September 19, 2026

Now Odisha

Now Odisha

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

Spread the love

ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି।
​ସୂଚନା ଅନୁଯାୟୀ, ଆଜି ସକାଳେ ଖାଦ୍ୟ ଓ ପାଣି ଅନ୍ୱେଷଣରେ ଆସିଥିବା ଦୁଇଟି ହାତୀ କଲ୍ୟାଣୀ ନଦୀ କୂଳସ୍ଥ ଏକ ବଡ଼ ଖାଲ ମଧ୍ୟରେ ଆଶ୍ରୟ ନେଇଥିଲେ। ପରେ ହାତୀ ଦ୍ୱୟ ନିକଟସ୍ଥ ହାଲୁକା ଜଙ୍ଗଲ ଓ ପାହାଡ଼ରେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ହାତୀ ଗାଁ ମଧ୍ୟକୁ ପ୍ରବେଶ କରିବା ଆଶଙ୍କା କରି ଗ୍ରାମବାସୀମାନେ ପାଟିତୁଣ୍ଡ କରି ସେମାନଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ।
​ଏ ସମ୍ପର୍କରେ ଖବର ପାଇ ବନପାଳ ବର୍ଖାରାଣୀ ପାତ୍ର, ବନରକ୍ଷୀ ତେଜସ୍ୱରୀ ସାହୁକାର, ଅନୁସ୍କା ପଣ୍ଡା, ପାରାଗାର୍ଡ ଓ ହାତୀ ସ୍କ୍ୱାର୍ଡ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଥିଲେ। ଦିନତମାମ ଉଦ୍ୟମ ପରେ ଅପରାହ୍ନ ପ୍ରାୟ ୩ଟା ବେଳେ ବନ ବିଭାଗ ଟିମ୍ ବାଣ ଫୁଟାଇ ହାତୀ ଦୁଇଟିକୁ ସେଠାରୁ ସୁରକ୍ଷିତ ଭାବେ ଘଉଡ଼ାଇବାରେ ସଫଳ ହୋଇଥିଲା। ବର୍ତ୍ତମାନ ହାତୀ ଦ୍ୱୟ ସେହି ସ୍ଥାନ ଛାଡ଼ି କଳାହାଣ୍ଡି ଅଭିମୁଖେ ଚାଲିଯାଇଥିବା ଜଣାପଡ଼ିଛି।

error: Content is protected !!