ସୁଇଡେନ୍ର ଶେଷ ପ୍ରାନ୍ତରରେ ଏକ ଛୋଟ ସହର ସୀଟନ୍ । ଛୋଟ ମାନେ ଅତି ଛୋଟ , ଗାଁ ବୋଲି କୁହାଯାଇପାରେ । ଯାହାକୁ ହ୍ୟାମଲେଟ କୁହାଯାଏ ଠିକ୍ ସେହି ଧରଣର । ଜନସଂଖ୍ୟା ମାତ୍ର ୬୮ । ସେମାନେ ଅଧିକାଂଶ ହିଁ ବୃଦ୍ଧ ଓ ବୃଦ୍ଧା । ସେମାନେ ଜନପଦଟିକୁ ସନ୍ତାନ ପରି ସ୍ନେହ କରି ଯେମିତି ଏଠାରେ ରହି ଯାଇଛନ୍ତି । ଏମିତିରେ ତ ବର୍ଷକୁ ଚାରିମାସ ବରଫରେ ସବୁକିଛି ଘୋଡେ଼ଇ ହୋଇ ରହିଥାଏ । ତଥାପି ବାଲ୍ଟିକ ସାଗରର ଦକ୍ଷିଣ ଦିଗରୁ ବହି ଆସୁଥିବା ଉଷ୍ଣ ସ୍ରୋତ ଯାହା ସାମନ୍ୟ ଉତ୍ତାପ ଯୋଗାଇଥାଏ ସେହି ବୃଦ୍ଧ ବୃଦ୍ଧା ମାନଙ୍କ ହୃଦୟର ଅଭ୍ୟନ୍ତରରେ ।ଜନସଂଖ୍ୟା ନଗଣ୍ୟ ହେଲେ ମଧ୍ୟ କେବଳ ଖ୍ରୀଷ୍ଟିଆନ ନୁହଁ, ମୁସଲମାନ,ଈହୁଦୀ ମାନେ ମଧ୍ୟ ଅଛନ୍ତି । ଆଉ ଅଛନ୍ତି ଗୋଟିଏ ହିନ୍ଦୁ ପରିବାର । ସେମାନେ ସମସ୍ତେ ସୁଇଡିସ୍ ନାଗରିକ ହେଲେ ମଧ୍ୟ ନିଜ ଇଚ୍ଛା ଅନୁସାରେ ଧର୍ମାଚରଣରେ ଏହି ସହରର ବାସିନ୍ଦାମାନେ କେହି କାହାକୁ ବାଧା ଦିଅନ୍ତି ନାହିଁ । ଜଣେ ଅପରକୁ ଯେମିତି ଜାବୁଡ଼ି ଧରି ରହିଛନ୍ତି । ସମସ୍ତେ ମିଶି ତିଆରି କରିଛନ୍ତି ଏକ ଆଦର୍ଶ ସମାଜ ।ଏହି ସମାଜର ପ୍ରାଣଭ୍ରମର ଗୋଟିଏ ଦମ୍ପତି । ଆବେଲ୍ ରନ୍ବର୍ଗ ଏବଂ ତାଙ୍କର ସ୍ତ୍ରୀ ରୀନା । ଆବେଲ୍ ଜନ୍ମସୂତ୍ରରେ ଈହୁଦୀ ଏବଂ ତାଙ୍କର ସ୍ତ୍ରୀ ରୀନା ଭାରତୀୟ । ସେମାନେ ଉଭୟେ ଜର୍ମାନୀ ର ହାମବର୍ଗ ବିଶ୍ବବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ଆବେଲ୍ ଥିଲେ ଫିଜିକ୍ସ ର ଅଧ୍ୟାପକ ଏବଂ ରୀନା ଥିଲେ ଇତିହାସର । ସେଠାରେ ଉଭୟଙ୍କର ପ୍ରେମ ଏବଂ ବିବାହ । ଜର୍ମାନୀରେ ଭଲ ନ ଲାଗିବାରୁ ସେମାନେ ଷ୍ଟକହୋମ୍ ଚାଲି ଆସିଥିଲେ । ସେଠାରୁ ସୁଇଡେନ୍ର ଏହି ସହରକୁ । ଉଭୟଙ୍କ ବୟସ ସତୁରୀ ବର୍ଷ ଅତିକ୍ରମ କରି ସାରିଥିଲେ ମଧ୍ୟ ପ୍ରାଣସ୍ପନ୍ଦନରେ ଭରପୁର ଉଭୟେ । ସବୁ ଧର୍ମର କାର୍ଯ୍ୟକ୍ରମ ରେ ସେମାନେ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗ କରନ୍ତି । ହଁ ସେମାନେ ଦୁର୍ଗାପୂଜା ମଧ୍ୟ କରନ୍ତି, ଅବଶ୍ୟ ଖୁବ୍ ଛୋଟିଆ ଆକାରରେ ।ରୀନା ଚାଟାର୍ଜୀ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ଝିଅ । ପିଲାଦିନରୁ ତାଙ୍କର ବୁନିୟାଦ ପରିବାରରେ ଦୁର୍ଗାପୂଜା ହେଉଥିଲା । ତେଣୁ ଦୁର୍ଗାପୂଜା ସହିତ ତାଙ୍କର ଆତ୍ମିକ ଆକର୍ଷଣ ରହି ଯାଇଛି । ତା’ପରେ ତ କୋଲକାତା ରୁ ଦିଲ୍ଲୀ, ଲଣ୍ଡନ, ହାମବର୍ଗ ଆଉ ସୁଇଡେନ୍ର ସୀଟାନ ରେ ହିଁ ରହିଯାଇଛନ୍ତି ଚିରକାଳ ପାଇଁ । ପୂଜା ବେଳେ ସର୍ବଦା ମା’ ଙ୍କ ଆରାଧନା କରିଛନ୍ତି । ସେ ନିଜେ ଥିଲେ ସଂସ୍କୃତରେ ସୁପଣ୍ଡିତ ତେଣୁ ପୂଜାର ମନ୍ତ୍ରପାଠ ଓ ପଦ୍ଧତିକୁ ନେଇ ତାଙ୍କୁ ଅଧିକ କିଛି ଭାବିବାକୁ ପଡି ନାହିଁ ।ସୀଟନ୍ ସହରରେ ରୀନା ଙ୍କ ଦ୍ଵାରା ଆୟୋଜିତ ଦୁର୍ଗାପୂଜା କୋଭିଡ ଆସିବାର ପୂର୍ବବର୍ଷ ପର୍ଯ୍ୟନ୍ତ ଖୁବ୍ ଆଡ଼ମ୍ବର ସହକାରେ ପାଳନ ହୋଇ ଆସୁଥିଲା । ତେବେ ମାତ୍ର ଦୁଇଦିନ । ଅଷ୍ଟମୀ ଓ ନବମୀ । ଭୋଗ ଲାଗୁଥିଲା ପାଏସ । ଦୁର୍ଗାଙ୍କର ଏକ ପଟ୍ଟଚିତ୍ର ଥିଲା ରୀନାଙ୍କ ପାଖରେ । ସେହି ପଟ୍ଟଚିତ୍ରକୁ ଫୁଲ ଓ ନୈବେଦ୍ୟ ଦେଇ ପୂଜା କରାଯାଉଥିଲା । ରୀନା ନିଜେ ମନ୍ତ୍ରପାଠ କରି ସମସ୍ତଙ୍କୁ ଟୀକା ପିନ୍ଧାଇ ଶାନ୍ତିଜଳ ସିଞ୍ଚି ଦେଉଥିଲେ । ସେଠାରେ ତ ଗଙ୍ଗା ଜଳ ପାଇବା ଅସମ୍ଭବ, ତେଣୁ ସମୁଦ୍ର ଜଳରେ ଜର୍ଡନର ହୋଲି ଓ୍ବାଟର ମିଶାଇ ସିଞ୍ଚି ଦେଉଥିଲେ ସମସ୍ତଙ୍କ ମୁଣ୍ଡ ଉପରେ । କାହାରି ଶାନ୍ତିର ଅଭାବ ନ ଥିଲା ।