October 11, 2026

Now Odisha

Now Odisha

 ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ |

Spread the love

ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ ବଡ଼ଧରଣର ସଫଳତା ହାସଲ କରିଛି। ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ରବିବାର ସକାଳୁ ଚାଲିଥିବା ଚେକିଂ ବେଳେ ବାପ-ପୁଅଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ ଏବଂ ବିପୁଳ ପରିମାଣର ଗୁଳି ଜବତ କରାଯାଇଛି।

କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଜିଲାରେ ପୋଲିସ ପକ୍ଷରୁ ସଚେତନତା ଏବଂ ଯାଞ୍ଚ ପ୍ରକ୍ରିୟା ଜୋରଦାର କରାଯାଇଛି। ଆଜି ସକାଳୁ ଆନନ୍ଦପୁର ଥାନା ଅନ୍ତର୍ଗତ କାଠକଟା ପଞ୍ଚାୟତର ବରଗୋଠା ଗ୍ରାମ ରାସ୍ତାରେ ଏସ୍‌ଡିପିଓ ପଣ୍ଡା ଓ ଆନନ୍ଦପୁର ପୋଲିସ ଟିମ୍ ପାଟ୍ରୋଲିଂ କରୁଥିଲେ।

ଉକ୍ତ ରାସ୍ତାରେ ଯାଉଥିବା ନଣ୍ଡା ହୋ (୫୦) ଏବଂ ତାଙ୍କ ପୁଅ ଚକ୍ର ହୋ (୩୦)ଙ୍କୁ ସନ୍ଦେହ କରି ପୋଲିସ ଯାଞ୍ଚ କରିଥିଲା। ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ଏବଂ ବହୁ ପରିମାଣର ଗୁଳି ଜବତ କରାଯାଇଥିଲା। ଆନନ୍ଦପୁର ଉପଖଣ୍ଡ ଇତିହାସରେ ଏପରି ଅସ୍ତ୍ରଶସ୍ତ୍ର ଜବତ ହେବା ଘଟଣା ପ୍ରଥମ ବୋଲି ଜଣାପଡ଼ିଛି।

ଏନେଇ ଏସ୍‌ଡିପିଓ କମଳ କୁମାର ପଣ୍ଡା କହିଛନ୍ତି ଯେ, ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ପୂଜାକୁ ଦୃଷ୍ଟିରେ ରଖି ପୋଲିସ ସବୁବେଳେ ସତର୍କ ରହିଛି। ଜବତ ହୋଇଥିବା ବନ୍ଧୁକ ଓ ଗୁଳିଗୁଡ଼ିକ ସେମାନେ କେଉଁଠୁ ଏବଂ କାହାଠାରୁ ଆଣିଥିଲେ, ଏହାର କୌଣସି ଅପରାଧିକ ଲିଙ୍କ୍ ଅଛି କି ନାହିଁସେନେଇ ପୋଲିସ ବାପ-ପୁଅଙ୍କୁ ପଚରାଉଚରା ଜାରି ରଖିଛି। ଆଗକୁ ଆଉ କେତେକ ସ୍ଥାନରେ ମଧ୍ୟ ତନାଘନା କରାଯିବ ବୋଲି ଜଣାପଡ଼ିଛି।

error: Content is protected !!