ଭୁବନେଶ୍ଵରକୁ ଜିଲ୍ଲା ଘୋଷଣା ଦାବିରେ ଦସ୍ତଖତ ଅଭିଯାନ


ବାଲିପାଟଣା ୧୭/୯: ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ପାଇଁ ଶତାଧିକ ମୁରବୀ ବୁଦ୍ଧିଜୀବୀ ବିଶିଷ୍ଟ ବ୍ୟକ୍ତି ଏହି ଅଭିଯାନରେ ବାଲିପାଟଣାରେ ସାମିଲ ହେଇଛନ୍ତି। ଏନେଇ ବାଲିପାଟଣା ଛକ ନିକଟରେ ଗତକାଲି ସ୍ୱାକ୍ଷର ସଂଗ୍ରହ ଅଭିଯାନ କରାଯାଇଥିଲା । ଭୁବନେଶ୍ବର ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ଏହାକୁ ଜିଲ୍ଲା ମାନ୍ୟତା ଦେବା ଲାଗି ସରକାରଙ୍କର ଦୃଷ୍ଟି ଆକର୍ଷଣ ନିମନ୍ତେ ଅନେକ ବୁଦ୍ଧିଜୀବୀ ଏକତ୍ରିତ ହୋଇଥିଲେ। ଏହି ପ୍ରସଙ୍ଗର ଯର୍ଥତାକୁ ବିଚାରକୁ ନେଇ, ଭୁବନେଶ୍ବରକୁ ଜିଲ୍ଲା ମାନ୍ୟତା ପ୍ରଦାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ ଆବଶ୍ୟକ ବୋଲି ମିଳିତ ମହାମଞ୍ଚ ପକ୍ଷରୁ ଆୟୋଜିତ ଅଭିଯାନରେ ମୁରବୀମାନେ ମତବ୍ୟକ୍ତ କରଥିଲେ । ଅଭିଯାନର ଆବାହକ ଆଇନଜୀବୀ ଲିଙ୍ଗରାଜ ସାହୁ, ସଂଯୋଜକ ସରୋଜ କୁମାର ସାହୁ, ବାଲିପାଟଣା ପ୍ରେସକ୍ଳବ ସଭାପତି ଦିଲ୍ଲୀପ କୁମାର ଓଝା, ସ୍ଥାନୀୟ ସଂଯୋଜକ ଆଇନଜୀବୀ ସୁରେଶ କୁମାର ଦାସ, ସମାଜସେବୀ ଜୟନ୍ତ ଭୋଇ, ରମେଶ ଚନ୍ଦ୍ର ଦାସ, ସନ୍ତୋଷ କୁମାର ବେହେରା, ଆଇନଜୀବୀ ଶକ୍ତି ପ୍ରସାଦ ଛୋଟରାୟ, ସମ୍ବିତ ରାୟ, ପ୍ରୀତିଶ ଦାସ, ପ୍ରମୋଦ କୁମାର ଭୋଇ ସମେତ ବହୁ ମୁରବୀ ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ । ମୁରବୀମାନେ କହିଥିଲେ ଯେ ଭୁବନେଶ୍ବର ଜିଲ୍ଲା ମାନ୍ୟତା ପାଇଲେ, ରାଜଧାନୀ ଉପକଣ୍ଠର ଗ୍ରାମବାସୀ ଓ ସହରବାସୀଙ୍କର ଲକ୍ଷ୍ୟ ପୂରଣ ହୋଇପାରିବ ଏବଂ ସରକାର ଜନସାଧାରଣଙ୍କର ହୃଦୟର ଆବେଗକୁ ସମ୍ମାନ ଦେଇଛନ୍ତି ବୋଲ ଚର୍ଚ୍ଚା ହେବ । ରାଜସ୍ୱ ମାମଲାର ବିଚାର ପାଇଁ ଲୋକଙ୍କୁ ଆଉ ଖୋର୍ଦ୍ଧାକୁ ଯାଇ ଅଯଥା ଖର୍ଚ୍ଚାନ୍ତ ଏବଂ ସମୟର ଅପଚୟ ହେବ ନାହିଁ । ଭୁବନେଶ୍ବର ଉପକଣ୍ଠରେ ଅବସ୍ଥିତ ଗ୍ରାମ ଗୁଡିକର ବିକାଶ ବ୍ୟବସ୍ଥା ଅଧିକ ତ୍ବରାନ୍ବିତ ହୋଇପାରିବ ।


error: Content is protected !!