ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ପଟେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଷାଣ୍ମାସିକ ପରୀକ୍ଷା ଚାଲିଥିବା ବେଳେ ଅନ୍ୟପଟେ ଶିକ୍ଷା ବିଭାଗ ପକ୍ଷରୁ ଜିଲାସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଫଳରେ ଜିଲ୍ଲାସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା କେତେକ ଛାତ୍ରଛାତ୍ରୀ ଷାଣ୍ମାସିକ ପରୀକ୍ଷା ଦେଇପାରି ନ ଥିବା ଅଭିଯୋଗ ହୋଇଛି।
ବୀରମହାରାଜପୁର ବ୍ଲକର ୧୬ଟି କ୍ଲଷ୍ଟର ଅଧୀନ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାରଠାରୁ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହୋଇ ଗୁରୁବାର ଶେଷ ହେବ। ଏହି ବ୍ଲକରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୫,୩୮୮ ଜଣ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ୩,୯୧୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଅନ୍ୟପକ୍ଷରେ, ସୁବର୍ଣ୍ଣପୁର ଜିଲା ସଦରମହକୁମାସ୍ଥିତ ରାମେଶ୍ୱର ଷ୍ଟାଡିୟମରେ ତିନି ଦିନ ଧରି ଜିଲାସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସୋମବାର ସନ୍ଧ୍ୟାରେ ଏହାର ଉଦ୍ଘାଟନ ହୋଇଥିବା ବେଳେ ମଙ୍ଗଳବାର ଦୌଡ଼କୁଦ ଏବଂ ବୁଧବାର ଫୁଟବଲ ପ୍ରତିଯୋଗିତା ହୋଇଥିଲା। ଆଗାମୀ ଦିନରେ କବାଡି ଓ ଖୋ-ଖୋ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ। ବୀରମହାରାଜପୁର ବ୍ଲକରୁ ଜିଲ୍ଲାସ୍ତର ପାଇଁ ୨୪୦ ଜଣ ପ୍ରତିଯୋଗୀ ଚୟନ ହୋଇଥିବା ବେଳେ, ସେଥିମଧ୍ୟରୁ ୧୪ ବର୍ଷରୁ କମ୍ ବର୍ଗର ଅନେକ ଖେଳାଳି ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି। ଉଭୟ କାର୍ଯ୍ୟକ୍ରମ ଏକା ସମୟରେ ପଡ଼ିବାରୁ ଅନେକ ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।
ଏହି ବିଷୟକୁ ନେଇ ଅଞ୍ଚଳର ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବୀରମହାରାଜପୁର ଜୋନ୍-୧ ଜିଲା ପରିଷଦ ସଭ୍ୟ ଲବକୁମାର ସାହୁ କହିଛନ୍ତି ଯେ ପରୀକ୍ଷା ଓ କ୍ରୀଡ଼ା ଏକା ସମୟରେ ଆୟୋଜନ କରି ଶିକ୍ଷା ବିଭାଗ ପିଲାଙ୍କ ଭବିଷ୍ୟତ ସହ ଖେଳୁଛି। କ୍ରୀଡ଼ାରେ ଭାଗ ନେଉଥିବା ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ ହେଉଥିବାରୁ ଏହି ଦୁଇଟିରୁ ଯେକୌଣସି ଗୋଟିଏକୁ ଅନ୍ୟ ସମୟକୁ ଘୁଞ୍ଚାଇବାର ଆବଶ୍ୟକତା ଥିଲା। ସେହିପରି ଆଇନଜୀବୀ ଇଂ. ଆଶ୍ରୟ ମହାନନ୍ଦ କହିଛନ୍ତି ଯେ ଏହା ଶିକ୍ଷା ବିଭାଗର ସମନ୍ୱୟ ଅଭାବକୁ ସ୍ପଷ୍ଟ ଦର୍ଶାଉଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ କ୍ରୀଡ଼ା ପ୍ରତିଭାର ବିକାଶ ଜରୁରୀ, କିନ୍ତୁ ଏକା ସମୟରେ ଦୁଇଟିଯାକ ଆୟୋଜନ ହେବା ବିଲକୁଲ୍ ଉଚିତ ନୁହେଁ। ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲା ଶିକ୍ଷା ଅଧିକାରୀଙ୍କ ଦାୟିତ୍ୱରେ ଥିବା ଏଡିଇଓ (ADEO) ଘନଶ୍ୟାମ ମେହେରଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ, ସେ ଫୋନ୍ ଗ୍ରହଣ ନ କରିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।ଏନେଇ ବୀରମହାରାଜପୁର ଏବିଇଓ ବାର୍ଣ୍ଣା ଡୁଙ୍ଗଡୁଙ୍ଗ ଙ୍କୁ ପଚାରିବାରୁ ପରୀକ୍ଷା ହେଉଛି ନା ନାହିଁ ମୁଁ ସିଆରସିସି ମାନଙ୍କୁ ପଚାରି କହିବି ବୋଲି କହିଛନ୍ତି।

More Stories
ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ
ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?
ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