March 14, 2026

Now Odisha

Now Odisha

ଓଡିଶା ପ୍ରତିନିଧିମଣ୍ଡଳୀର ପାଂଚ ଦିନିଆ ପୋଲାଣ୍ଡ ଗସ୍ତ

Spread the love

ଭାରତ ନିର୍ବାଚନ ଆୟୋଗକୁ ପ୍ରତିନିଧିତ୍ୱ କରି ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ପାଞ୍ଚଜଣିଆ ପ୍ରତିନିଧି ମଣ୍ଡଳୀଙ୍କ ପୋଲାଣ୍ଡ ଗସ୍ତ ସମାପ୍ତ ହୋଇଛି । ପ୍ରଥମଥର ପାଇଁ ଓଡ଼ିଶାର ପ୍ରତିନିଧିମଣ୍ଡଳୀ ଏଭଳି ଏକ ଅନ୍ତର୍ଜାତୀୟ ଗସ୍ତର ଅଂଶବିଶେଷ ହେବାର ସୌଭାଗ୍ୟ ଲାଭ କରିଛନ୍ତି ।

ବିଶ୍ୱର ଲୋକତନ୍ତ୍ରଗୁଡ଼ିକ ସହ ସମ୍ପର୍କ ଓ ସହଯୋଗ ସୁଦୃଢ କରିବା ଏବଂ ପରସ୍ପର ମଧ୍ୟରେ ଜ୍ଞାନକୌଶଳର ବିନିମୟ ଦ୍ୱାରା ନିର୍ବାଚନ ପରିଚାଳନା ପ୍ରଣାଳୀକୁ ଅଧିକ ଉନ୍ନତ କରିବା ଏହି ଗସ୍ତର ଲକ୍ଷ୍ୟ ଅଟେ ।

ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍‌. ଗୋପାଳନ କହିଛନ୍ତି ଯେ, ଏହି ଗସ୍ତ ଓଡିଶା ପାଇଁ ଏକ ବିଶେଷ ଗୌରବର ଅବସର । ଅଧିକାରୀମାନଙ୍କ ଏଭଳି ଅନ୍ତର୍ଜାତୀୟ ଅଭିଜ୍ଞତା ଓଡ଼ିଶାର ନିର୍ବାଚନ, ଭୋଟର ତାଲିକା ପରିଚାଳନା ଆଦି କ୍ଷେତ୍ରରେ ବହୁ ମାତ୍ରାରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ପାଞ୍ଚ ଜଣିଆ ପ୍ରତିନିଧିମଣ୍ଡଳୀକୁ ଅତିରିକ୍ତ ଶାସନ ସଚିବ ତଥା ଜାତୀୟସ୍ତରୀର ମାଷ୍ଟର ଟ୍ରେନର ଶତ୍ରୁଘ୍ନ କର, ଅତିରିକ୍ତ ଶାସନ ସଚିବ ତଥା ଜାତୀୟସ୍ତରୀର ମାଷ୍ଟର ଟ୍ରେନର ପ୍ରମୋଦ କୁମାର ସାହୁ, ଖୋର୍ଦ୍ଧା ଜ଼ିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଅମ୍ରିତ ଋତୁରାଜ, ଉପଜିଲ୍ଲାପାଳ, ଭୁବନେଶ୍ୱର ଡ଼ ମନୋରଞ୍ଜନ ସାହୁ, ବୁଥ ସ୍ତରୀୟ ଅଧିକାରୀ (ବୁଥ ନ ୧୪୪-୧୧୨ ବିଧାନସଭା ମଣ୍ଡଳୀ) ଚିନ୍ମୟ କୁମାର ସୀତ ପ୍ରତିନିଧିତ୍ୱ କରିଥିଲେ ।

ପୋଲାଣ୍ଡର ରାଜଧାନୀ ୱାର-ସରେ ପହଂଚିବା ପରେ, ପ୍ରତିନିଧିମଣ୍ଡଳୀ ପ୍ରଥମେ ଭାରତୀୟ ଦୂତାବାସରେ ଭାରତୀୟ ମିଶନର ମୁଖ୍ୟଙ୍କ ସହିତ ସୌଜନ୍ୟ ସାକ୍ଷାତ କରିଥିଲେ । ତାପରେ ସେମାନେ ଦୁଇଜଣ ନିର୍ବାଚନ କମିଶନର (ନ୍ୟାୟାଧୀଶ) ଏବଂ ଇଂଟରନେଶନାଲ ରିଲେସନ ନିର୍ଦ୍ଦେଶକଙ୍କ ସହିତ ୯୦ ମିନିଟରୁ ଅଧିକ ସମୟ ଧରି ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଏହି ବୈଠକ ଉଭୟ ଗଣତନ୍ତ୍ରର ଶ୍ରେଷ୍ଠ ପଦକ୍ଷେପ ଓ ନିର୍ବାଚନ ପରିଚାଳନାର ଉନ୍ନତିକରଣ ଉପରେ ବିଶେଷ ଭାବରେ କେନ୍ଦ୍ରୀଭୁତ ଥିଲା ।

