ଅନନ୍ୟା ଅତୁଳନୀୟା ସାବିତ୍ରୀ ବାଈ ଏସିଆ ମହାଦେଶର ପ୍ରଥମ ଦଳିତ ମହିଳା ଶିକ୍ଷୟିତ୍ରୀ


କେବଳ ଭାରତବର୍ଷର ନୁହେଁ ସମଗ୍ର ଏସିଆ ମହାଦେଶର ସେ ଥିଲେ ପ୍ରଥମ ମହିଳା ଶିକ୍ଷକ।ସେ ଭାରତରେ ପ୍ରଥମ ଗାର୍ଲ‌ସ ସ୍କୁଲ ତିଆରି କରିଥିଲେ । ତାହା ପୁଣି ଦଳିତ ଅଚ୍ଛବ ଜାତିର ଝିଅ ମାନଂକ ପାଇଁ ଏହା ସେହି ସମୟରେ କଥା ଯେତେବେଳେ ହୁଏତ ଏକଥା କେହି କଳ୍ପନା କରିବା ମଧ୍ୟ ସମ୍ଭବ ନ ଥିଲା।ମାତ୍ର ଅଠର ବର୍ଷ ବୟସର ସେହି ଶିକ୍ଷୟିତ୍ରୀ ଘରୁ ସ୍କୁଲକୁ ଯିବା ସମୟରେ ବ୍ୟାଗ୍ ଭିତରେ ଅଧିକା ଶାଢ଼ୀ ଧରି ଯାଉଥିଲେ କାରଣ ସେ ସ୍କୁଲକୁ ଯିବା ସମୟରେ ଏତେ ଲୋକ ତାଙ୍କ ଉପରକୁ କାଦୁଅ ଫୋପାଡୁଥିଲେ ଯେ ସ୍କୁଲ୍ ରେ ପହଞ୍ଚି ତାଙ୍କୁ ଶାଢ଼ୀ ବଦଳାଇବାକୁ ପଡୁଥିଲା ।କେବଳ ସ୍କୁଲ କରିବାର ଦୁଃସାହସ କରିନଥିଲେ, ଗର୍ଭବତୀ ବ୍ରାହ୍ମଣ ବିଧବା ମାନଙ୍କୁ ଆଣି ଘରେ ରଖିବାର ଦୁଃସାହସ ମଧ୍ୟ କରିଥିଲେ । ଯେଉଁ କଥା କରିବା ପାଇଁ ଆଜି ମଧ୍ୟ କେହି ସାହସ କରିବେ ନାହିଁ ।ଏହି ମହାନ୍ ନାରୀ ହେଉଛନ୍ତି ସାବିତ୍ରୀ ବାଈ ଫୁଲେ ।ସାବିତ୍ରୀ ବାଈ ଫୁଲେ ଙ୍କ ଜୀବନ କାହାଣୀ ଏପରିକି ତାଙ୍କର ମୃତ୍ୟୁର କଥା ମଧ୍ୟ ଆଖିରେ ଆଙ୍ଗୁଠି ଗେଞ୍ଜି ଦେଖାଇଦିଏ ଜାତୀୟତା କଣ ଦେଶପ୍ରେମ କାହାକୁ କୁହାଯାଏ । କାହାକୁ ନାରୀ ର ଅଧିକାର ଏବଂ ନାରୀର ମର୍ଯ୍ୟାଦା କୁହାଯାଏ । ତାଙ୍କରି ନେତୃତ୍ୱରେ ପୁଣେ ସହରରେ ସବୁ ନାପିତ ହରତାଳ କରିଥିଲେ । ହରତାଳର କାରଣ ଥିଲା ବିଧବା ହେବା ପରେ ନାରୀ ମାନଙ୍କର ମୁଣ୍ଡନ କରିବାକୁ ସେମାନେ ବିରୋଧ କରିଥିଲେ ।