ଜଉଗଡ


ପ୍ରଦୀପ ମହାପାତ୍ର ବ୍ରହ୍ମପୁର ସହର ନିକଟବର୍ତ୍ତୀ ପୁରାତନ କୀର୍ତ୍ତିରାଜି ରୂପେ ‘ଜଉଗଡ଼’ ସୁବିଖ୍ୟାତ । ବ୍ରହ୍ମପୁରଠାରୁ ୩୫ କିଲୋମିଟର ତଥା ପୁରୁଷୋତ୍ତମପୁରଠାରୁ ପାଞ୍ଚ କିଲୋମିଟର ଦୂରରେ ଜଉଗଡ଼ ଅବସ୍ଥିତ । ଋଷିକୂଲ୍ୟା ନଦୀର ଉତ୍ତର ଦିଗ ତଥା ପୁରୁଷୋତ୍ତମପୁରର ପଶ୍ଚିମ ଦିଗରେ ପାଣ୍ଡିଆ ଗ୍ରାମ ନିକଟରେ ‘ଖପିଙ୍ଗଳ’ ପର୍ବତରେ ଏକ ପ୍ରଚ଼ୀନ ଦୁର୍ଗ ଦେଖିବାକୁ ମିଳେ । ସେଠାରେ ତିନିଗୋଟି ଫଳକରେ ମଗଧ ସମ୍ରାଟ ଅଶୋକଙ୍କ ଅନୁଶାସନ ଲିପିବଦ୍ଧ । ଅଶୋକ ଖ୍ରୀଷ୍ଟପୂର୍ବ ତୃତୀୟ ଶତାଦ୍ଦୀରେ ରାଜତ୍ୱ କରୁଥିଲେ । ସେ ଓଡ଼ିଶା, ତତ୍କାଳୀନ କଳିଙ୍ଗ ସହ ଯୁଦ୍ଧରେ ଜୟଲାଭ କରି ଶାସନଭାର ଗ୍ରହଣ କରିଥିଲେ । କଳିଙ୍ଗ ଯୁଦ୍ଧ ଅଶୋକଙ୍କୁ ଯୁଦ୍ଧଖୋରରୁ ଶାନ୍ତିପ୍ରିୟରେ ପରିବର୍ତ୍ତିତ କରିଥିବା ଇତିହାସ ପୃଷ୍ଠାରେ ବର୍ଣ୍ଣିତ । କଳିଙ୍ଗ ଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଅଶୋକ ପ୍ରଜାମାନଙ୍କ ମଙ୍ଗଳ ସକାଶେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ । ସେ ନିଜର ଉଦାରବାଦୀ ଶାସନ ନୀତି କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ସମ୍ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶିଳା ଗାତ୍ରରେ ଅନୁଜ୍ଞା ଖୋଦିତ କରି ପ୍ରଚାର ବ୍ୟବସ୍ଥା କରିଥିବା ଓଡ଼ିଶା ସମେତ ଉତ୍ତରପ୍ରଦେଶ, ଗୁଜରାଟ, ପାକିସ୍ତାନ, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରେ ବିଦ୍ୟମାନ ।