ଆସନ୍ତାକାଲି ଠାରୁ ଆଉ ସଂସଦର ପୁରୁଣା ବିଲଡିଂରେ କୌଣସି ଅଧିବେଶନ ବସିବ ନାହିଁ। ସ୍ୱାଧୀନତା ପରଠାରୁ ପୁରୁଣା ବିଲଡିଂରେ ହିଁ ସଂସଦର କାର୍ଯ୍ୟ ସବୁ କରାଯାଉଥିଲା। କିନ୍ତୁ ଆସନ୍ତାକାଲି ଠାରୁ ସଂସଦର ନୂଆ ବିଲଡିଂରେ ସାଂସଦମାନେ ବସିବେ। ଉଭୟ ଲୋକସଭା ଓ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ କାଲି ଠାରୁ ୨୨ ତାରିଖ ଯାଏ ନୂଆ ବିଲଡିଂରେ ଚାଲିବ। ପୁରୁଣା ବିଲଡିଂ ଅନେକ ଐତିହାସିକ ନିଷ୍ପତ୍ତିର ସାକ୍ଷୀ ବନିଥିଲା। ଏହି ବିଲଡିଂରେ ଦେଶର ସମ୍ବିଧାନକୁ ଗ୍ରହଣ କରାଯାଇଥିଲା। ୧୯୨୭ରେ ଏହାର ନିର୍ମାଣ କାମ ଶେଷ ହୋଇଥିବା ବେଳେ ଏହାକୁ ଇତି ମଧ୍ୟରେ ୯୬ ବର୍ଷ ବିତି ଗଲାଣି।ଆଜି ସ୍ୱତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଅଭିଭାଷଣ ରଖୁଥିବା ବେଳେ ପୁରୁଣା ବିଲଡିଂକୁ ନେଇ ବେଶ ଭାବବିହ୍ୱଳ ହୋଇ ଯାଇଥିଲେ। ସେ ବିଲଡିଂର ପ୍ରତିଟି ଇଟାକୁ ମନେପକାଇଥିଲେ। ଏଥିସହ ସାଂସଦମାନେ ନୂଆ ଆଶା ଓ ବିଶ୍ୱାସର ସହ କାଲିଠାରୁ ନୂଆ ବିଲଡିଂରେ ପ୍ରବେଶ କରିବେ ବୋଲି କହିଥିଲେ।ଏହି ଐତିହାସିକ ସଂସଦ ବିଲଡିଂର ଡିଜାଇନ ବ୍ରିଟିଶ ଆର୍ଟିଟେକ ସାର ଏଡୱିନ ଲୁଟୟେନ୍ସ ଓ ହେରବେର୍ଟ ବାକେର ପ୍ରସ୍ତୁତ କରିଥିଲା। ଏହି ବିଲଡିଂ କେବଳ ଦେଶର ସ୍ୱାଧୀନତା ସଂଗ୍ରାମକୁ ଦେଖି ନାହିଁ, ବରଂ ଏହା ଉପରେ ଦେଶ କରିଥିବା ପ୍ରଗତିର ମୁକସାକ୍ଷୀ ବନିଛି।ସରକାରୀ ସୂତ୍ର ଅନୁସାରେ, ସଂସଦର ପୁରୁଣା ବିଲଡିଂକୁ ଆଦୌ ଭଙ୍ଗା ଯିବ ନାହିଁ। ଏହାକୁ ନବୀକରଣ କରାଯାଇ ସଂସଦୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରାଯିବ। ଏହା ଦେଶର ଗୋଟିଏ ଐତିହ୍ୟ ସମ୍ପତ୍ତି ହୋଇଥିବାରୁ ସରକାର ଏହାର ସଂରକ୍ଷଣ କରିବେ। ୨୦୨୧ରେ ତତ୍କାଳୀନ ସହରୀ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ରାଜ୍ୟସଭାରେ କହିଥିଲେ ଯେ ପୁରୁଣା ବିଲଡିଂର ମରାମତି କରାଯିବ ଓ ଏହାକୁ ଅଲଗା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରାଯିବ।ଜାତୀୟ ସ୍ମୃତିଗୁଡ଼ିକୁ ନୂଆ ବିଲଡିଂକୁ ସ୍ଥାନାନ୍ତର କରାଯିବ। ଫଳରେ ପୁରୁଣା ବିଲଡିଂରେ ଅଧିକ ସ୍ଥାନ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଖାଲି ହୋଇ ରହିବ। ଦରକାର ପଡ଼ିଲେ ପୁରୁଣା ବିଲଡିଂକୁ ଗୋଟିଏ ସଂଗ୍ରହାଳୟରେ ମଧ୍ୟ ପ୍ରସ୍ତୁତ କରାଯାଇ ପାରେ।ଚଳିତ ବର୍ଷ ମେ’ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିଥିଲେ। ଲୋକସଭା ଚ୍ୟାମ୍ବରରେ ଏକାଥରେ ୮୦୦ ଓ ରାଜ୍ୟସଭାରେ ୩୦୦ ଜଣ ବସି ପାରିବେ। ଲୋକସଭା ଚ୍ୟାମ୍ବରରେ ଯୁଗ୍ମ ଅଧିବେଶନ ପାଇଁ ୧୨୮୦ ଜଣ ସାଂସଦ ବସିବାର ବ୍ୟବସ୍ଥା ମଧ୍ୟ କରାଯାଇ ପାରିବ।ତ୍ରିକୋଣ ଆକାରରେ ପ୍ରସ୍ତୁତ ଏହି ଭବ୍ୟ ବିଲଡିଂଟି ୬୪,୫୦୦ ବର୍ଗ ମିଟର ଅଞ୍ଚଳରେ ରହିଛି। ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର ନାଁରେ ୩ଟି ପ୍ରବେଶ ପଥ ଏଠାରେ ଅଛି। ସେହିପରି ଭିଆଇପି, ସାଂସଦ ଓ ଅତିଥିଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଦ୍ୱାରର ବ୍ୟବସ୍ଥା ହୋଇଛି।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ବଢ଼ିଲା କମର୍ସିଆଲ ଗ୍ୟାସ ଦର
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