ଫଳରେ ରାସ୍ତାରେ କେବଳ କାଦୁଅ ନୁହେଁ ତାଙ୍କ ଉପରକୁ ଟେକା ପଥର ମାଡ ମଧ୍ୟ ହେବାକୁ ଲାଗିଲା । ସେସବୁ ରୁ ରକ୍ଷା ପାଇବା ପାଇଁ ଜଣେ ବଡିଗାର୍ଡ ଭାବରେ ରହିଥିଲେ ବଲଵନ୍ତ ସଖାରାମ କୋଲେ । ବଲଵନ୍ତ ତାଙ୍କର ସ୍ମୃତିକଥାରେ ଲେଖିଛନ୍ତି “ସାବିତ୍ରୀ ବାଈ କହୁଥିଲେ ଯେ ସେମାନଙ୍କର କାଦୁଅ,ଗୋବର ଓ ପଥର ମୋ ପାଇଁ ଫୁଲ ସଦୃଶ।”ଏହି କାହାଣୀ ସେହି ସମୟର ଯେତେବେଳେ କମ୍ପାନୀର ସିପାହୀମାନେ ବିଦ୍ରୋହ କରି ନାହାନ୍ତି। କଲିକତାରେ ବେଥୁନ୍ ସାହେବଙ୍କର ସ୍କୁଲ ତଥାପି ସ୍ଥାପିତ ହୋଇନାହିଁ ।ବାଳିକା ସ୍କୁଲ ଖୋଲିବା ପାଇଁ ଆହ୍ବାନ ଦେଇଛନ୍ତି ମାତ୍ର ସେହି ୧୮୪୮ ମସିହାରେ ଜଣେ ଏକୋଇଶି ବର୍ଷର ଯୁବକ ତାଙ୍କର ଅଠର ବର୍ଷର ସ୍ତ୍ରୀ ଙ୍କୁ ନେଇ ପୁଣେରେ ଏକ ବାଳିକା ବିଦ୍ୟାଳୟ ଖୋଲିଥିଲେ ।ଏହାର ଫଳ ତାଙ୍କୁ ଅବଶ୍ୟ ସଙ୍ଗେ ସଙ୍ଗେ ଭୋଗିବାକୁ ପଡିଥିଲା ।ବାପା ପୁଅ ବୋହୂଙ୍କୁ ଘରୁ ତଡିଦେଲେ ।ସାବିତ୍ରୀ ବାଈ ଫୁଲେ ଏବଂ ତାଙ୍କର ସ୍ବାମୀ ଜ୍ୟୋତିରାଓ ଫୁଲେ ଜାତିରେ ଥିଲେ ମାଳି ଅର୍ଥାତ୍ ଦଳିତ ହୋଇ ସେମାନେ ସ୍କୁଲ ଖୋଲିବେ ତାହା ପୁଣି ଦଳିତ ଓ ମୁସଲମାନ ଝିଅ ମାନଙ୍କ ପାଇଁ?ଜ୍ୟୋତିରାଜ ଫୁଲେ ସ୍କୁଲ ପାଇଁ ଅର୍ଥ ଯୋଗାଡ଼ରେ ବାହାରିଲେ ଦୁଇଜଣ ବନ୍ଧୁଙ୍କ ତତ୍ତ୍ବାବଧାନରେ ସାବିତ୍ରୀ ବାଈଙ୍କ ତାଲିମ ଚାଲିଲା । ପୁଣି ୧୮୫୧ ମସିହାରେ ସ୍କୁଲ ଖୋଲିଲା । ସାବିତ୍ରୀ ବାଈ ପ୍ରଧାନ ଶିକ୍ଷୟିତ୍ରୀ , ସ୍କୁଲର ପ୍ରାଣକେନ୍ଦ୍ର । ଦୁଇବର୍ଷ ପରେ “ପୁଣେ ଅବଜାରର୍ଭର” ଖବରକାଗଜ ଲେଖିଥିଲା” ଝିଅ ମାନଙ୍କ ସ୍କୁଲର ଛାତ୍ରୀମାନେ ସରକାରୀ ସ୍କୁଲର ଛାତ୍ର ମାନଙ୍କ ଅପେକ୍ଷା ଭଲ ପାଠ ପଢ଼ୁଛନ୍ତି । ସରକାର କିଛି ପଦକ୍ଷେପ ନିଅନ୍ତୁ।