ଗଞ୍ଜାମରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ


ଉତ୍କଳ ଭୂଖଣ୍ଡର ପରମ ପୁରୁଷ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରିୟ ପ୍ରବାସ ହେଉଛି ଅବିଭକ୍ତ ଗଞ୍ଜାମ ଜିଲ୍ଲା। ଗଞ୍ଜାମ ମାଟି ହିଁ ଗୋପବନ୍ଧୁ ଙ୍କୁ ଅନେକ ପ୍ରେରଣା ଦେଇଥିଲା। ପୁଣ୍ଯାତ୍ମା ଗୋପବନ୍ଧୁ ସର୍ବପ୍ରଥମ ଥର ପାଇଁ 1902 ଜାନୁଆରୀ 13 ତାରିଖ ରେ ଗଞ୍ଜାମର ଖଲିକୋଟ ରାଜାଙ୍କ ଦ୍ଵାରା ଆୟୋଜିତ ରମ୍ଭା ଗଞ୍ଜାମ ଜାତୀୟ ସମିତି ବୈଠକ କୁ ଆସିଥିଲେ। ଅବଶ୍ୟ ସେ ସେତେବେଳକୁ ଛାତ୍ର ଥିଲେ। ରମ୍ଭା ଗଞ୍ଜାମ ଜାତୀୟ ସମିତି, ଗୋପବନ୍ଧୁଙ୍କୁ ଜାତୀୟ ଭାବରେ ଉଦବୁଦ୍ଧ କରିଥିଲା। ପୁନଶ୍ଚ ଏହା ପରବର୍ଷ ସେ ବ୍ରହ୍ମପୁର ଉତ୍କଳ ସିନେମା ନିକଟସ୍ଥ ପଞ୍ଚ ଦେଉଳ ସଭା କୁ ଆସିଥିଲେ, ସେଦିନର ତାରିଖ ଥିଲା 1903/ଏପ୍ରିଲ 11-12 ଏହା ପରେ ପରେ ଗୋପବନ୍ଧୁ ବର୍ଷରେ ଅନେକ ଥର ଗଞ୍ଜାମ ଆସୁଥିଲେ।1913 ଏପ୍ରିଲ 13 ତାରିଖ ରେ ଶ୍ରୀ ଶଶିଭୂଷଣ ରଥ ବ୍ରହ୍ମପୁରରୁ “ଆଶା”ପତ୍ରିକା ପ୍ରକାଶ କଲେ, ଗୋପବନ୍ଧୁ ଏହି ପତ୍ରିକାରୁ ସାମ୍ବାଦିକତାର ଖଡ଼ିଛୁଆଁ କଲେ। ବ୍ରହ୍ମପୁର ଆଶା ପ୍ରେସ ରୁ ଅଭିଜ୍ଞତା ହାସଲ କରି ମାସିକ”ସତ୍ୟବାଦୀ”ଏବଂ”ସମାଜ”ନାମରେ ସାପ୍ତାହିକ ପତ୍ରିକା ଆରମ୍ଭ କରିଥିଲେ। ଉଭୟ ପତ୍ରିକା ପ୍ରଥମେ ବ୍ରହ୍ମପୁରରେ ହିଁ ଛପା ହେଉଥିଲା ।1914 ଡିସେମ୍ବର 26 ଉତ୍କଳ ସମ୍ମିଳନୀର ପାରଳାଖେମୁଣ୍ଡି ଅଧିବେଶନ ରେ ମଧ୍ୟ ଗୋପବନ୍ଧୁ ଯୋଗ ଦେଇଥିଲେ। 1921 ମାର୍ଚ୍ଚ 23 ରେ ପ୍ରଥମ ଥର ପାଇଁ ମହାତ୍ମାଗାନ୍ଧୀ ଗଞ୍ଜାମ ଭ୍ରମଣ କରି ଜାତୀୟତାର ବାର୍ତ୍ତା ପ୍ରଚାର କରିଥିଲେ । ଗାନ୍ଧିଜୀଙ୍କ ସହିତ ଗୋପବନ୍ଧୁ ଏହି ଗସ୍ତ ସମୟରେ ଗାନ୍ଧିଜୀଙ୍କ ହିନ୍ଦୀ ଭାଷଣକୁ ଓଡ଼ିଆରେ ଅନୁବାଦ କରି ଲୋକଙ୍କୁ ବୁଝାଉ ଥିଲେ। ଏହି ଭଳି ଗୋପବନ୍ଧୁଙ୍କ ଗଞ୍ଜାମ ଭ୍ରମଣ ର ଲମ୍ବା ତାଲିକା ଅଛି ।ଗଞ୍ଜାମର ଖଲ୍ଲିକୋଟ, ରମ୍ଭା, ଛତ୍ରପୁର ବ୍ରହ୍ମପୁର, ଆସିକା, କବିସୂର୍ଯ୍ୟ ନଗର,ଗୋବରା, ଭଞ୍ଜନଗର, ପୋଲସରା, ପୁରୁଷୋତ୍ତମପୁର, ବେଲଗୁଣ୍ଠା ,ଶେରଗଡ଼, ଦିଗପହଣ୍ଡି ଭଳି ଅନେକ ସ୍ଥାନରେ ଗୋପବନ୍ଧୁ ଦାସଙ୍କ ପବିତ୍ର ପାଦ ପଡ଼ି, ଗଞ୍ଜାମ ମାଟି ଧନ୍ୟ ହୋଇଛି। ଗୋପବନ୍ଧୁ ମଧ୍ୟ ଅବିଭକ୍ତ ଗଞ୍ଜାମବାସୀଙ୍କ ଉତ୍କଳ ପ୍ରୀତିରେ ମୁଗ୍ଧ ହୋଇ ଲେଖିଛନ୍ତି “ଧନ୍ୟ ହେ ଗଞ୍ଜାମ ବାସୀ ଓଡ଼ିଆ ସକଳ”ଧନ୍ୟ ତୁମ୍ଭ କଉଶଳ ଧନ୍ୟ ତୁମ୍ଭ ବଳ ଉତ୍କଳମଣିଙ୍କ ଶେଷ ଗଞ୍ଜାମ ଭ୍ରମଣ ଥିଲା 18 ନଭେମ୍ବର 1926 ଦିନ । ଏହି ଦିନଟି ଥିଲା କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନ ସେ ଦିଗପହଣ୍ଡି ଆସି ସେଠାକାର ଶ୍ରୀ ଦଧିବାମନ ମନ୍ଦିର ଓ ଶ୍ରୀ ରାମଜୀ ମନ୍ଦିରରେ ଭାଗବତ ପାଠ କରିଥିଲେ। ଉତ୍କଳମଣିଙ୍କ ପବିତ୍ର ସ୍ମୃତିରେ ଆଜିମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାରେ ଦିଗପହଣ୍ଡି ଠାରେ ଭାଗବତ ପାଠ ହୁଏ ।● ତଥ୍ୟ :”ଡଃ ଅନନ୍ତରାମ କର କୈାଣ୍ଡିନ୍ଯ”ଭୀଷ୍ମଗିରି ଗଂଜାମ।


error: Content is protected !!