ଅଶୋକଙ୍କ ଶାସନକାଳରେ କଳିଙ୍ଗର ରାଜଧାନୀ ତୋଷାଳୀ ଥିଲା । ଢେଙ୍କାନାଳର ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ମତରେ ତୋଷାଳୀ ବର୍ତ୍ତମାନର ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଅବସ୍ଥିତ ଥିଲା । ଜଉଗଡ଼ ଶିଳାଲେଖାରେ ‘ସମାପା’ର ନାମ ଉଲ୍ଲେଖ ରହିଛି । ଜଉଗଡ଼ ସମୀପବର୍ତ୍ତୀ ‘ସମା’ ଗ୍ରାମ କଳିଙ୍ଗର ଦ୍ୱିତୀୟ ରାଜଧାନୀ ଥିବା ସେ ଉଲ୍ଲେଖ କରିଛନ୍ତି । ଅଶୋକ ନିଜ ଧର୍ମାନୁଶାସନ ପ୍ରଚାର କରିବା ନିମନ୍ତେ ‘ଧର୍ମ ମହାମାତ୍ର’ ନାମରେ ସ୍ୱତନ୍ତ୍ର ରାଜକର୍ମଚାରୀ ନିଯୁକ୍ତ କରିଥିଲେ । ସେମାନେ ଜନବସତିଗୁଡିକରେ ପ୍ରତି ଚାରିମାସରେ ଥରେ ଅନୁଶାସନଗୁଡ଼ିକୁ ଜନସାଧାରଣଙ୍କୁ ପଢ଼ି ବୁଝାଉଥିଲେ । ସମାପା ଅର୍ଥାତ ଜଉଗଡ଼ ଅଞ୍ଚଳରେ ଏହି ପ୍ରଚାର କାର୍ଯ୍ୟ ଲାଗି ‘ଦକ୍ଷିଣାଞ୍ଚଳ ମହାମାତ୍ର’ କାର୍ଯ୍ୟରତ ରହିଥିବା ଜଣାଯାଏ ।ଓଡ଼ିଶାରେ ଅଶୋକଙ୍କ ଶିଳାଲେଖ ଭୁବନେଶ୍ୱର ନିକଟବର୍ତ୍ତୀ ଧଉଳି ଓ ବ୍ରହ୍ମପୁର ନିକଟବର୍ତ୍ତୀ ଜଉଗଡ଼ରେ ଦେଖିବାକୁ ମିଳେ । ଏଥିରେ ୧୪ ଗୋଟି ଅନୁଜ୍ଞା ଖୋଦିତ । ଧଉଳି ଓ ଜଉଗଡ଼ର ଅନୁଜ୍ଞା ମଧ୍ୟରେ ମେଳ ଖାଏ । ତେବେ ଜଉଗଡ଼ର ୧୧ଶ, ୧୨ଶ ଓ ୧୩ଶ ଅନୁଜ୍ଞା ବଦଳରେ ଦୁଇଗୋଟି ସ୍ୱତନ୍ତ୍ର ଅନୁଜ୍ଞା ରହିଛି । ଏଥିରେ ଦକ୍ଷିଣାଞ୍ଚଳ କଳିଙ୍ଗବାସୀ ରାଜାଙ୍କୁ ଭୟ ନକରି ଧର୍ମ ଆଚ଼ରଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ସୀମାନ୍ତବାସୀ କଳିଙ୍ଗ ଯୁଦ୍ଧରେ ଅଂଶଗ୍ରହଣ କରିନଥିବା ହେତୁ ଅପରାଜିତ ରହିଥିଲେ । ଜଉଗଡ଼ ଶିଳାଲେଖର ଭାଷା ପାଲି ଓ ଲିପି ବ୍ରାହ୍ମୀ ବୋଲି ସମ୍ୱଲପୁରର ଇତିହାସ ଅଧ୍ୟାପକ ସ୍ୱର୍ଗତ ଡ଼କ୍ଟର ନବୀନ କୁମାର ସାହୁ ମତ ପୋଷଣ କରିଥିଲେ । କିନ୍ତୁ ବ୍ରହ୍ମପୁରର ଓଡ଼ିଆ ଭାଷାସାହିତ୍ୟ ଅଧ୍ୟାପକ ସ୍ୱର୍ଗତ ଡ଼କ୍ଟର ବେଣୀମାଧବ ପାଢ଼ୀ ଏହି ଶିଳାଲେଖର ଭାଷା ‘ଓଡ୍ର ମାଗଧୀ’ ବୋଲି ସୂଚାଇ ଥିଲେ । ଲିପିରେ ଖୋଦିତ କେତେକ ଶବ୍ଦ ପ୍ରାଚ଼ୀନ ଓଡ଼ିଆ ଭାଷା ବୋଲି ଅନୁଭୂତ ହୋଇଥାଏ । ଜନସାଧାରଣଙ୍କ ମଧ୍ୟରେ ପ୍ରଚାର ଉଦ୍ଦେଶ୍ୟରେ ରଚ଼ିତ ରାଜାଦେଶ ଦେଶୀୟ ଭାଷାରେ ଲିଖିତ ଥିବା ସେ ଯୁକ୍ତି ବାଢ଼ିଥିଲେ ।