ପଲିଥିନ ବ୍ୟାନ୍ ପ୍ରହସନ ପାଲଟିଛି


ଜଗତ୍‌ସିଂହପୁର,୪ା୯ : ପଲିଥିନର ବହୁଳ ବ୍ୟବହାର ପରିବେଶ ଉପରେ କୁପ୍ରଭାବ ପକାଉଛି। ଏଗୁଡ଼ିକ ବର୍ଷ ବର୍ଷ ଧରି ନଷ୍ଟ ନ ହୋଇ ପଡ଼ିରହିବାରୁ ଅନେକ ସମସ୍ୟା ସୃଷ୍ଟି କରୁଛି। ତେଣୁ ପଲିଥିନ ବ୍ୟାନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ୨୦୧୯ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ସରକାର ପଲିଥିନ ବିକ୍ରି ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇଛନ୍ତି। କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶନାମା ଜଗତ୍‌ସିଂହପୁର ଜିଲାରେ ପ୍ରହସନ ପାଲଟିଛି। ବିଭିନ୍ନ ଦୋକାନ, ବଜାରରେ ପଲିଥିନ୍‌ ଖୁଲମଖୁଲା ବିକ୍ରି ଚାଲିଛି। ଇତିମଧ୍ୟରେ ଉପରଠାଉରିଆ ଭାବେ କାଁ ଭାଁ ଜିଲାର ବିଭିନ୍ନ ସ୍ଥାନ ବିଶେଷକରି ଜଗତ୍‌ସିଂହପୁର ଓ ପାରାଦୀପ ପୌରାଞ୍ଚଳରେ ଚଢ଼ାଉ କରାଯାଉଛି। ମାତ୍ର ଏହା କେବଳ ଔପଚାରିକତା ପୂରଣ ପାଇଁ ବୋଲି ଅଭିଯୋଗ ହେଉଛି।ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୧୯ ସେପ୍ଟେମ୍ବର ୩୦ରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ ଉଲ୍ଲେଖ ଥିଲା, ଯେଉଁ ପଲିଥିନ୍‌ଗୁଡିକ ଠିକ୍‌ ଭାବେ ନଷ୍ଟ ଅର୍ଥାତ୍‌ ଖତ ହୋଇପାରୁଛି ସେଗୁଡିକ ବ୍ୟବହାର ଉପଯୋଗୀ। ଅବଶିଷ୍ଟ ପଲିଥିନ ବ୍ୟବହାର ଉପଯୋଗୀ ନୁହେଁ। ତେଣୁ ଏହି ପଲିଥିନ୍‌ଗୁଡିକର ଉତ୍ପାଦନ ହୋଇପାରିବ ନାହିଁ। ଯଦି କେଉଁଠି ରହିଯାଇଥିବ ତେବେ ତାହା କିଣା ବିକା ହୋଇପାରିବ ନାହିଁ । ଅର୍ଥାତ୍‌ ଏହି ପଲିଥିନ ଉପରେ ଅଙ୍କୁଶ ଲଗାଗଲା। ଏପରି କି ପ୍ଲାଷ୍ଟିକ ଥାଳି, ଚାମଚ, ଗିନା, କପ୍‌, ପ୍ଲେଟ୍‌, ଗ୍ଲାସ୍‌ ଆଦି ମଧ୍ୟ ବ୍ୟବହାର ହୋଇପାରିବ ନାହିଁ । ଯେଉଁ ପଲିଥିନ୍‌ର ସ୍ଥଳତା (ଥିକ୍‌ନେସ୍‌) ୫୦ ମାଇକ୍ରୋନ୍‌ ତଳକୁ ଥିବ ତାହା ବ୍ୟବହାର ଉପଯୋଗୀ ନୁହେଁ। କେବଳ କ୍ଷୀର କିମ୍ବା ଅନ୍ୟ ଔଷଧୀୟ ସାମଗ୍ରୀ ରଖିବା ପାଇଁ ଉପଯୁକ୍ତ ମାନର ପଲିଥିନ୍‌ ବ୍ୟବହାର କରାଯାଇପାରେ। ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଥିଲେ ସୁଦ୍ଧା ଜିଲାରେ ଏହା ପାଳନ କରାଯାଉନାହିଁ। ବିଶେଷକରି ଜିଲା ମୁଖ୍ୟାଳୟ ଜଗତ୍‌ସିଂହପୁର ଓ ପାରାଦୀପ ସହରରେ ଅବାଧରେ ପଲିଥିନ ବିକ୍ରି ଚାଲିଛି। ପାନ ଦୋକାନ, ରାଶନ, ଷ୍ଟେଶନାରି ଓ ଜଳଖିଆ ଆଦି ଦୋକାନରେ ପଲିଥିନ୍‌ କାରବାର ଖୋଲାଖୋଲି ଚାଲିଛି। ଧୀରେ ଧୀରେ ପୂର୍ବପରି ପଲିଥିନ୍‌ ବ୍ୟବହାର ହେବାରେ ଲାଗିଛି। ବଡ କଥା ହେଲା ଜିଲାରେ ପଲିଥିନ୍‌ ଉତ୍ପାଦନ ହେଉନାହିଁ। କଟକରୁ ପ୍ରାୟତଃ ପଲିଥିନ୍‌ ଆସୁଛି। ଅନ୍ୟପକ୍ଷରେ ଜିଲାର ଜଗତ୍‌ସିଂହପୁର ଓ ପାରାଦୀପ ପୌର ପରିଷଦ ପକ୍ଷରୁ ପଲିଥିନ୍‌ ବନ୍ଦ ପାଇଁ ଏନ୍‌ଫୋର୍ସମେଣ୍ଟ କମିଟି ଗଠନ କରାଯାଇଥିଲା। କିନ୍ତୁ କମିଟି ପକ୍ଷରୁ ଆଶାନୁରୂପ ଚଢ଼ାଉ କରାଯାଉ ନ ଥିବାରୁ ପଲିଥିନ୍‌ ପୂର୍ବପରି ବ୍ୟବହୃତ ହେଉଛି। ଯେତେବେଳେ ଅଭିଯୋଗ ହେଉଛି, ସେତେବେଳେ ଉଭୟ ପରିଷଦ ଚେଇଁ ଉଠୁଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ କହିଛନ୍ତି,ପଲିଥିନ ବ୍ୟାନ କଡ଼ାକଡି ଭାବେ ପାଳନ ପାଇଁ ବିଭାଗୀୟ ପତ୍ର ହସ୍ତଗତ ହୋଇଛି। ତେଣୁ ଚଢ଼ାଉ ଜୋରଦାର କରାଯିବ।


error: Content is protected !!