October 16, 2026

Now Odisha

Now Odisha

ଜ୍ଞାନେଶଙ୍କ ପାଇଁ ଦେଶବାସୀଙ୍କ ବିରୋଧରେ ଲଢ଼ୁଛନ୍ତି ମୋଦି-ଶାହା: ଦୀପ୍‌କେ

Spread the love

ମୁଖ୍ୟ ନିର୍ବାଚନ କମିଶନର(ସିଇସିି) ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିଜ ଦେଶବାସୀଙ୍କ ବିରୋଧରେ ଯୁଦ୍ଧ କରୁଛନ୍ତି ବୋଲି କକ୍‌ରୋଚ ଜନତା ପାର୍ଟି(ସିଜେପି) ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ଗୁରୁବାର ଅଭିଯୋଗ କରିଛନ୍ତି। ନିର୍ବାଚନୀ ତାଲିକାରୁ ପ୍ରାୟ ୧୩ କୋଟିରୁ ଅଧିକ ଭୋଟରଙ୍କ ନାମ କାଟି ଦିଆଯିବା ଘଟଣା ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବା ପାଇଁ କୌଣସି ଏକ ‘ସେଟିଂ’ ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟ୍ସ ଆସୋସିଏସନ (ଏଆଇଏସ୍‌ଏ) ର ଜାତୀୟ ସଭାପତି ନେହା ବୋରା, ଷ୍ଟୁଡେଣ୍ଟ୍ସ ଫେଡେରେଶନ ଅଫ ଇଣ୍ଡିଆ (ଏସ୍‌ଏଫ୍‌ଆଇI) ର ନେତା ଅଇଶୀ ଘୋଷ, ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟ୍ସ ଫେଡେରେଶନ ର ଜାତୀୟ ସଭାପତି ବିରାଜ ଦେବାଙ୍ଗ ଏବଂ ଅଭିନେତା ପ୍ରକାଶ ରାଜ ପ୍ରମୁଖଙ୍କ ସହ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଦୀପ୍‌କେ ଅଭିଯୋଗ କରିଛନ୍ତି ଯେ, ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) କୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା ଲୋକଙ୍କ ସ୍ବରକୁ କର୍ତ୍ତୃପକ୍ଷ ଦମନ କରୁଛନ୍ତି। ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାଲିଥିବା ପ୍ରତିବାଦରେ ସାମିଲ ହେବାକୁ ଲୋକଙ୍କୁ ରୋକିବା ପାଇଁ ଦିଲ୍ଲୀରେ ଅସାଧାରଣ କଟକଣା ଲଗାଯାଉଛି।
ଆୟୋଗ ମୁଖ୍ୟଙ୍କ ଇସ୍ତଫା ଦାବି କରୁଥିବା ପ୍ରତିବାଦକାରୀ ଏବଂ ବିରୋଧୀ ଦଳର ନେତାମାନଙ୍କୁ ଅଟକ ରଖାଯିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସିଜେପି ନେତା ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ୫ ଦିନିଆ ଜୁଡିସିଆଲ କଷ୍ଟଡିରେ ପଠାଯିବା ଏବଂ ତିହାର ଜେଲକୁ ପଠାଯିବାର ଦିନକ ପରେ ତାଙ୍କର ଏହି ମନ୍ତବ୍ୟ ଆସିଛି। ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବାରୁ ଛାତ୍ରୀଛାତ୍ର, ଯୁବ ପ୍ରତିବାଦକାରୀ, ବିରୋଧୀ ଦଳ ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ଅଟକ ରଖାଯାଇଥିବା ଦୀପ୍‌କେ ଅଭିଯୋଗ କରିଛନ୍ତି। ଭାରତ ଇତିହାସରେ ପ୍ରଥମ ଥର ପାଇଁ ଜ୍ଞାନେଶଙ୍କ ପାଇଁ ରେଲଓ୍ବେ ଏବଂ ମେଟ୍ରୋ ବନ୍ଦ କରାଯାଇଥିଲା ବୋଲି ସେ କହିଛନ୍ତି ଏବଂ ସରକାର କାହିଁକି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଜାତୀୟ ପତାକା ଉତ୍ତୋଳନକୁ ଆଇନର ଉଲ୍ଲଂଘନ ଭାବେ ଗ୍ରହଣ କରିବା ପାଇଁ ଦୀପ୍‌କେ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରିଛନ୍ତି।ତ୍ରିରଙ୍ଗା ଧରିବା କେବେଠାରୁ ଅପରାଧ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଦୀପ୍‌କେ ଅଭିଯୋଗ କରିଛନ୍ତି, ମୁଖ୍ୟ ନିର୍ବାଚନ କମିଶନରଙ୍କୁ ମିଳୁଥିବା ସୁରକ୍ଷା ଏହି ସନ୍ଦେହ ସୃଷ୍ଟି କରୁଛି ଯେ ଆୟୋଗ ମୁଖ୍ୟ ଭାଜପାକୁ ନିର୍ବାଚନ ଜିତିବାରେ ସାହାଯ୍ୟ କରୁଛନ୍ତି କି ନାହିଁ।

error: Content is protected !!