ଚିକିତ୍ସାରେ ଅର୍ଥ ସାଜିଛି ବାଧକ


ବାଲିପାଟଣା:(ଅରୁଣ କୁମାର ଶତପଥୀ):- ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ବସନ୍ତମାଳ ଗ୍ରାମର ରାକେଶ ମହାରଣା (୨୬) ଆଜକୁ ଦେଢ଼ ବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ । ସହାୟତା ଅପେକ୍ଷାରେ ପରିବାର । ପରିବାର କହିଲେ ରାକେଶ ର ମା ଅନେକ ବର୍ଷ ହେବ ଆରପାରିରେ,ଭାଇ ରାଜେଶ କୁରୁଞ୍ଜିପୁର ସେବା ସମବାୟ ସମିତିରେ ଜଣେ ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀ, ବାପା ରାମଚନ୍ଦ୍ର ମହାରଣା (୫୫) ନିଜର କୌଳିକ ବୃତ୍ତି ସହିତ ନିଜର ସ୍ୱଳ୍ପ ଚାଷଜମି ଉପରେ ନିର୍ଭର କରି ଚଳନ୍ତି। ପୁଅ ରାକେଶ ଦେଢ଼ ବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ତାର ଚିକିତ୍ସା ପାଇଁ ନିଜର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରିବା ପରେ ଏବେ ଅସହାୟ ଅବସ୍ଥାରେ ପହଂଚିଛନ୍ତି ରାମଚନ୍ଦ୍ର । ଏବେ ପ୍ରତି ମାସରେ ରାକେଶ ର ଡ଼ାଏଲସିସ ବାବଦରେ ୨୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଆବଶ୍ୟକ ହେଉଛି । ଡାକ୍ତର ଙ୍କ ତଥ୍ୟ ଅନୁସାରେ ଦୁଇଟି ଯାକ କିଡନୀ ସମ୍ପୂର୍ଣ ଖରାପ ହୋଇଯାଇଛି । ବାପା ରାମଚନ୍ଦ୍ର ତାଙ୍କର କିଡନୀ ଦେବାକୁ ଇଚ୍ଛୁକ ମାତ୍ର ପ୍ରତିରୋପଣ ବାବଦ କୁ ଖର୍ଚ୍ଚ ହେବ ୧୦ ରୁ ୧୨ ଲକ୍ଷ ଟଙ୍କା । ଏକଥା ଶୁଣିବା ପରେ ରାମଚନ୍ଦ୍ର ଙ୍କ ପାଦ ତଳୁ ମାଟି ଖସିଯିବା ପରି ଅବସ୍ଥା ଦେଖାଦେଇଛି । ବିଏସକେୱାଈ କାର୍ଡ ରେ ଅଛି ପାଞ୍ଚ ଲକ୍ଷ ଟଙ୍କା କିନ୍ତୁ ପ୍ରତିରୋପଣ ପାଇଁ ଆହୁରି ପାଞ୍ଚ ରୁ ସାତ ଲକ୍ଷ ଟଙ୍କା ଆବଶ୍ୟକ । ଏପରି ଏକ ଦୁଃଖଦ ଖବର ପାଇବା ପରେ ସମାଜସେବୀ ସଂଗଠନ ବର୍ଣ୍ଣ ଟୁ ହେଲ୍ପ ଅଲ୍ ର ସଦସ୍ୟ ମାନେ ରାକେଶ ର ଚିକିତ୍ସା ପାଇଁ ଭିକ୍ଷାବୃତ୍ତି କରି କିଛି ଅର୍ଥ ସହାୟତା କରିବା ସହିତ ରାଜଧାନୀ ର ଏକ ବେସରକାରୀ ହସ୍ପିଟାଲ୍ ରେ ଆଡମିଟ କରାଇ ଯଥା ସମ୍ଭବ ସହାୟତା କରୁଛନ୍ତି । କିନ୍ତୁ ରାକେଶ ର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥା,ବ୍ୟକ୍ତି କିମ୍ବା ଅନୁଷ୍ଠାନ ରାକେଶ ର ଚିକିତ୍ସା ପାଇଁ ସହାୟତା ର ହାତ ବଢାଇଲେ ରାକେଶ ର ଚିକିତ୍ସା ହୋଇ ପାରନ୍ତା ବୋଲି ବର୍ଣ୍ଣ ଟୁ ହେଲ୍ପ ଅଲ୍ ର ପ୍ରତିଷ୍ଠାତା ପପକ୍ ରଞ୍ଜନ ବାରିକ ପ୍ରକାଶ କରିଛନ୍ତି। ରାକେଶ କୁ ସହାୟତା ଦେବାକୁ ଇଚ୍ଛୁକ ଦୟାଳୁ ବ୍ୟକ୍ତି କିମ୍ବା ସଂଗଠନ ରାକେଶ ର ଫୋନ ପେ ନମ୍ୱର୍ ୯୦୯୦୪୪୩୬୦୯ ମାଧ୍ୟମରେ ସହାୟତା ପଠାଇବାକୁ ଅନୁରୋଧ କରାଯାଉଛି ।


error: Content is protected !!