ପ୍ରଦ୍ୟୋତ ଭଟ୍ଟାଚାର୍ଯ୍ୟ


ଜେଲ୍ ଭିତରେ ଭୟାବହ ଅତ୍ୟାଚାର । ମାଡ଼ ଖାଇ ଖାଇ ସଂଜ୍ଞା ହରାଇ ବସୁଛି ମାଜିଷ୍ଟ୍ରେଟ ମିଷ୍ଟର ଡଗଲାସ୍‌ଙ୍କ ହତ୍ୟା ଅଭିଯୁକ୍ତରେ ଦୋଷୀ ସାବ୍ୟସ୍ତ, ହାତଗୋଡରେ ବେଡି ବନ୍ଧାଯାଇଥିବା ଯୁବକଟି । ପିଠି ,ପିଚା,ଜଙ୍ଘ ଓ ବାହୁ ରେ ମାଡ଼ ହେତୁ ନୋଳା ପଡ଼ି ଯାଇଛି । ଗୋଟିଏ ଦୁଇଟି କ୍ଷତରୁ ରକ୍ତ ଝରୁଛି । ମୁଣ୍ଡରେ ପାଣି ଅଜାଡ଼ି ମୁଣ୍ଡର ଚୁଟିକୁ ମୁଠେଇ ଧରି ଭିଡି ଉଠାଉଛି ରାକ୍ଷସ ପୋଲିସ । ପୁଣି ଆରମ୍ଭ ହେଉଛି ନିର୍ମମ ପ୍ରହାର । କିନ୍ତୁ କି ଆଶ୍ଚର୍ଯ୍ୟ , ଯୁବକଟିର ମନୋବଳ ଆଦୌ ଭାଙ୍ଗି ପାରୁନାହିଁ ଦୁର୍ଦ୍ଦାନ୍ତ ପୋଲିସ୍ । ଭୁପେନ୍ ଦାରୋଗା ବ୍ୟଙ୍ଗ କରି କହୁଛନ୍ତି — ” ଛିଃ… ପ୍ରଦ୍ୟୋତ , ତୋ ପରି ବୁଦ୍ଧିମାନ ପିଲା ଏମିତି ଭୁଲ୍ କଲା କେମିତି ? ଶେଷରେ ଏମିତି ପିସ୍ତଲ ଧରି ଗଲୁ ଯାହା ଆଦୌ କାମ କରୁନଥିଲା ? ଲୁହା ଶିକୁଳି ବନ୍ଧା ଦୁଇ ହାତ ଉପରକୁ କରି ଯୁବକଟି କହିଥିଲା — ” Irony of fate Bhupen babu ! Had my revolver spoken out I would not have been here in this condition, the story would have been otherwise. “ଏଥର ବିଚାର ର ନାଟକ । ଟ୍ରିବୁନାଲ୍‌ର ଅନ୍ୟତମ ବିଚାରପତି ଜ୍ଞାନାଙ୍କୁର ଦେ ICS ମତ ଦେଲେ – ” ଅସମ୍ଭବ ! ଆସାମୀର ବୟସ କମ୍ , ଫାଶୀ ଦିଆଯାଇ ପାରିବ ନାହିଁ । ଏହା ବ୍ୟତୀତ ସାକ୍ଷ୍ୟ ପ୍ରମାଣ ରୁ ଜଣାଯାଇଛି ଯେ ଅସ୍ତ୍ରଟି କାମ କରୁନଥିଲା । ହୁଏତ ଅନ୍ୟ କେହି ଗୁଳି କରିଛି ।”କିନ୍ତୁ ଅନ୍ୟ ଦୁଇଜଣ ଇଂରେଜ ବିଚାରପତି ମୃତ୍ୟୁଦଣ୍ଡ କାଏମ୍ ରଖିଲେ ।ତା’ପରେ ସେହି ଦିନ ଆସି ପହଞ୍ଚିଲା , ୧୯୩୩ ମସିହା ଜାନୁଆରୀ ୧୨ ତାରିଖ । ଜେଲ୍ ଘଣ୍ଟା ରେ ସାଢେ଼ ପାଞ୍ଚଟା । ଢଂ ଢଂ ଶବ୍ଦରେ ଚେଇଁ ଉଠିଲା ଭୋର୍ । କନକନିଆ ଶୀତ , ଚାରିଆଡ଼େ କୁହୁଡି । ସିପାହୀମାନେ ଆସି ଦେଖିଲେ ପ୍ରଦ୍ୟୋତର ଗାଧୁଆପାଧୁଆ ଶେଷ । ଗୀତା ପାଠ ମଧ୍ୟ ସରିଯାଇଛି । ଛଅ ବାଛିବାକୁ ଆଉ ତିନି ମିନିଟ ଅଛି , ତାଙ୍କୁ ସେଲ୍ ଭିତରୁ ଫାଶୀ ମଞ୍ଚକୁ ନିଆଗଲା । ହଠାତ୍ ଜେଲ୍ ଭିତରଟା ସବୁ ସେଲ୍ ଭିତରୁ ” ପ୍ରଦ୍ୟୋତ କୁମାର କି ଜୟ ” ଧ୍ବନିରେ ପ୍ରକମ୍ପିତ ହେବାକୁ ଲାଗିଲା । ମଞ୍ଚ ଉପରେ ଛିଡ଼ା ହେଲେ ନିହତ ଡଗଲାସ୍‌ଙ୍କର ପରବର୍ତ୍ତୀ ଜିଲ୍ଲା ମାଜିଷ୍ଟ୍ରେଟ ମିଷ୍ଟର ବାର୍ଜ । ପଚାରିଲେ -‘Are you ready?’ ବିବେକାନନ୍ଦଙ୍କ ଆହ୍ବାନରେ ବିପ୍ଳବର ଜ୍ଵଳନ୍ତ ଅଗ୍ନିକୁଣ୍ଡକୁ ଡେଇଁ ପଡ଼ିଥିବା ତରୁଣ ବିପ୍ଳବୀ ପ୍ରଦ୍ୟୋତ ଭଟ୍ଟାଚାର୍ଯ୍ୟ ଶାନ୍ତ ଭାବରେ କହିଲେ -‘One minute please Mr. Burge, I have something to say.’ ମିଷ୍ଟର ବାର୍ଜ ଅନୁମତି ଦେଲେ ।ଏଥର ହସି ହସି ପ୍ରଦ୍ୟୋତ କହିଲେ — ‘We are determined, Mr. Burge, not to allow any European to remain at Midnapore. Yours is the next turn. Get yourself ready.’( ପ୍ରଦ୍ୟୋତଙ୍କର ଏହି ଭବିଷ୍ୟବାଣୀ ସତ ହୋଇଥିଲା । ସାତ ମାସ ପରେ ମିଷ୍ଟର ବାର୍ଜ ଙ୍କୁ ବିପ୍ଳବୀ ମାନେ ହତ୍ୟା କରିଥିଲେ )ସାମାନ୍ୟ ବିରତି ନେଇ ପ୍ରଦ୍ୟୋତ ପୁଣି କହିଥିଲେ –, ‘I am not afraid of death. Each drop of my blood will give birth to hundreds of Prodyots in all houses of Bengal. Do your work please.’କଳା କନାରେ ମୁହଁ ଘୋଡାଇ ଦିଆଗଲା । ଫାଶୀ ଦଉଡି ବେକରେ ପିନ୍ଧା ହେଲା । ଶେଷଥର ପାଇଁ ପ୍ରଦ୍ୟୋତ ଉଚ୍ଚାରଣ କଲେ –” ବନ୍ଦେ ମାତରମ୍ ” । ତାଙ୍କର ଦୁଇ ବଡ଼ଭାଇ ଛିଡ଼ା ହୋଇ ଦେଖିଲେ ସାନଭାଇ ର ମୃତ୍ୟୁଦଣ୍ଡ। ଯାହାଙ୍କର ଆହ୍ଵାନରେ ସେ ବିପ୍ଳବର ପଥ ବାଛି ନେଇଥିଲେ , ସେହି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନରେ ହିଁ ଫାଶୀ ପାଇଲେ ପ୍ରଦ୍ୟୋତ । ବୟସ ମାତ୍ର ୧୯ ବର୍ଷ ।ଇତିହାସ ପୃଷ୍ଠାରେ ଅନାଲୋଚିତ ବୀର ବିପ୍ଳବୀ ପ୍ରଦ୍ୟୋତ ଭଟ୍ଟାଚାର୍ଯ୍ୟଙ୍କୁ ଶତ ଶତ ପ୍ରଣାମ ।


error: Content is protected !!