର ଖ୍ରୀଷ୍ଟିଆନ ସନ୍ନ୍ୟାସୀଙ୍କ ପାଖରୁ ଦୀକ୍ଷା ନେଇ ସେ ଜୀବନକୁ ରିକ୍ତ ଶୁଷ୍କ କରିବାକୁ ଚରିତାର୍ଥତା କହି ନାହାଁନ୍ତି ‌ ଆପଣା ଭିତରେ ୠଷି ପିତାମହଙ୍କର ଏହି ବାଣୀ ଅନୁଭବ କରିଛନ୍ତି , ଯୁକ୍ତାତ୍ମାନଃ ସର୍ବ ମେ ବାବିଶାନ୍ତି । ପରିପୂର୍ଣ୍ଣର ଯୋଗରେ ସମସ୍ତଙ୍କ ଭିତରେ ପ୍ରବେଶାଧିକାର ଆତ୍ମାର ଶ୍ରେଷ୍ଠ ଅଧିକାର । ମୁଁ ତାଙ୍କୁ କହି ଆସିଲି – ଆତ୍ମାର ବାଣୀ ବହନ କରି ଆପଣ ଆମମାନଙ୍କ ଭିତରେ ପ୍ରକାଶିତ ହେବେ ଏହି ଅପେକ୍ଷାରେ ରହିବି । ସେହି ବାଣୀରେ ଭାରତର ନିମନ୍ତ୍ରଣ ବାଜିବ, ଶୃଣ୍‌ବସ୍ତୁ ବିଶ୍ବେ ।ପ୍ରଥମ ତପୋବନରେ ଶକୁନ୍ତଳାର ଉଦ୍ବୋଧନ ହୋଇଥିଲା ଯୌବନର ଅଭିଘାତରେ, ପ୍ରାଣର ଚାଞ୍ଚଲ୍ୟରେ । ଦ୍ବିତୀୟ ତପୋବନରେ ତାହାର ବିକାଶ ହୋଇଥିଲା ଆତ୍ମାର ଶାନ୍ତିରେ । ଅରବିନ୍ଦ ଙ୍କୁ ତାଙ୍କର ଯୌବନରେ କ୍ଷୁବ୍ଧ ଆନ୍ଦୋଳନ ଭିତରେ ଯେଉଁ ତପସ୍ୟାର ଆସନରେ ଦେଖିଥିଲି ସେଠାରେ ତାଙ୍କୁ ଜଣାଇଛି —” ଅରବିନ୍ଦ, ରବୀନ୍ଦ୍ରେର ଲହୋ ନମସ୍କାର ” ।ଆଜି ତାଙ୍କୁ ଦେଖିଲି ତାଙ୍କର ଦ୍ବିତୀୟ ତପସ୍ୟାର ଆସନରେ, ଅପ୍ରଗଳ୍ଭ ସ୍ତବ୍ଧତାରେ – ଆଜି ମଧ୍ୟ ତାଙ୍କୁ ମନେ ମନେ କହି ଆସିଲ”ଅରବିନ୍ଦ, ରବୀନ୍ଦ୍ରେର ଲହୋ ନମସ୍କାର “

● (୧) ୧୯୨୮ ମସିହା, ମେ ୨୯ ତାରିଖ ଦିନ ଋଷି ଅରବିନ୍ଦଙ୍କ ସହିତ ସାକ୍ଷାତ କରିବାକୁ ଯାଇ ପଣ୍ଡିଚେରୀ ବନ୍ଦରରେ ରବୀନ୍ଦ୍ରନାଥ ଜାହାଜରୁ ଓହ୍ଲାଇବା ସମୟରେ ।

■ (୨)ଶ୍ରୀଅରବିନ୍ଦ ଏବଂ ରବୀନ୍ଦ୍ରନାଥ ।


error: Content is protected !!