କେତେକ ଐତିହାସିକଙ୍କ ମତରେ ଜଉଗଡ଼ର ପ୍ରାଚ଼ୀନ ନାମ ‘ଜଗତ’ ଥିଲା । ତାହା ଅପଭ୍ରଂଶରେ ‘ଜଉଗଡ଼’ରେ ପରିଣତ ହୋଇଛି । ଜଉଗଡ଼ସ୍ଥିତ ପ୍ରାଚୀନ ଦୁର୍ଗର ଚ଼ର୍ତୁଦ୍ଦିଗରେ ଆଠଗୋଟି ପ୍ରବେଶ ଦ୍ୱାର ଥିବା କୁହାଯାଏ । ନିକଟ ଅତୀତରେ ଭାରତ ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗ ଦ୍ୱାରା ପରୀକ୍ଷାମୂଳକ ଖନନ କରାଯାଇଥିଲା । ସେଥିରୁ ନୂତନ ପ୍ରସ୍ତର ଯୁଗରେ ବ୍ୟବହୃତ କେତେକ ସାମଗ୍ରୀ ମିଳିଥିଲା । କଟକର ବାରବାଟୀ ଦୁର୍ଗ ଅଞ୍ଚଳରେ ୨୦୨୩ ଅକ୍ଟୋବର ମାସରୁ ପ୍ରତ୍ନତାତ୍ତ୍ୱିକ ଖନନ ଆରମ୍ଭ ହୋଇଥିବା ଗଣମାଧ୍ୟମରେ ପ୍ରକାଶିତ । ଜଉଗଡ଼ ମଧ୍ୟ ଅଧିକ ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନ ଆବଶ୍ୟକ କରେ । ଐତିହାସିକ ତଥ୍ୟ ଅନୁଯାୟୀ ପ୍ରାଚ଼ୀନକାଳରେ ଉତ୍ତର ଭାରତରୁ ଦକ୍ଷିଣ ଭାରତ ଯାତ୍ରା କରିବା ନିମନ୍ତେ ଏକ ସୁପ୍ରଶସ୍ତ ରାସ୍ତା ଧଉଳିଗିରି ଓ ଜଉଗଡ଼ ଦେଇ ଗତି କରିଥିଲା । ଉଭୟ ଧଉଳିଗିରି ଓ ଜଉଗଡ଼ରେ ଘଞ୍ଚ ଜନବସତି ଥିଲା । ଏହି କାରଣରୁ ସମ୍ରାଟ ଅଶୋକ ଏହି ଦୁଇ ସ୍ଥାନରେ ଶିଳାଲେଖରେ ଅନୁଶାସନ ଖୋଦନ କରାଇଥିବା ଅନୁମାନ କରାଯାଇପାରେ । ‘ବ୍ରହ୍ମପୁର ଡ଼ାଏରୀ’ ସାପ୍ତାହିକ ସ୍ତମ୍ୱର ପାଠକ-ପାଠିକା ସଂଖ୍ୟା ବୃଦ୍ଧି ଉଦ୍ଦେଶ୍ୟରେ ଏକ ନୂତନ ଫେସବୁକ ପୃଷ୍ଠା ‘ପେଜ’ ଉନ୍ମୋଚ଼ିତ ହୋଇଛି । ଏଣିକି ପ୍ରତି ଶନିବାର ସହରର ଜନଜୀବନ ଚର୍ଚ୍ଚାରେ ଅଂଶଗ୍ରହଣ ନିମନ୍ତେ ନିମ୍ନ ସଂଯୋଗ ‘ଲିଙ୍କ’କୁ ଯାଇ ଅନୁସରଣ ‘ଫଲୋ’ କରନ୍ତୁ :https://www.facebook.com/brahmapurdiary


error: Content is protected !!