କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନ କୋଟିଆ ପଞ୍ଚାୟତର ୩ଟି ରାଜସ୍ୱ ଗ୍ରାମରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଯାଉଥିବା ବେଳେ ରାଜ୍ୟ ସରକାର ନୀରବତା ଅବଲମ୍ବନ କରିବାକୁ କଂଗ୍ରେସ ଦଳ ଘୋର ନିନ୍ଦା ଓ ବିରୋଧ କରିଛି।
ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲା କଂଗ୍ରେସ କମିଟି ସଭାପତି ରୂପକ ତୁରୁକ୍ଙ୍କ ସଭାପତିତ୍ୱରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ବିଧାୟକ ତଥା ବିଧାନସଭା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ଯୋଗଦେଇ କହିଛନ୍ତି ଯେ, ମାଡ୍ରାସ ପ୍ରେସିଡେନ୍ସି ଅମଳରୁ କୋଟିଆ ଓଡ଼ିଶାରେ ରହିଛି ଏବଂ ଆଗକୁ ମଧ୍ୟ ରହିବ। ଦେଶରେ ଟ୍ରିପୁଲ୍ ଇଞ୍ଜିନ୍ ସରକାର ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କୁ ବଞ୍ଚାଇବା ପାଇଁ ରାଜ୍ୟ ସରକାର ଆନ୍ଧ୍ରକୁ କୋଟିଆ ଯୌତୁକ ଆକାରରେ ଦେବାକୁ ପ୍ରୟାସ କରୁଥିବା ସେ ଅଭିଯୋଗ କରିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରି ତୁରନ୍ତ ଏହି ନିର୍ବାଚନ ବିଜ୍ଞାପନକୁ ବାତିଲ କରିବା ପାଇଁ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି; ନଚେତ୍ ଆଗାମୀ ଦିନରେ କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।
ସେହିପରି ରାଜ୍ୟ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି କହିଛନ୍ତି ଯେ କୋଟିଆର ନିରୀହ ଆଦିବାସୀ ଓ ଖଣିଜ ସମ୍ପଦକୁ ହାତେଇବା ପାଇଁ ଆନ୍ଧ୍ରପ୍ରଦେଶ ନଜର ପକାଇଛି, ଯାହାକୁ କଦାପି ବରଦାସ୍ତ କରାଯିବ ନାହିଁ। ପୂର୍ବତନ ବିଜେଡି ସରକାର ୨୪ ବର୍ଷ ଶାସନରେ ସୀମା ବିବାଦକୁ ଗୁରୁତ୍ୱ ଦେଇନଥିଲେ ଏବଂ ବର୍ତ୍ତମାନର BJP ସରକାର ମଧ୍ୟ ଏହାକୁ ଅଣଦେଖା କରୁଛନ୍ତି।
ଏହି ଖବରଦାତା ସମ୍ମିଳନୀରେ ସରପଞ୍ଚ ଲିଉ ଗେମେଲ, କୃଷ୍ଣ କୁଲଦୀପ, ଜଗଦୀଶ ଖୋସଲା, ମନୋଜ ହିଆଲ, ଜଗନ୍ନାଥ ଗେମେଲ ଓ ଅର୍ଜୁନ ବାଙ୍କାଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

More Stories
୨୫ ବେଳକୁ ଲଘୁଚାପ, ପ୍ରବଳ ବର୍ଷିବ: ୟେଲୋ ଓ୍ବାର୍ନିଂ ଜାରି
୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
ଇଣ୍ଟରନେଟ୍ ବ୍ୟବହାରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: କହିଲେ ପିଲାଙ୍କ ସମେତ ସବୁବର୍ଗର…