ରାଜ୍ୟକୁ ପୁଣି ଫେରିବ ତାତି, କିଛି ସ୍ଥାନରେ ୪୭ ଡିଗ୍ରୀ ଛୁଇଁପାରେ ପାରଦ


ରାଜ୍ୟକୁ ପୁଣି ଫେରିବ ତାତି, କିଛି ସ୍ଥାନରେ ୪୭ ଡିଗ୍ରୀ ଛୁଇଁପାରେ ପାରଦ ରାଜ୍ୟକୁ ଆସନ୍ତା ୧୯ ତାରିଖରୁ ଫେରିବ ତାତି । ୨୧ରୁ ୨୩ ଯାଏ ଗ୍ରୀଷ୍ମପ୍ରବାହ ବହିବ। ଏହି ସମୟରେ ତାତି ଅସମ୍ଭାଳ ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅଧିକ ଅନୁଭୂତ ହେବ। ଟିଟିଲାଗଡ଼ରେ ତାତି ୪୭ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୧୯ରୁ ୨୪ ତାରିଖ ଯାଏ ତାତି ବଢ଼ିବ । କିନ୍ତୁ ୨୧ରୁ ୨୩ ଯାଏ ପ୍ରବଳ ତାତି ରହିବ। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅଧିକ ରହିବ । ସେ ସମୟରେ ଦେଶର ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଗରମ ପବନ ବହିବ । ସାମୁଦ୍ରିକ ପବନର ପ୍ରଭାବ ରହିବନି । ବର୍ଷାର ବି ସମ୍ଭାବନା ନାହିଁ । ଏଥିପାଇଁ ତାତି ବଢ଼ିବ ବୋଲି ସେ କହିଛନ୍ତି । ୨୫ ଓ ୨୬ରୁ ରାଜ୍ୟରେ ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି ।ପାଣିପାଗ ବିଭାଗ ଆକଳନ କରି କହିଛି, ଆସନ୍ତା ୪ ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ । ୧୯ରୁ ପ୍ରବଳ ଗରମ ଓ ଗୁଳଗୁଳି ଅନୁଭୂତ ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳଗୁଳି ରହିବ। ୨୦ରୁ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳେରେ ଗ୍ରୀଷ୍ମପ୍ରବାହ ବହିବ। ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୨୦ରେ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳର କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ବହିପାରେ । ୨୧ରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ୨୨ ଓ ୨୩ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।


error: Content is protected !!