କୋଭିଡର ଦ୍ବିତୀୟ ଲହର ଯେତେବେଳେ ରୀନାଙ୍କୁ କାଢି ନେଲା ସେତେବେଳେ ସ୍ବାମୀ ଆବେଲଙ୍କ ପରି ପୁରା ସୀଟନ ସହର ସାମୟିକ ସ୍ତବ୍ଧ ହୋଇ ଯାଇଥିଲା ଶୋକରେ । ସେଇଟା ଥିଲା ଜୁଲାଇ ମାସ । ସାମୁହିକ ଶୋକସଭା ହୋଇଥିଲା ସେଠାକାର ଚର୍ଚ୍ଚରେ । ସେଦିନ ସେଠାରେ ଉପସ୍ଥିତ ସମସ୍ତ ସୀଟନବାସୀ ଗୋଟିଏ ସିଦ୍ଧାନ୍ତ ନେଇଥିଲେ ଯେ ରୀନାଙ୍କର ପ୍ରିୟ ଦୁର୍ଗାପୂଜା କୁ ଅବ୍ୟାହତ ରଖାଯିବ । ସୀଟନ ଅଧିବାସୀଙ୍କ ଦ୍ବାରା ରୀନାଙ୍କୁ ଶ୍ରଦ୍ଧା ଅର୍ପଣ କରିବାର ତାହା ହିଁ ହେବ ସବୁଠାରୁ ଉତ୍ତମ ଶ୍ରଦ୍ଧାଞ୍ଜଳି । ରୀନାଙ୍କର ଆତ୍ମା ସେଥିରେ ନିଶ୍ଚୟ ଶାନ୍ତି ପାଇବ ।କୋଭିଡ ପରେ ସବୁକିଛି ସ୍ବାଭାବିକ ହେଲା । ସୀଟନ ସହରବାସୀ ଦୁର୍ଗାପୂଜାର ଆୟୋଜନରେ ଲାଗି ପଡିଲେ । ନିଷ୍ପତ୍ତି ହେଲା ଯେ ସ୍ଥାନୀୟ ଚର୍ଚ୍ଚ ର ଏନେକ୍ସରେ ଗୋଟିଏ ହଲ୍ ପୂଜା ପାଇଁ ଖୋଲି ଦିଆଯିବ । ଫୁଲ ଓ ଫଳର ଅଭାବ ନାହିଁ । ରୀନାଙ୍କୁ ପାଏସ ରାନ୍ଧିବା ଦେଖି ଅନେକେ ଶିଖି ଯାଇଥିଲେ । ତେବେ ଚାଉଳ ନୁହେଁ, ଓୟେଟସ ରେ ପାଏସ ହେବା ଠିକ୍ ହେଲା । କାରଣ ଚାଉଳରେ ପାଏସ ତିଆରି କରିବାରେ କେହି ଅଭ୍ୟସ୍ତ ନୁହନ୍ତି ।ସମସ୍ୟା ହେଲ ପୂଜାର ମନ୍ତ୍ରପାଠକୁ ନେଇ । ସଂସ୍କୃତ ତ ଦୂରର କଥା , ପ୍ରାୟ କାହାରିକି ଭଲ ଭାବରେ ଇଂରାଜୀ ମଧ୍ୟ ଜଣାନାହିଁ । ସୁତରାଂ ଅଷ୍ଟମୀ ଦିନ ରୀନାଙ୍କର ଈହୁଦୀ ସ୍ବାମୀ ଆବେଲ ଏବଂ ନବମୀ ଦିନ ଜଣେ ପ୍ରବୀଣ ପଠାଣ ୟୁସୁଫ୍ ଆଜମେର୍ ଙ୍କ ଉପରେ ମନ୍ତ୍ରପାଠ ର ଦାୟିତ୍ଵ ଦିଆଗଲା । ୟୁସୁଫଙ୍କ ଘର ପାଖରେ ଗୋଟିଏ ଶିବ ମନ୍ଦିର ଥିଲା ।