ନଚେତ୍ ଝିଅମାନଙ୍କର ଫଳ ଅଧିକ ଭଲ ହେଲେ ଆମମାନଙ୍କର ମୁଣ୍ଡ ତଳକୁ ହୋଇଯିବ।”ଏହାରି ଭିତରେ ଈଶ୍ବରଚନ୍ଦ୍ର ବିଦ୍ୟାସାଗର କଲିକତାର ବେଥୁନ୍ ସ୍କୁଲ ସହିତ ସମ୍ପୃକ୍ତ ହୋଇଛନ୍ତି।ତାଙ୍କରି ନିର୍ଦ୍ଦେଶରେ ଛାତ୍ରୀମାନଙ୍କ ଗାଡ଼ିରେ ଲେଖାଯାଇଅଛି ମହାନିର୍ବାଣତନ୍ତ୍ରର ବାଣୀ…” କନ୍ୟାମାନେ ମଧ୍ୟ ସମାନ ଯତ୍ନ ସହକାରେ ପାଳନୀୟ , ଶିକ୍ଷଣୀୟ ।” କିନ୍ତୁ ମହିଳାମାନେ ଶିକ୍ଷକ ହେବା କଥାକୁ ବାତିଲ କରି ଦେଇଛନ୍ତି ଈଶ୍ବରଚନ୍ଦ୍ର । ମହିଳାମାନେ ଘରର ବାହାରେ କାମ କରିବେ , ଏହା ମାନିବାକୁ ସମାଜ ଏବେ ପ୍ରସ୍ତୁତ ନୁହେଁ, ଛୋଟଲାଟ୍ ଙ୍କୁ ଚିଠି ଲେଖିଥିଲେ ।ସେ ନିଜେ ମଧ୍ୟ ପ୍ରସ୍ତୁତ ଥିଲେ କି ? ନିଜର ସ୍ତ୍ରୀ କିମ୍ବା ଦୁଇ କନ୍ୟାଙ୍କୁ ସେ ପାଠ ପଢ଼ାଇ ନ ଥିଲେ ।ଜ୍ୟୋତିରାଓ ଈଶ୍ବରଚନ୍ଦ୍ର ଙ୍କ ଠାରୁ ସାତବର୍ଷ ସାନ , ସାବିତ୍ରୀ ବାଈ ଏଗାର ବର୍ଷ । ଆରମ୍ଭରୁ ହିଁ ସେମାନେ ଝିଅମାନଙ୍କୁ ଶିକ୍ଷା ଦେବା ଏବଂ ନାରୀ ମାନଙ୍କୁ ଶିକ୍ଷୟିତ୍ରୀ ଭାବରେ ପ୍ରସ୍ତୁତ କରିବା କାର୍ଯ୍ୟ କରି ଚାଲିଛନ୍ତି । ବିଦ୍ୟାସାଗର ଯେତେବେଳେ ବହୁ କଷ୍ଟରେ କାୟସ୍ଥ ଛାତ୍ର ମାନଙ୍କୁ ସଂସ୍କୃତ କଲେଜରେ ନାମଲେଖାଇବାରେ ସକ୍ଷମ ହୋଇଛନ୍ତି, ବଣିକ ଜାତିର ଛାତ୍ରର ନାମ ଲେଖାଇ ନ ପାରିବାରୁ ବିଶେଷ ଭାବରେ ଦୁଃଖିତ ହୋଇଛନ୍ତି, ସେତେବେଳେ ଅସ୍ପୃଶ୍ୟ, ନୀଚ ଜାତିର ଝିଅମାନେ ପଢ଼ିବାକୁ ଆସୁଛନ୍ତି ସାବିତ୍ରୀ ବାଈ ଙ୍କ ନେଟିଭ୍ ଫିମେଲ ସ୍କୁଲକୁ ।ସମ୍ପ୍ରତି ଯେତେବେଳେ ଇତିହାସ ବହିରେ ଦଳିତ ଆନ୍ଦୋଳନ ର କଥା ଲେଖାହୁଏ , ସାଧାରଣତଃ ଜ୍ୟୋତିରାଓ ଫୁଲେ ଙ୍କ କଥା ଲେଖାହୁଏ । ସାବିତ୍ରୀ ଫୁଟନୋଟ ରେ ସ୍ଥାନ ପାଆନ୍ତି । ଅଥଚ ଆଶ୍ଚର୍ଯ୍ୟର କଥା ଯେ , ବ୍ରାହ୍ମଣ ବିଧବା ନାରୀମାନଙ୍କର ଦୁଃଖ, ଯନ୍ତ୍ରଣା କୁ ନିଜ ଭିତରେ ଅନୁଭବ କରୁଥିଲେ ସାବିତ୍ରୀ ବାଈ।୧୮୬୩ ମସିହା। କାଶୀ ବାଈ ନାମ୍ନୀ ଜଣେ ବିଧବାଙ୍କୁ ଗର୍ଭବତୀ କରି ଛାଡ଼ି ଯାଆନ୍ତି ଜଣେ ଶାସ୍ତ୍ରୀଜୀ । କାଶୀ ବାଈ ଜନ୍ମ ଦେବା ପରେ ଶିଶୁଟିର ଗଳା କାଟି ହତ୍ୟା କରନ୍ତି । ଖୁନୀ କାଶୀ ବାଈ ଙ୍କୁ ଇଂରେଜ ସରକାର ଆଣ୍ଡାମାନ କୁ ପଠାଇ ଦିଅନ୍ତି । ଏହି ଘଟଣାରେ ଆହତ ଫୁଲେ ଦମ୍ପତି ସହର ସାରା ପୋଷ୍ଟର ଲଗାନ୍ତି “ହତଭାଗିନୀ ବିଧବା ମା ମାନେ ନିଜର ଜନ୍ମିତ ଶିଶୁ କୁ ହତ୍ୟା ନ କରି ଆମ ଆଶ୍ରମକୁ ଆସନ୍ତୁ। “ଏହାର ପ୍ରଭାବ ପରିଲକ୍ଷିତ ହୁଏ , ପରବର୍ତ୍ତୀ ବର୍ଷ ମାନଙ୍କରେ ପ୍ରାୟ ୩୫ ଜଣ ବ୍ରାହ୍ମଣ ଗର୍ଭବତୀ ବିଧବା ମହିଳା ତାଙ୍କ ଆଶ୍ରମକୁ ଆସନ୍ତି ଏବଂ ସେମାନଙ୍କୁ ଆଶ୍ରୟ ଦିଅନ୍ତି ସାବିତ୍ରୀ ବାଈ ।ନାରୀ ମାନଙ୍କ ପାଇଁ ରାଜା ରାମମୋହନ ଏବଂ ବିଦ୍ୟାସାଗର ଅନେକ ଲଢ଼ିଛନ୍ତି ସତକଥା କିନ୍ତୁ ସାବିତ୍ରୀ ବାଈ ଙ୍କ ପରି ସମାଜର ଅବହେଳିତ ନାରୀ ମାନଙ୍କୁ ପ୍ରାଣଭରି ଭଲ ପାଇଛନ୍ତି କି ? ରାଜା ରାମମୋହନଙ୍କର ତିନିଜଣ ସ୍ତ୍ରୀ ଥିଲେ, କିନ୍ତୁ କାହାରି ସହିତ ତାଙ୍କର ଘନିଷ୍ଠ ପ୍ରେମର କଥା ଜଣାଯାଏ ନାହିଁ । କଥିତ ଅଛି, ତାଙ୍କର ପୋଷ୍ୟ ପୁତ୍ର ରାଜାରାମ କୁଆଡେ ତାଙ୍କର ରକ୍ଷିତା ଜଣେ ମୁସଲିମ୍ ନାରୀ ଙ୍କ ସନ୍ତାନ ଥିଲେ । ବିଦ୍ୟାସାଗରଙ୍କର ବିପୁଳ କର୍ମକାଣ୍ଡ ରେ ସ୍ତ୍ରୀ ଦୟାମୟୀ କୋଉଠି ? ଅଥଚ ସେହି ପ୍ରଜନ୍ମର ମଣିଷ ଜ୍ୟୋତିରାଓଙ୍କ ଫିମେଲ୍ ସ୍କୁଲର ଚାଳିକାଶକ୍ତି ଥିଲେ ସାବିତ୍ରୀ ବାଈ । ସାବିତ୍ରୀ ବାଈଙ୍କ ସତ୍ୟଶୋଧକ ସମାଜରେ ସାବିତ୍ରୀ ବାଈ ୯୦ ଜଣ ମହିଳା ସାମିଲ୍ ହୋଇଥିଲେ , ଯାହାର ସଭାନେତ୍ରୀ ଥିଲେ ସାବିତ୍ରୀ ବାଈ । କେବଳ ସେତିକି ନୁହେଁ , ଜଣେ ବିଧବାଙ୍କ ପୁତ୍ରକୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରନ୍ତି ଫୁଲେ ଦମ୍ପତି। ସେହି ପୁତ୍ର ଯଶୋବନ୍ତ ର ବିବାହ ସମ୍ଭବତଃ ଆଧୁନିକ ଭାରତବର୍ଷର ପ୍ରଥମ ଅସବର୍ଣ୍ଣ ବିବାହ ଥିଲା ।ଏହାଠାରୁ ଆହୁରି ଚମକେଇ ଦେବା ଘଟଣା ହେଉଛି। ବିବାହ ପୂର୍ବରୁ ପୁତ୍ରବଧୂ ଲକ୍ଷ୍ମୀ କୁ ଘରେ ଆଣି ରଖିଥିଲେ ସାବିତ୍ରୀ ବାଈ ଉଦ୍ଦେଶ୍ୟ ଥିଲା ବିବାହ ପୂର୍ବରୁ ପୁଅ ଯେପରି ଭାବୀ ପତ୍ନୀ ର ମନ ବୁଝି ପାରିବ । ମଞ୍ଚ ଉପରେ ନାରୀ ସ୍ବାଧିନତା ପାଇଁ ଭାଷଣ ଦେବା ଏବଂ ନାରୀ ସ୍ବାଧିନତା ପାଇଁ ଜୀବନକୁ ଉତ୍ସର୍ଗ କରିଦେବା ଏକା କଥା ନୁହେଁ ।ଭିଡ଼ ଭିତରେ ଭିନ୍ନ ଏହି ମହିଳା କିନ୍ତୁ ଆଢ଼ୁଆଳରେ ରହି ଯାଇଛନ୍ତି । ସାବିତ୍ରୀ ବାଈ ଙ୍କ ଜନ୍ମଦିନ ଜାନୁଆରୀ ୩ ତାରିଖ କୁ “ଶିକ୍ଷୟିତ୍ରୀ ଦିବସ” ଭାବରେ ପାଳନ କରାଯିବା ପାଇଁ କିଛି ସଂଗଠନ ଦାବି କରି ଆସୁଛନ୍ତି । ଶିକ୍ଷାର ଅଧିକାର କଣ ଜାଣିବାକୁ ହେଲେ ସାବିତ୍ରୀ ବାଈ ଫୁଲେ ଙ୍କ ଜୀବନ କାହାଣୀ ଜାଣିବାକୁ ହେବ । ଅବଶ୍ୟ ଗୁଗଲ ସାବିତ୍ରୀଙ୍କୁ ନେଇ ଡୁଡଲ୍ କରିଥିଲା।