ବୈଠକରେ ଭାରତ ପକ୍ଷରୁ ତିନୋଟି ପ୍ରେଜେଂଟଟେସନ ଦିଆଯାଇଥିଲା । ପ୍ରଥମ ପ୍ରସ୍ତୁତିରେ ଅତିରିକ୍ତ ଶାସନ ସଚିବ ଶ୍ରୀ କର ଭାରତୀୟ ନିର୍ବାଚନ ପରିଚାଳନା ଉପରେ ଏକ ସାମଗ୍ରିକ ଚିତ୍ର ଉପସ୍ଥାପିତ କରିଥିଲେ । ଦ୍ୱିତୀୟ ପ୍ରସ୍ତୁତିରେ ଅତିରିକ୍ତ ଶାସନ ସଚିବ ଶ୍ରୀ ସାହୁ ଇଭିଏମ୍ ର କାର୍ଯ୍ୟପ୍ରଣାଳୀ, ମତଦାନ ଦିନର ବ୍ୟବସ୍ଥା ଏବଂ ଗଣନା ପ୍ରକ୍ରିୟା ସମ୍ବନ୍ଧରେ ବ୍ୟାଖ୍ୟା କରିଥିଲେ ସେହିପରି ତୃତୀୟ ପ୍ରସ୍ତୁତିରେ ଜିଲ୍ଲା ନିର୍ବାଚନ ଅଧିକାରୀ, ଖୋର୍ଦ୍ଧା ଶ୍ରୀ ଋତୁରାଜ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା,କ୍ଷେତ୍ରସ୍ତରୀୟ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରତିନିଧିମଣ୍ଡଳୀ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତର ନିର୍ବାଚନ ପରିଚାଳନା ମଡ଼େଲ, ଇଭିଏମ୍ ଓ ଭିଭିପାଟ୍ ସଫଳ ବ୍ୟବହାର, ପ୍ରଯୁକ୍ତି ବିଦ୍ୟାର ସଠିକ ପ୍ରୟୋଗ, କୋଟି କୋଟି ମତଦାତାଙ୍କ ପରିଚାଳନା, ସ୍ୱତନ୍ତ୍ର ଓ ସ୍ୱାଧୀନ ଅଡିଟ୍ ଓ ଯାଞ୍ଚ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ପୋଲାଣ୍ଡର ଅଧିକାରୀମାନଙ୍କୁ ଅବଗତ କରିଥିଲେ ।

ପୋଲାଣ୍ଡର ଅଧିକାରୀମାନେ ଏହି ପ୍ରସ୍ତୁତିଗୁଡ଼ିକର ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କ ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥା, ରାଜନୈତିକ ଢାଞ୍ଚା, ନିର୍ବାଚନରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଆଦି ସମ୍ବନ୍ଧରେ ସବିଶେଷ ଅବଗତ କରିଥିଲେ।

ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆଗାମୀଦିନରେ ଅଧିକ ମଜଭୁତ କରାଯାଇ ଉଭୟ ଦେଶର ନିର୍ବାଚନୀ ପ୍ରକ୍ରିୟାକୁ ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଏହି ଆଲୋଚନାରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଆଲୋଚନା ପରେ, ପ୍ରତିନିଧିମଣ୍ଡଳୀ ପୋଲାଣ୍ଡର ମତଦାନ କେନ୍ଦ୍ର, ମତଦାତା ପଞ୍ଜିକରଣ କାର୍ଯ୍ୟାଳୟ ଓ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ସେମାନଙ୍କୁ ସେଠାରେ ମତଦାନ ପୂର୍ବର ଓ ମତଦାନ ପରର ନିର୍ବାଚନୀ ପଦକ୍ଷେପ ଓ ପରିଚାଳନା ବିଷୟରେ ପୋଲାଣ୍ଡର ଅଧିକାରୀମାନେ ଅବଗତ କରିଥିଲେ ।

error: Content is protected !!