କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ତେଲକୋଇ ଥାନା ଶିରିଗିଡା ପଞ୍ଚାୟତ ଗୋପିନାଥପୁର ଗ୍ରାମର ବନମାଳୀ ଦାସ(୫୯)।ଅପରାହ୍ନ ପ୍ରାୟ ୪ଟା ବେଳେ ମୃତକ ଜଣକ ଶିରିଗିଡାରୁ ନିଜ ଘରକୁ ସାଇକଲରେ ଫେରୁଥିବା ବେଳେ ପୁରୁଷୋତ୍ତମପୁର ଜଙ୍ଗଲ ରାସ୍ତାରେ ହାତୀ ହାବୁଡରେ ପଡିଯାଇଥିଲେ।ଫଳରେ ଏକ ଦନ୍ତାହାତୀ ଶୁଣ୍ଢରେ କଚାଡି ମାରି ଦେଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିଲେ। ତେବେ ହାତୀଙ୍କ କବଳରୁ ସୁରକ୍ଷା ଯୋଗାଇ ଦେବା ଦାବିରେ ସ୍ଥାନୀୟ ଲୋକେ ଶବ ଛାଡ଼ି ନଥିଲେ। ସନ୍ଧ୍ୟାରେ ପୁଲିସ ପହଞ୍ଚି ବୁଝାସୁଝା ପରେ ତେଲକୋଇ ଡାକ୍ତରଖାନା ଶବ ବ୍ୟବଚ୍ଛେଦ ପାଇଁ ଅଣାଯାଇଛି।ତେଲକୋଇ ରେଞ୍ଜର ଅଶୋକ କୁମାର ମାଝୀ କହିଛନ୍ତି, ଅଞ୍ଚଳରେ ୧୮ ଟିକିଆ ହାତୀ ପଲ ଚଳପ୍ରଚଳ କରୁଛନ୍ତି। ଏଣୁ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଉଛି। ମୃତ ବ୍ୟକ୍ତିଙ୍କୁ ଆଇନାନୁସାରେ ସହାୟତା ପ୍ରଦାନ କରାଯିବ।
