ଭଦୋହି ଜିଲ୍ଲାରେ ଜଣେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ଯବାନଙ୍କୁ ମାଡ଼ ମାରିବା ଓ ଉଲଗ୍ନ କରି ଭିଡିଓ ଉତ୍ତୋଳନ କରିବା ଅଭିଯୋଗରେ ଚାରି ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଏହି ଘଟଣାରେ ଯବାନଙ୍କ ଅଭିଯୋଗ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ଏବଂ ପରେ ତାଙ୍କୁ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ଗିରଫ କରିଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।ଭଦୋହିର ଜଣେ ସିଭିଲ୍ ଜଜ୍ (ସିନିୟର ଡିଭିଜନ୍)ଙ୍କ ନିର୍ଦ୍ଦେଶ ପରେ ସୋମବାର ସନ୍ଧ୍ୟାରେ ପୁଲିସ ଏତଲା ରୁଜୁ କରିଛି।
ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶୁଭମ୍ ଅଗ୍ରୱାଲ୍ଙ୍କ ସୂଚନା ଅନୁଯାୟୀ, ଘଟଣାଟି ଗତ ଅଗଷ୍ଟ ୧୨ ତାରିଖରେ ସୁରିୟାୱାଁ ଥାନା ଅଧୀନ ସର୍ଦ୍ଦାର ବହୁତା ଗାଁରେ ଘଟିଥିଲା। ସିଆଇଏସ୍ଏଫ୍ କନଷ୍ଟେବଳ ଅଜୟ ଯାଦବ (୩୪) ଅଗଷ୍ଟ ୧୯ରେ ସିଭିଲ୍ ଜଜ୍ (ସିନିୟର ଡିଭିଜନ୍) ହର କିରଣ କୌରଙ୍କ ଅଦାଲତରେ ଏକ ଆବେଦନ କରିଥିଲେ। ସେଥିରେ ସେ ଅଭିଯୋଗ କରିଥିଲେ ଯେ ବଜାରରୁ ମୋଟରସାଇକେଲ୍ରେ ଘରକୁ ଫେରୁଥିବା ବେଳେ ଧୀରେନ୍ଦ୍ର ଯାଦବ (୨୬), ବୀରେନ୍ଦ୍ର ଯାଦବ (୨୩), ଅମନ ଯାଦବ (୨୦) ଓ ସରିତା ଯାଦବ (୩୭) ତାଙ୍କୁ ଅଟକାଇଥିଲେ। ସେମାନେ ତାଙ୍କ ମୋଟରସାଇକେଲ୍ ଭାଙ୍ଗିବା ସହ ଗାଳିଗୁଲଜ କରି ମାଡ଼ ମାରିଥିଲେ।ଆବେଦନ ଅନୁଯାୟୀ, ମାଡ଼ ଯୋଗୁଁ ଅଜୟଙ୍କ ନାକରୁ ରକ୍ତ ବାହାରିଥିଲା ଏବଂ ଶ୍ୱାସନଳୀରେ ରକ୍ତ ପଶିଯିବାରୁ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା। ମୁଣ୍ଡରେ ମଧ୍ୟ ଗୁରୁତର ଆଘାତ ଲାଗିଥିଲା। ଏହାପରେ ଧୀରେନ୍ଦ୍ର, ବୀରେନ୍ଦ୍ର ଓ ଅମନ ତାଙ୍କୁ ଘୋଷାଡ଼ି ଘର ପଛପଟକୁ ନେଇ ଜୋରଜବରଦସ୍ତ ଉଲଗ୍ନ କରି ଭିଡିଓ ଉତ୍ତୋଳନ କରିଥିଲେ। କେତେକ ଗ୍ରାମବାସୀ ହସ୍ତକ୍ଷେପ କରି ତାଙ୍କୁ ଉଦ୍ଧାର କରିବା ସହ ପୋଷାକ ପିନ୍ଧାଇ ଥାନାକୁ ପଠାଇଥିଲେ।
ଅଜୟଙ୍କ ଅଭିଯୋଗ ଅନୁଯାୟୀ, ସେ ଅଗଷ୍ଟ ୧୨ ତାରିଖ ଅପରାହ୍ଣ ପ୍ରାୟ ୪ଟାରେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତାଙ୍କୁ ପ୍ରାୟ ୨୪ ଘଣ୍ଟା ଧରି ବସାଇ ରଖିଥିଲା। ସେହିଦିନ ରାତି ପ୍ରାୟ ୧୧ଟାରେ ସରିତା ଯାଦବଙ୍କୁ ଥାନାକୁ ଡକାଯାଇଥିଲା ଏବଂ ତାଙ୍କ ଅଭିଯୋଗ ଆଧାରରେ ଅଜୟଙ୍କ ବିରୋଧରେ ଅସଦାଚରଣ ମାମଲା ରୁଜୁ ହୋଇଥିଲା। ଅଗଷ୍ଟ ୧୩ରେ ଡାକ୍ତରୀ ପରୀକ୍ଷା ହୋଇଥିଲେ ମଧ୍ୟ ପୁଲିସ ତାଙ୍କ ଅଭିଯୋଗ ରଖି ନ ଥିଲା ଏବଂ ତାଙ୍କୁ ଗିରଫ କରିଥିଲା ବୋଲି ସେ ଅଦାଲତରେ ଦର୍ଶାଇଛନ୍ତି।
ଅଦାଲତ ନଭେମ୍ବର ୭ ତାରିଖରେ ଚାରି ଜଣଙ୍କ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପୁଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୦, ୧୧୭(୨), ୩୨୪(୨), ୧୧୫(୨), ୩୫୨ ଓ ୩୫୧(୩) ସହ ସୂଚନା ପ୍ରଯୁକ୍ତି ଆଇନର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରିଛି। ସରିତାଙ୍କ ସମ୍ପର୍କୀୟ ରାଜେଶ ଯାଦବ ସ୍ଥାନୀୟ ଥାନାରେ ଡାଏଲ୍ ୧୧୨ ଗାଡ଼ି ଚଳାଉଥିବାରୁ ପୁଲିସ ତାଙ୍କ ଅଭିଯୋଗକୁ ଅଣଦେଖା କରିଥିଲା ବୋଲି ଅଜୟ ଅଭିଯୋଗ କରିଛନ୍ତି। ଅପରାଧ ନିରୀକ୍ଷକ ବୁଦ୍ଧିସାଗର ଯାଦବ ଏହି ମାମଲାର ତଦନ୍ତ କରୁଛନ୍ତି।