ସେ ଜାଣନ୍ତି କେମିତି ମନ୍ତ୍ରପାଠ କରାଯାଏ । ସେ ଆନନ୍ଦରେ ରାଜି ହେଲେ ।ପୂଜା ସମ୍ପନ୍ନ ହେଲା । ଏଥରର ପୂଜା କିନ୍ତୁ ଟିକେ ଅନ୍ୟଧରଣର । ହେଉ ଚିନ୍ତା ନାହିଁ । ତଥାପି ଭୀଷଣ ଆନ୍ତରିକ ପୂଜା । ପୂଜା ଆରମ୍ଭ କରିଥିବା ରୀନା ନାହାନ୍ତି , ସେଥିରେ ବା ଯାଏଆସେ କ’ଣ !! ସମସ୍ତ ସୀଟନବାସୀ ତ ଅଛନ୍ତି ।ଭିନ୍ନ ଭିନ୍ନ ଧର୍ମର ମଣିଷ ମାନଙ୍କର ଏକ ପରିବାର । ରକ୍ତର ସମ୍ପର୍କ ନ ଥାଉ , ମାନବିକତାର ଏକ ଦୃଢ଼ ବନ୍ଧନ ତ ଅଛି । ଆଉ ଅଛି ପାରସ୍ପରିକ ସମ୍ମାନ, ଆବେଗ, ଭଲପାଇବା । ମା’ ଦୁର୍ଗା ବି ତ ମାନବୀ । ମନ୍ତ୍ରତନ୍ତ୍ର ନୁହେଁ , ସହଜ ସରଳ ମା’ ଡାକରେ ସେ ପାଖକୁ ଆସନ୍ତି । ହଁ , ସତକୁସତ ଆସନ୍ତି । ମାୟାବୀ ଦୁଇ ନୟନରେ ଚାହାଁନ୍ତି । ଆଶୀର୍ବାଦ କରନ୍ତି । କୋଭିଡ ରେ ରୀନାଙ୍କ ମୃତ୍ୟୁ ହେବା ପରେ ଆଉ କେହି ସେହି କ୍ଷୁଦ୍ର ଜନବସତିରେ ଆକ୍ରାନ୍ତ ହୋଇ ନାହାନ୍ତି । ବୃଦ୍ଧ ବୃଦ୍ଧା କେଇଜଣ ମଣିଷମାନଙ୍କର ସହଜ ସରଳ ଜୀବନଯାତ୍ରା ପୂର୍ବପରି ଶିଥିଳ ଶ୍ଳଥ ଗତିରେ ଆଜି ମଧ୍ୟ ଚାଲିଛି । ରୀନାଙ୍କ ଘରର ବୈଠକଖାନାରେ ପଟ୍ଟଚିତ୍ର ର ମା’ ଦୁର୍ଗା ପୂର୍ବପରି ସ୍ମିତ ହସହସ ମୁହଁରେ ବିରାଜମାନ । ଆସନ୍ତା ବର୍ଷ ମଧ୍ୟ ତାଙ୍କର ପୂଜା ହେବ ସମସ୍ତ ସୀଟନବାସୀ ସେକଥା ବିଶ୍ବାସ କରନ୍ତି । ସୀଟନବାସୀଙ୍କ ଅନ୍ତରର କଥା ଜାଣନ୍ତି ମା’ ଦୁର୍ଗା । ତେଣୁ ଆସନ୍ତା ବର୍ଷ ଏବଂ ଆଗାମୀ ବର୍ଷ ମାନଙ୍କରେ ସେ ଆସିବେ , ନିଶ୍ଚୟ ଆସିବେ ।|| ଏ ଅପୂର୍ବ କାହାଣୀ ପଢନ୍ତୁ ଏବଂ ପୁଲକିତ ହୁଅନ୍ତୁ , ଶୁଭରାତ୍ରୀ ● ତଥ୍ୟସୂତ୍ର :: ପ୍ରଦୀପ୍ତ ନାରାୟଣ ବୋଷ
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି