କୁନି ଝିଅର ଭବିଷ୍ୟତ ଚିନ୍ତାରେ ମା ରାସନ୍ କାର୍ଡ ଭରସାରେ ୪ ପ୍ରାଣୀ ବ୍ରେନ୍ ଷ୍ଟ୍ରୋକରେ ସ୍ଵାମୀଙ୍କ ଦେହାନ୍ତ ପରେ ସମସ୍ୟାରେ ପରିବାର


ବାଲିପାଟଣା : ଅଧାବାଟରେ ଛାଡି ଚାଲିଗଲେ ସ୍ଵାମୀ । ପରିବାର ଖର୍ଚ୍ଚ ସାଙ୍ଗକୁ ତିନି ଝିଅଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ମା । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ବାଗଲପୂର୍ ଗ୍ରାମରେ । ଏହି ଗ୍ରାମର ସୁଶୀଳା ଦାସ (୪୮) । ପରିବାର କହିଲେ ଚାରି ଝିଅ ମଧ୍ୟରୁ ବଡ଼ ଝିଅ ର ବିବାହ ହୋଇଥିବାବେଳେ ତିନି ଝିଅ ଙ୍କୁ ନେଇ ବିତୁଛି ସୁଶୀଳା ଙ୍କ ଜୀବନ । ଚଳିତ ବର୍ଷ ଜାନୁଆରୀ ମାସରେ ସ୍ଵାମୀ ଦୁର୍ଯ୍ୟୋଧନ ଦାସ (୫୪) ଙ୍କ ବ୍ରେନ୍ ଷ୍ଟ୍ରୋକ ରେ ଦେହାନ୍ତ ହେବା ପରେ ପରିବାର ର ବୋଝ ଏବେ ସୁଶୀଳା ଙ୍କ କାନ୍ଧରେ । ଏକ ବେସରକାରୀ କମ୍ପାନୀରେ ଚାକିରି କରିଥିବା ଦୁର୍ଯ୍ୟୋଧନ ୧୦ ବର୍ଷ ପୂର୍ବରୁ ଛଟେଇ ହୋଇ ଘରେ ବେକାର ବସିଥିବା ବେଳେ ରୋଜଗାର ହରାଇ ଚିନ୍ତାରେ ରୋଗାକ୍ରାନ୍ତ ଅବସ୍ଥାରେ ପ୍ରାଣ ହରାଇଥିଲେ । ଏବେ ରୋଜଗାର ର କୌଣସି ମାଧ୍ୟମ ନଥିବା ଏହି ପରିବାର ପାଇଁ ରାସନ୍ କାର୍ଡ ରେ ମିଳୁଥିବା ସାମଗ୍ରୀ ଉପରେ ଭରସା କରିବାକୁ ପଡୁଛି । ବିଶେଷ କିଛି ଜମିବାଡି ନଥିବା ଏହି ପରିବାର କୁ ଆଜି ପର୍ଯ୍ୟନ୍ତ ଘର୍ ଖଣ୍ଡିଏ ମଧ୍ୟ ମିଳିପାରିନାହିଁ । ବର୍ତମାନ ଦୁଇ ଝିଅଙ୍କର ବିବାହ ବୟସ ହୋଇଯାଇଥିଲେ ମଧ୍ୟ ଆର୍ଥିକ ଅଭାବ ସାଜିଛି ବାଧକ । ତିନି ଝିଅଙ୍କ ମଧ୍ୟରୁ ମାମାଲି ଦାସ (୨୪) ଗ୍ରାଜୂଏସନ୍ କରିଥିବା ବେଳେ ସୋନାଲି ଦାସ(୨୦) ପରିବାର ର ଆର୍ଥିକ ପରିସ୍ଥିତି ପାଇଁ ଯୁକ୍ତ ଦୁଇ ପ୍ରଥମ ବର୍ଷ ରୁ ପାଠ ପଢାରେ ଡୋରି ବାନ୍ଧିଛନ୍ତି । ଏବେ ଉଭୟ ମାମାଲୀ ଏବଂ ସୋନାଲି ସେମାନଙ୍କ ବିବାହିତ ଭଉଣୀ ମାନୁ  ପାଖରେ ରହୁଥିବା ବେଳେ ଘରେ କେବଳ ସାନ ଝିଅ ସାଇ ସାନଭି ଦାସ (୫) ସହିତ ପିଲାମାନଙ୍କ ଭବିଷ୍ୟତ କୁ ନେଇ ଚିନ୍ତାରେ ସୁଶୀଳା ଙ୍କ ସମୟ ବିତୁଛି । ଏବେ ସାନ ଝିଅ ନିକଟସ୍ଥ ବିଦ୍ୟାଳୟ ରେ ପାଠ ପଢା ଆରମ୍ଭ କରିଥିବା ବେଳେ ଏପରି ଅଭାବନୀୟ ପରିସ୍ଥିତି ମଧ୍ୟରେ ସରକାରଙ୍କ ଆଶୀର୍ବାଦ ଯୋଜନାରେ କୁନି ଝିଅଟିକୁ ସାମିଲ କରାଗଲେ ତାର ପାଠ ପଢା ରେ ସହାୟକ ହୋଇପାରନ୍ତା ବୋଲି ଗ୍ରାମବାସୀ ମାନେ ମତବ୍ୟକ୍ତ କରିଛନ୍ତି ।


error: Content is protected !!