ଆଲେଫ ବୁକ୍ସର ଏହି ବହିଟି ଏବେ ବଜାରକୁ ଆସିଛି। ମହାତ୍ମା ଗାନ୍ଧୀଙ୍କ ନିଜ କଥା ଏଥିରେ ରହିଛି


ଗୋପାଳକୃଷ୍ଣ ଗାନ୍ଧୀଙ୍କ ସମ୍ପାଦନାରେ ପ୍ରକାଶିତ ଏହା ହେଉଛି ତୃତୀୟ ଖଣ୍ଡ। ଏଥିରେ ମହାତ୍ମା ଗାନ୍ଧୀ ଗୋପବନ୍ଧୁ ଦାସଙ୍କ ସମ୍ପର୍କରେ ଯାହା ଲେଖିଛନ୍ତି, ତାହା ଅତ୍ୟନ୍ତ ଆଗ୍ରହପୂର୍ଣ୍ଣ। ପୁସ୍ତକର 99-100 ପୃଷ୍ଠାରେ ଉଲ୍ଳେଖ ଅଛି ।”ମୁଁ ମାର୍ଚ୍ଚ ମାସରେ ଓଡ଼ିଶାରେ ଥିଲି।ମୋର ଧାରଣା ଥିଲା ଯେ ଚମ୍ପାରନ ଠାରୁ ବଳି ଗରିବ ବୋଧହୁଏ ଆଉ କେଉଁଠି ନାହାଁନ୍ତି। କିନ୍ତୁ ଓଡ଼ିଶା ଚମ୍ପାରନର ରେକର୍ଡ଼ ବି ଭାଙ୍ଗିଦେଇଛି।ଏହି ଶୁନଶାନ୍ ଇଲାକାରେ କେବଳ ଜଣେ ନେତା ହିଁ ଅଛନ୍ତି – ଗୋପବନ୍ଧୁ ଦାସ। ଜଗନ୍ନାଥ ପୁରୀ ଠାରୁ 12 ମାଇଲ ଦୂରରେ ସାକ୍ଷୀଗୋପାଳରେ ସେ ଗୋଟିଏ ସ୍କୁଲ୍ ଆରମ୍ଭ କରିଛନ୍ତି। ଏଠି ପାଠପଢ଼ା ଓ ହାତ କାମ ଉପରେ ଗୁରୁତ୍ବ ଦିଆଯାଉଛି। ସରକାର ଏହି ସ୍କୁଲକୁ ସ୍ବୀକୃତି ଦେଇଥିଲେ। କିନ୍ତୁ ଅସହଯୋଗ ଆନ୍ଦୋଳନ ନିଷ୍ପତ୍ତି ନିଆଯିବା ପରେ ଗୋପବନ୍ଧୁ ବାବୁ ସ୍ଵୀକୃତି ଫେରାଇଦେଲେ। ନିଜେ ସେ ଭିକ୍ଷା ମାଗି ଏହି ସ୍କୁଲ ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି। କିଛି ଓକିଲ ଏବଂ ଭଦ୍ରବ୍ୟକ୍ତିଙ୍କୁ ନେଇ ସେ ସେବା ସମାଜଟିଏ ଆରଂଭ କରିଛନ୍ତି। ମାସରେ ଦଶ/ ବାର ଟଙ୍କାରେ ସେମାନେ ଗୁଜୁରାଣ ମେଣ୍ଟାଉଛନ୍ତି। ସେମାନଙ୍କ ଦୈନଦିନ ଖାଦ୍ୟ ହେଲା ଭାତ, ଡାଲି,କେଇ ବୁନ୍ଦା ତେଲ ବା ଘିଅ। ମୁଁ ପଚାରିଲି ଏହିଭଳି ଦୁର୍ବଳ ଖାଦ୍ୟ ଖାଇ ସେମାନେ ସୁସ୍ଥ ସବଳ କେମିତି ରହିବେ? ଗୋପବନ୍ଧୁ ବାବୁ ଉତ୍ତର ଦେଲେ,’ ସ୍ବରାଜ ପାଇଁ ପେଟ ଚାଖଣ୍ଡେକୁ କଣ ଆମେ ବଳି ଦେଇ ପାରିବା ନାହିଁ?’ ମୁଁ ଚୁପ୍ ରହିଲି।”ଅନ୍ୟତ୍ର ଗାନ୍ଧୀ ଲେଖିଛନ୍ତି: “ଗୋପବନ୍ଧୁ ବାବୁଙ୍କ ସ୍କୁଲ ପରିଦର୍ଶନ ପରେ ଆମେ ଜଗନ୍ନାଥ ପୁରୀ ଗଲୁ। ଯେତେବେଳେ ମୁଁ ଦର୍ଶନ ପାଇଁ ଗଲି ମୋ ମୁଣ୍ଡକୁ ବହୁତ କଥା ଆସିଲା। ଜଗନ୍ନାଥଙ୍କ ବିପୁଳକାୟ ମୂର୍ତ୍ତିକୁ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହେବାକୁ ପଡ଼ିବ। ଯେଉଁଠି ଏହି ବିଗ୍ରହ ପ୍ରତିଷ୍ଠା ହୋଇଛନ୍ତି ସେହି ଗୃହରେ ଘନ ଅନ୍ଧକାର ରାଜୁତି କରୁଛି।ସେହି ସ୍ଥାନରେ ଆଲୁଅ ନାହିଁ କି ପବନ ନାହିଁ। ଗୋଟିଏ ବା ଦୁଇଟି ବତୀ ମିଞ୍ଜି ମିଞ୍ଜି ହୋଇ ଯାହା ଜଳୁଛି।ଅନ୍ୟ ଧାର୍ମିକ ସ୍ଥାନ ଭଳି ଏଠି ମଧ୍ୟ ପଣ୍ଡାମାନେ ଗୋଟିଏ ଗୋଟିଏ ଆତଙ୍କ। ସେମାନେ ଯାତ୍ରୀମାନଙ୍କୁ ଲୁଟୁଛନ୍ତି।ଜଗନ୍ନାଥ ଏହି ସବୁ ଅନ୍ୟାୟ ପ୍ରତି ନୀରବ ଦ୍ରଷ୍ଟା କେମିତି ସାଜିଛନ୍ତି କେଜାଣି।

‘● *ଭାସ୍କର ପରିଛା* ବରିଷ୍ଠ ସାମ୍ବାଦିକ ଭୁବନେଶ୍ବର


error: Content is protected !!