October 4, 2026

Now Odisha

Now Odisha

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ

Spread the love

ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର ଜିଲାରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷେ ଜିଲାସ୍ତରରେ ୮୦୦ ମିଟର ଦୌଡ଼ରେ ଭାଗ ନେଇଥିବା ଖେଳାଳିଙ୍କୁ ମନୋନୟନରୁ ବାଦ ଦିଆଯିବା ଖେଳାଳି ଚୟନରେ ଅନିୟମିତତା ନେଇ ବଡ଼ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଗତ ସେପ୍ଟେମ୍ବର ୨୯ରେ ଜିଲାର ରାମେଶ୍ୱର ଷ୍ଟାଡିୟମଠାରେ ଜିଲାସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ୧୪ ବର୍ଷରୁ କମ୍‌ ଏବଂ ୧୭ ବର୍ଷରୁ କମ୍‌ ବାଳିକା ଓ ବାଳକା ବିଭାଗରେ ୧୦୦, ୨୦୦, ୪୦୦, ୮୦୦, ୧୫୦୦, ୩୦୦୦ ମିଟର ଦୌଡ଼କୁଦ ସହ ସଟ୍‌ଫୁଟ୍‌ ଥ୍ରୋ, ଡିସକସ ଥ୍ରୋ ଆଦି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଜିଲାର ସମସ୍ତ ବ୍ଲକରୁ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

ତେବେ ୧୭ ବର୍ଷରୁ କମ୍‌ ବାଳିକା ବିଭାଗର ୮୦୦ ମିଟର ଦୌଡ଼ ପାଇଁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିବା ଖେଳାଳିଙ୍କୁ ମନୋନୀତ ନ କରି ଅନ୍ୟ ଜଣେ ବାଳିକାଙ୍କୁ ରାଜ୍ୟସ୍ତରକୁ ପଠାଯାଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଖେଳାଳି ଜିଲାସ୍ତରୀୟ ପ୍ରତିଯୋଗିତାରେ ଦୌଡ଼କୁଦରେ ଭାଗ ନେଇ ନ ଥିବା ଖେଳାଳିମାନେ ପ୍ରକାଶ କରିଛନ୍ତି।

ଜିଲା ଶିକ୍ଷା ଅଧିକାରୀଙ୍କ ଚିଠି ନଂ ୫୧୪୫, ତାରିଖ ୩୦.୯.୨୦୨୬ ଅନୁଯାୟୀ, କେନ୍ଦୁଝରସ୍ଥିତ ଡିଡି ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ଜିଲାରୁ ୧୪ ଓ ୧୭ ବର୍ଷରୁ କମ୍‌ ବର୍ଗର ମୋଟ ୩୦ଜଣ ଖେଳାଳିଙ୍କୁ ପଠାଯାଇଛି।

ଏହି ସମ୍ପର୍କରେ ଜିଲା କ୍ରୀଡ଼ା ନିରୀକ୍ଷକ ବିଶ୍ୱନାଥ ବାଲାଜୀଙ୍କୁ ପଚାରିବାରୁ ସମ୍ପୃକ୍ତ ଛାତ୍ରୀ ଚଳିତ ବର୍ଷ ଜିଲାସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗିତାରେ ଆହତ ଥିବା ଯୋଗୁଁ ସେ ଅଂଶ ଗ୍ରହଣ କରିପାରି ନ ଥିଲେ। ମାତ୍ର ତାଙ୍କୁ ଗତ ବର୍ଷ ପ୍ରଦର୍ଶନର ରେକର୍ଡ ଆଧାରରେ ଚଳିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଚୟନ କରାଯାଇଥିବା କହିଛନ୍ତି। ଏନେଇ ଜିଲା ଭାରପ୍ରାପ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ।

error: Content is protected !!