ଭୁଶୁଡୁଛି ଗଡ଼, ଆସନ ଟଳମଳ!! ତୀବ୍ର ହେଉଛି ସରକାର ବିରୋଧୀ ସ୍ୱର, ଛାନିଆ ପଶ୍ଚିମବଙ୍ଗ ସରକାର


ଭୁଶୁଡୁଛି ଗଡ଼, ଆସନ ଟଳମଳ!! ତୀବ୍ର ହେଉଛି ସରକାର ବିରୋଧୀ ସ୍ୱର, ଛାନିଆ ପଶ୍ଚିମବଙ୍ଗ ସରକାର

କୋଲକାତାରେ ଅଭୟା କାଣ୍ଡକୁ ନେଇ ଜୋରଦାର ପ୍ରତିବାଦ ଭିତରେ, ଉଗ୍ର ରୂପ ନେଲାଣି ମମତା ସରକାର ବିରୋଧୀ ସ୍ୱର । ବଢିଲାଣି ଦିଦିଙ୍କ ଉପରେ ଇସ୍ତଫା ଚାପ । ନାରଦା-ସାରଦା ସ୍କାମ ଠାରୁ ବି ବର୍ତ୍ତମାନ ବଡ଼ ହରଡଘଣାରେ ପଡିଛନ୍ତି ଦିଦି । ସାମ୍ନାରେ ରାଜନୈତିକ କ୍ୟାରିଅରର ସବୁଠୁ ବଡ଼ ଚ୍ୟାଲେଞ୍ଜ । ପ୍ରଶ୍ନ ଉଠୁଛି, ଅଭୟାକାଣ୍ଡର ନିଆଁରେ ପୋଡ଼ି ପାଉଁଶ ହୋଇଯିବ କି ପଶ୍ଚିମବଙ୍ଗର ମମତା ସରକାର?

ହରଡ଼ଘଣାରେ ମମତା … ଭୁଶୁଡୁଛି ଗଡ଼, ଆସନ ଟଳମଳ । କୋଲକାତାର ସାହି ଗଳିରେ ଶୁଭୁଛି ସରକାର ବିରୋଧୀ ସ୍ୱର । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ତେଜିଲାଣି ନାରା । ରାସ୍ତାଘାଟ କି ସଙ୍ଗଠନରେ ଆଉ ସୀମିତ ରହିନି ପ୍ରତିବାଦ । ଘରେ ଘରେ ବିରୋଧ । ନିଆଁ ଭଳି ମାଡି ଚାଲିଛି ଅଭୟା କାଣ୍ଡକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ।

ରାଜ୍ୟର ୩ଶହରୁ ଅଧିକ ସ୍ଥାନରେ ଚାଲିଛି ଆନ୍ଦୋଳନ-ବିକ୍ଷୋଭ । ଡାକ୍ତର, ଇଞ୍ଜିନିୟର, ଓକିଲଙ୍କଠାରୁ ବୟସ୍କ, ବୃଦ୍ଧ ଓ ଛାତ୍ରଛାତ୍ରୀ.. ସବୁ ବର୍ଗର ସବୁ ବୟସର ଲୋକ ଓହ୍ଲାଇ ଆସିଛନ୍ତି ରାଜାରାସ୍ତାକୁ । ଏକମାତ୍ର ଦାବି, ଅଭୟାକୁ ନ୍ୟାୟ ମିଳୁ । ଜାନୁଆରୀ ୧୯୯୩ । ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ମୁକ ବଧିର ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ସାରା ରାଜ୍ୟରେ ତେଜିଥିଲା ପ୍ରତିବାଦ ।

ତତକାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରଏଟର୍ସ ବିଲଡିଂ ସ୍ଥିତ ଅଫିସ ଆଗରେ ଧାରଣା ଦେଇଥିଲେ ନୂଆ କରି ରାଜନୀତିରେ ପାଦ ଦେଇଥିବା ସେତେବେଳର ଯୁବ କଂଗ୍ରେସ ସଭାନେତ୍ରୀ ମମତା ବାନାର୍ଜୀ । ଦୁଷ୍କର୍ମ ମାମଲାରେ ସରକାର ବିରୋଧରେ ଲଢେଇ ଘମାସାନ କରିଥିବା ସେହି ନେତ୍ରୀ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ।

ଆଉ, ତାଙ୍କ ସାମ୍ନାରେ ଏବେ ଠିକ୍ ସେହିଭଳି ଏକ ହୃଦୟ ବିଦାରକ ଦୁଷ୍କର୍ମ ମାମଲା । ମାଆ, ମାଟି ଓ ମାନୁଷର ନାରା ଦେଇ ରାଜନୀତି କରୁଥିବା ମମତାଙ୍କ ପାଇଁ ଏବେ ଅଡୁଆ ସୂତା ପାଲଟିଛି ଅଭୟା ଘଟଣା । ମହଙ୍ଗା ପଡିଲାଣି ମାମଲାର କଭର ଅପ୍ ଉଦ୍ୟମ । ବିଶେଷ କରି ବିବାଦରେ ଥିବା ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଯେଉଁଭଳି ଭାବେ ପ୍ରଥମେ ସସପେଣ୍ଡ ଏବଂ ତୁରନ୍ତ ଅନ୍ୟ ସ୍ଥାନରେ ପୋଷ୍ଟିଂ କରାଗଲା, ତାକୁ ନେଇ ଅଡୁଆରେ ପଡିଛନ୍ତି ମମତା ସରକାର ।

ବାଜିରେ ଲାଗିଛି ଦିଦିଙ୍କ ରାଜନୈତିକ ଭବିଷ୍ୟତ । ବିଗିଡ଼ି ଗଲାଣି ଭୋଟବ୍ୟାଙ୍କ । ସନ୍ଦେଶଖାଲି ଘଟଣା, ସରକାରଙ୍କ ସ୍ୱଚ୍ଛ ଶାସନ ଓ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଥିଲା । ହେଲେ ଅଭୟା କାଣ୍ଡ ସଂପୂର୍ଣ୍ଣ ଦୋହଲାଇ ଦେଇଛି, ପତନ ଆଡକୁ ନେଉଛି ମମତା ସରକାରକୁ । ୨୦୧୨ରେ ଦିଲ୍ଲୀରେ ହୋଇଥିଲା ନିର୍ଭୟା କାଣ୍ଡ ।

୨୦୧୩ରେ କ୍ଷମତା ହରାଇଥିଲା ତତକାଳୀନ ଶୀଲା ଦୀକ୍ଷିତ ସରକାର । ଏବେ ପ୍ରଶ୍ନ, ଅଭୟା ନିଆଁରେ ଜଳି ପୋଡି ଛାରଖାର ହୋଇଯିବ କି ପଶ୍ଚିମବଙ୍ଗର ତୃଣମୂଳ ସରକାର?


error: Content is protected !!