ସାବିତ୍ରୀ ବାଈଙ୍କ ଦୁଇ ବାହୁ ମଝିରେ ଝିଅମାନେ ସମସ୍ତଙ୍କୁ ଯେମିତି ସେ ଟାଣି ନେଉଛନ୍ତି ନିଜ ପାଖକୁ । ଆଶ୍ଚର୍ଯ୍ୟର ବିଷୟ ସାବିତ୍ରୀ ବାଈଙ୍କ ଜୀବନ କାହାଣୀକୁ ନେଇ ସେଭଳି କୌଣସି ଉଲ୍ଲେଖନୀୟ ପୁସ୍ତକ ମଧ୍ୟ ରଚନା କରାଯାଇ ନାହିଁ । ଦଳିତ ନାରୀ ମାନଙ୍କୁ ପାଠ ପଢ଼ାଇବା ପାଇଁ ଆଜୀବନ ଯେଉଁ ମରାଠୀ ମହିଳା ଲଢେ଼ଇ କରି ଯାଇଛନ୍ତି।ବିସ୍ତୃତିର ବାଘ ତାକୁ ଗିଳି ଦେଇଛି।ଜୀବନ କାଳ ଭିତରେ ପଣ୍ଡିତା ରମାବାଈ, ଆନନ୍ଦୀବେନ୍ ଜୋଶୀ, ରମାବାଈ ରଣଦେ ଭଳି ସେକାଳର ଶିକ୍ଷିତା ନାରୀମାନେ ଅବଶ୍ୟ ସାବିତ୍ରୀ ବାଈ ଙ୍କୁ ଯଥେଷ୍ଟ ସମ୍ମାନ କରୁଥିଲେ । ଜୀବନର ଶେଷ ଦିନ ପର୍ଯ୍ୟନ୍ତ ବ୍ୟତିକ୍ରମୀ ନାରୀ ସାବିତ୍ରୀ ବାଈ ନିଜ ଆଦର୍ଶରୁ ଆଦୌ ବିଚ୍ୟୁତ ହୋଇ ନ ଥିଲେ । ସେତେବେଳେ ପ୍ଲେଗ୍ ମହାମାରୀ । ମା ଙ୍କ ଆଦେଶ ପାଳନ କରି ପୁତ୍ର ଯଶୋବନ୍ତ ସେନାବାହିନୀର ଡାକ୍ତର ଚାକିରି ରୁ ଛୁଟି ନେଇ ପୁଣେ ରେ ପ୍ଲେଗ୍ ର କ୍ଲିନିକ୍ ଖୋଲି ବସିଲେ । ସାବିତ୍ରୀ ବାଈ ନିଜେ ରୋଗୀ ମାନଙ୍କୁ ସାଙ୍ଗରେ ନେଇ ଆସୁଥିଲେ । ଭୟଙ୍କର ସଂକ୍ରାମକ ରୋଗ ଜାଣି ସୁଦ୍ଧା ସେ ପୁଅ ସହିତ ରୋଗୀଙ୍କ ସେବାରେ ଲାଗି ପଡ଼ିଥିଲେ । ଦିନେ ଗୋଟିଏ ପରିଚିତ ମାହାର ପରିବାର ର ପ୍ଲେଗ ଆକ୍ରାନ୍ତ ଶିଶୁକୁ ପିଠିରେ ବୋହି କ୍ଲିନିକ୍ କୁ ନେଇ ଆସିଥିଲେ । ରୋଗ ତାଙ୍କ ଦେହକୁ ସଂକ୍ରମିତ ହେଲା । ସେହି ପ୍ଲେଗ୍ ରୋଗରେ ଆକ୍ରାନ୍ତ ହୋଇ ୧୮୯୭ ମସିହାରେ ମୃତ୍ୟୁ ବରଣ କଲେ ସାବିତ୍ରୀ ବାଈ।ଅନନ୍ୟା,ଅତୁଳନୀୟା ସାବିତ୍ରୀ ବାଈଙ୍କୁ ଶ୍ରଦ୍ଧା ଓ ସମ୍ମାନ ।


error: Content is protected !!