October 4, 2026

Now Odisha

Now Odisha

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

Spread the love

କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡ଼ା ଫାଣ୍ଡି ଅଧିକାରୀ ପାର୍ତ୍ତ ଓରାମଙ୍କୁ ଶନିବାର ନିଲମ୍ବିତ କରାଯାଇଛି। କେନ୍ଦୁଝର ଏସ୍‌ପି ନିତିନ କୁଶଲକର ଦାଗୁଡୁ ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲାରେ ଏକ ହତ୍ୟାକାଣ୍ଡ ଏବଂ ସୁନାଚେନ୍ ଲୁଟ୍ ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଜିଲାର ସମସ୍ତ ସୀମାନ୍ତ ଓ ପ୍ରବେଶ ପଥରେ ଚେକିଂ ଏବଂ ନାକାବନ୍ଦୀ କଡ଼ାକଡ଼ି କରାଯାଇଥିଲା। ଏହି କ୍ରମରେ ସାହାରପଡ଼ା ଦେଓ ନଦୀ ପୋଲ ନିକଟରେ ଚେକିଂ ଦାୟିତ୍ୱରେ ଫାଣ୍ଡି ଅଧିକାରୀ ପାର୍ତ୍ତ ଓରାମଙ୍କୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନିୟୋଜିତ କରାଯାଇଥିଲା।

ତେବେ ଏସ୍‌ପି ନିତିନ କୁଶଲକର ଦାଗୁଡୁ ଏକ ସରକାରୀ କାର୍ଯ୍ୟ ସାରି କରଞ୍ଜିଆରୁ ଫେରୁଥିବା ବେଳେ ଦିନ ପ୍ରାୟ ୧ଟା ସମୟରେ ଉକ୍ତ ଯାଞ୍ଚ ପଏଣ୍ଟରେ ଫାଣ୍ଡି ଅଧିକାରୀ ଓରାମ ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ। ନିର୍ଦ୍ଧାରିତ ସମୟ ଶେଷ ହେବା ପୂର୍ବରୁ ସେ ଦାୟିତ୍ୱ ସ୍ଥାନ ଛାଡ଼ି ଚାଲିଯାଇଥିବା ପ୍ରମାଣିତ ହେବାରୁ ଏସ୍‌ପି ତୁରନ୍ତ ତାଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରିଛନ୍ତି।

error: Content is protected !!