ଥାନା ଅଧିକାରୀଙ୍କ ଠାରୁ ଏସିପି ନିଯୁକ୍ତି ଯାଏଁ ରାଜନୈତିକ ଚାପ ଅଭିଯୋଗପୋଲିସର ନିରପେକ୍ଷତା ନେଇ ଉଠିଲା ପ୍ରଶ୍ନ
ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ ଏବେ କମିଶନରେଟ୍ ପୋଲିସ ପାଇଁ ଏକ ବଡ଼ ଆହ୍ୱାନ ହୋଇଥିବା ବେଳେ ପୋଲିସ ଅଧିକାରୀଙ୍କ ପୋଷ୍ଟିଂକୁ ନେଇ ଉଠିଛି ଗୁରୁତର ପ୍ରଶ୍ନ । ଥାନା ଅଧିକାରୀଙ୍କଠାରୁ ଆରମ୍ଭ କରି ଏସିପି ପଦବୀ ପର୍ଯ୍ୟନ୍ତ ନିଯୁକ୍ତିରେ ରାଜନୈତିକ ସୁପାରିସ ଓ ପ୍ରଭାବ କାମ କରୁଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଛି ।
ଯଦି ଏହି ଅଭିଯୋଗରେ ସତ୍ୟତା ରହିଛି, ତେବେ ଏହାର ପ୍ରଭାବ ପୋଲିସ ବ୍ୟବସ୍ଥାର ନିରପେକ୍ଷତା ଓ ଅପରାଧ ନିୟନ୍ତ୍ରଣ ଉପରେ ପଡ଼ୁନାହିଁ ତ?
ବିଜେପି ସରକାର କ୍ଷମତାକୁ ଆସିବା ପରେ ଲୋକଙ୍କ ସୁବିଧା ଓ ସୁଯୋଗକୁ ପ୍ରାଥମିକତା ଦିଆଯାଉଛି । ଏହି କ୍ରମରେ ଲୋକଙ୍କ କଥା ବୁଝିବାକୁ ଯଦି ଆବଶ୍ୟକ ପଡେ, ତେବେ ସ୍ଥାନୀୟ ନେତାଙ୍କ ସୁପାରିଶରେ ଅଫସରଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ଆଧାର ରି କେତେକ କୁଜି ନେତା ନିଜର ଫାଇଦା ପାଇଁ ଥାନା-ଫାଣ୍ଡିରେ ଅବସ୍ଥାପିତ କରୁଛନ୍ତି । ଫଳରେ ଅପରାଧ ନିୟନ୍ତ୍ରଣରେ ଏହା ବାଧକ ସାଜୁଛି । କେତେକ କ୍ଷେତ୍ରରେ ଅପରିପକ୍ୱ ଓ ଅନଭିଜ୍ଞ ଅଫିସରଙ୍କ ଯୋଗୁଁ ତ ଆଉ କେତେକ ଜାଗାରେ ଚାପରେ ପଡି ପୋଲିସ ଅପରାଧୀଙ୍କୁ ସାବାଡ କରିବାରେ ବିଫଳ ହେଉଛି ।
ରାଜଧାନୀରେ ଚୋରି, ଲୁଟ୍, ଛିନତାଇ, ଠକେଇ ଓ ଅନ୍ୟାନ୍ୟ ଅପରାଧକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସୁରକ୍ଷା ଭାବନା ବଢ଼ୁଥିବା ଅଭିଯୋଗ ହେଉଛି । ଅପରାଧ ରୋକିବା ପାଇଁ ପୋଲିସର ନିୟମିତ ପାଟ୍ରୋଲିଂ, ଅପରାଧୀଙ୍କ ଉପରେ ନଜର ଏବଂ ତ୍ୱରିତ ତଦନ୍ତ ଜରୁରୀ । କିନ୍ତୁ ଏହା ସହିତ ଥାନା ସ୍ତରରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ମଧ୍ୟ ଅପରାଧ ନିୟନ୍ତ୍ରଣର ଏକ ପ୍ରମୁଖ ମାପଦଣ୍ଡ ହେବା ଆବଶ୍ୟକ ।
ପ୍ରଶ୍ନ ଉଠୁଛି, ଥାନା ଅଧିକାରୀଙ୍କ ପୋଷ୍ଟିଂ କ’ଣ ଅଭିଜ୍ଞତା, ଦକ୍ଷତା ଓ କାର୍ଯ୍ୟଦକ୍ଷତା ଆଧାରରେ ହେଉଛି, ନା ରାଜନୈତିକ ସୁପାରିସ ଏଥିରେ ପ୍ରଭାବ ପକାଉଛି? ଯଦି କୌଣସି ଅଧିକାରୀଙ୍କ ନିଯୁକ୍ତି ପଛରେ ରାଜନୈତିକ ଚାପ ରହୁଛି, ତେବେ ସେହି ଅଧିକାରୀ ନିଜ କାର୍ଯ୍ୟକାଳରେ ଆଇନ ଅନୁଯାୟୀ ନିରପେକ୍ଷ ଭାବେ କାମ କରିପାରିବେ ତ?
ଏପରିକି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ଓ ଅଭିଯୋଗର ନିରପେକ୍ଷ ଶୁଣାଣି କ୍ଷେତ୍ରରେ କୌଣସି ପ୍ରକାର ଚାପ କାମ କରୁଛି କି ନାହିଁ, ତାହା ମଧ୍ୟ ତଦନ୍ତସାପେକ୍ଷ । ପୋଲିସ ବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ ଥିବା ନେଇ ଯଦି ଅଭିଯୋଗ ରହିଛି, ତେବେ ଏହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ।
ଅନ୍ୟପକ୍ଷରେ, କେବଳ ପୋଷ୍ଟିଂକୁ ଅପରାଧ ବୃଦ୍ଧିର ଏକମାତ୍ର କାରଣ କୁହାଯାଇପାରିବ ନାହିଁ । ଅପରାଧୀଙ୍କ ସକ୍ରିୟତା, ତଦନ୍ତର ଗତି, ପୋଲିସ ବଳର ଅଭାବ, ଆଧୁନିକ ଅପରାଧର ଚ୍ୟାଲେଞ୍ଜ ଓ ଥାନାଗୁଡ଼ିକର କାର୍ଯ୍ୟଦକ୍ଷତା ମଧ୍ୟ ଏହାର କାରଣ ହୋଇପାରେ । ତେଣୁ ପୋଲିସ ଅଧିକାରୀଙ୍କ ପୋଷ୍ଟିଂ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଦକ୍ଷତାଭିତ୍ତିକ କରିବା ଜରୁରୀ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।
