December 13, 2025

Now Odisha

Now Odisha

ବାରବାଟୀରେ ଭାରତର ବିଜୟ ଉତ୍ସବ ମଧ୍ୟରେ ଲୁଟ୍; ଦର୍ଶକଙ୍କ ମୋବାଇଲ୍, ପର୍ସ ଚୋରି

Spread the love

କଟକ,୧୦।୧୨: ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି-୨୦ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଦାର ବ୍ୟାଟିଂ ଓ ବୋଲିଂ ବଳରେ ଭାରତ ଏକତରଫା ବିଜୟ ହାସଲ କରିଛି। ଦର୍ଶକେ ଏହି ବିଜୟରେ ବେଶ୍ ଖୁସି ପ୍ରକଟ କରିଥିଲେ ହେଁ, ଏହି ଖୁସିର ମାହୋଲ ଭିତରେ କିଛି ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି, ଯାହା ଦର୍ଶକଙ୍କୁ ନିରାଶ କରିଛି।

ଖେଳ ଦେଖିବାକୁ ଆସିଥିବା ଅନେକ କ୍ରୀଡ଼ାପ୍ରେମୀଙ୍କ ମୋବାଇଲ୍, ପର୍ସ, ଏବଂ ଗାଡ଼ି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ ମତରେ, ଛଦ୍ମବେଶୀ ଲୁଟେରାମାନେ ମ୍ୟାଚ୍‌ର ମଜା ନେବା ପରିବର୍ତ୍ତେ ଦର୍ଶକଙ୍କୁ ଲୁଟ୍ କରିବାକୁ ଟାର୍ଗେଟ୍ କରିଥିଲେ।

ଲୁଟେରାମାନେ ପ୍ରବେଶ ସମୟରେ, ଖେଳ ବିରତି ସମୟରେ ଏବଂ ଷ୍ଟାଡିୟମରୁ ବାହାରିବା ସମୟରେ ଗହଳିର ସୁଯୋଗ ନେଇ ପକେଟ୍ ଓ ବ୍ୟାଗରୁ ମୋବାଇଲ୍ ଓ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇଥିଲେ।

ଏପରି ଚୋରି ଘଟଣାକୁ ନେଇ ଅଭିଯୋଗକାରୀମାନେ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ଏକଦମ ଢିଲା ଥିବା କହିଛନ୍ତି। ଗତ ମ୍ୟାଚଗୁଡ଼ିକରେ ଏଭଳି ଦୃଶ୍ୟ ସାମ୍ନାକୁ ଆସି ନ ଥିବା ବେଳେ ଏଥର ଲୁଟ୍ ଯୋଗୁଁ ଭାରତର ବିଜୟ ଉତ୍ସାହ ନିରାଶାରେ ପରିଣତ ହୋଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ କ୍ୟାଣ୍ଟନମେଣ୍ଟ ଥାନାରେ ମାଳମାଳ ଅଭିଯୋଗ କରାଯାଇଛି। ତେବେ ଏ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

error: Content is protected !!