ବାପାଙ୍କ ଦେହାନ୍ତ ପରେ ଶିଶୁ ପୁତ୍ର ଅନିରୁଦ୍ଧର ହାତ ଛାଡିଦେଲା ମା


ବାଲିପାଟଣା : ସ୍ଵାମୀଙ୍କ ଦେହାନ୍ତର କିଛି ମାସ ପରେ ନିଜର ଏକମାତ୍ର ଶିଶୁ ପୁତ୍ରକୁ ପଚାରିଲାନି ସ୍ତ୍ରୀ । ଘରେ ପକ୍ଷାଘାତ ରେ ଆକ୍ରାନ୍ତ ବୃଦ୍ଧ ଜେଜେ ବାପା ଓ ଜେଜେ ମାଙ୍କ କାନ୍ଧରେ ଶିଶୁପୁତ୍ର ର ଭାର । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ଆଇତଳଙ୍ଗ ଗ୍ରାମରେ । ସୂଚନା ଅନୁଯାୟୀ ଏହି ଗ୍ରାମର ପିତବାସ ଭୋଇ ଗତ ୨୦୨୧ ମସିହା ସେପ୍ଟେମ୍ବର ମାସରେ ଫୁସ୍ ଫୁସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇ ମାତ୍ର ୩୨ ବର୍ଷ ବୟସରେ ପ୍ରାଣ ହରାଇଥିଲେ । କିନ୍ତୁ ଦୁର୍ଭାଗ୍ୟ ର ବିଷୟ ନିଜ ଶିଶୁ ପୁତ୍ର ପ୍ରତି ସମସ୍ତ ବନ୍ଧନ ଚ୍ଛିନ୍ନ କରି ମା ରୂପାଲି ଅନ୍ୟତ୍ର ବିବାହ କରିବା ପରେ ଉଭୟ ପିତା ମାତା ଙ୍କ ସ୍ନେହ ରୁ ବଞ୍ଚିତ ହୋଇଗଲା ଶିଶୁ ପୁତ୍ର ଟି । ଅନ୍ୟପଟେ ଅନିରୁଦ୍ଧ ର ଜେଜେ ବାପା ବିମ୍ବାଧର ଭୋଇ (୭୫) ମଧ୍ୟ ପକ୍ଷାଘାତ ରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ଥିବାବେଳେ ଜେଜେ ମା ସୁଶୀଳା ଦେଇ (୭୦) ଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ଟିଏ ମଧ୍ୟ ମିଳିପାରି ନାହିଁ । ୬ ବର୍ଷର ଅନିରୁଦ୍ଧ ଏବେ ଦ୍ଵିତୀୟ ଶ୍ରେଣୀରେ ଅଧ୍ୟୟନ କରୁଛି । ଏପରି ଦୁର୍ଦ୍ଦଶା ସମୟରେ ଅନିରୁଦ୍ଧ ଏବେ ନିଜର ସମ୍ପର୍କୀୟ ବଡବାପା ପ୍ରଶାନ୍ତ ଭୋଇ ଏବଂ ବଡମା ମାମିନା ଭୋଇ ଙ୍କ ନିକଟରେ ଗଢ଼ୁଚି ନିଜ ର ଭବିଷ୍ୟତ । ଅସହାୟ ଶିଶୁ ମାନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିନରେ ଅନେକ ଯୋଜନା ରହିଛି । ଯଦି ଏହି ନିରୀହ ତଥା ଅସହାୟ ଶିଶୁ ଟିକୁ କୌଣସି ଏକ ଯୋଜନାରେ ସାମିଲ କରାଯାଇ ପାରନ୍ତା ତେବେ ତାର ଭବିଷ୍ୟତ ସୁରକ୍ଷିତ ହୋଇ ପାରନ୍ତା ବୋଲି ଅନିରୁଦ୍ଧର ଉଭୟ ବଡ ମା ଓ ବଡବାପା ପ୍ରକାଶ କରିଛନ୍ତି।


error: Content is protected !!