ବଜାରରେ ପିଆଜ ଦର କେଜି ପିଛା ୭୦ ଟପିଲାଣି । ମହାରାଷ୍ଟ୍ର ନାସିକରୁ ପର୍ଯ୍ୟାପ୍ତ ପିଆଜ ଆସୁନି ବୋଲି ଏପରି ଅବସ୍ଥା । ହେଲେ ଓଡ଼ିଶାରେ କ’ଣ ପିଆଜ ହେଉନି ? ଉତ୍ପାଦିତ ପିଆଜ ଯାଉଛି କୁଆଡ଼େ ? ବଲାଙ୍ଗୀର ଓ ଗଜପତିର ଚାଷୀ ଏବେ କାନ୍ଦୁଛନ୍ତି, କାରଣ ଯେଉଁଠି କିଛି ମାସ ତଳେ ସେମାନେ କେଜି ପିଛା ପିଆଜ ମାତ୍ର ୪/୫ ଟଙ୍କାରେ ବିକି ଦେଇଥିଲେ, ଏବେ ନିଜେ ଖାଇବା ପାଇଁ ୬୦-୭୦ ଟଙ୍କାରେ କିଣୁଛନ୍ତି ।କ୍ଷେତରେ ହାଡ଼ ଭଙ୍ଗା ପରିଶ୍ରମ କରି ପିଆଜ ଫଳାଉଥିବା ଚାଷୀଙ୍କ କଥା ଶୁଣିଲେ ଆଖିରେ ଲୁହ ଆସିଯିବ । ପାଣି କାଦୁଅରେ ଖଟିଖଟି ପିଆଜ ଚାଷ କରୁଥିବା ଚାଷୀ ସଂରକ୍ଷଣର ସୁବିଧା ନଥିବାରୁ, କିଲୋ ପିଛା ୪ରୁ ୫ ଟଙ୍କାରେ ବିକ୍ରି କରନ୍ତି। ଆଉ ପଖାଳ ଗଣ୍ଡେ ଖାଇବା ପାଇଁ ନିଜେ କିଣିଲା ବେଳକୁ ୭୦ରୁ ୮୦ ଟଙ୍କାରେ କିଣୁଛନ୍ତି । ଏ ହେଉଛନ୍ତି ବଲାଙ୍ଗିର ଜିଲ୍ଳାର ବିଡମ୍ବନା । ଜିଲ୍ଲାରେ ପ୍ରଚୁର ମାତ୍ରାରେ ପିଆଜ ଚାଷ ହୁଏ । ଟିଟିଲାଗଡ଼ କୁହନ୍ତୁ ବା ତୁରେକେଲା, ବଙ୍ଗୋମୁଣ୍ଡା ହେଉ କି ମୁରିବାହାଲ । ପିଆଜ ଚାଷ ପାଇଁ ପ୍ରସିଦ୍ଧ ଏସବୁ ଇଲାକା । କିନ୍ତୁ, ପିଆଜ ସଂରକ୍ଷଣ ପାଇଁ ବ୍ୟବସ୍ଥା ନାହିଁ ।ଯେଉଁ ଜିଲ୍ଳାରେ ପ୍ରଚୁର ପରିମାଣର ପିଆଜ ଉତ୍ପାଦନ ହୁଏ, ସେହି ଜିଲ୍ଲାର ଚାଷୀ ବିକିଲା ବେଳକୁ ୪ରୁ ୫ ଟଙ୍କାରେ ବିକ୍ରି କରେ, ଆଉ ଏବେ ଖାଇବା ପାଇଁ କିଣୁଛି ୬୦ରୁ ୭୦ ଟଙ୍କାରେ । ଏନେଇ ଉଦ୍ୟାନ କୃଷି ବିଭାଗର କହିବା କଥା, ବଲାଙ୍ଗିର ଜିଲ୍ଳାରେ ୩ ହଜାର ହେକଟର ଜମିରେ ପିଆଜ ଚାଷ ହୋଇଥାଏ । ୩୦ ହଜାର ମେଟ୍ରିକ ଟନରୁ ଅଧିକ ପିଆଜ ଉତ୍ପାଦନ ହୁଏ । ହେଲେ ଏତେ ପରିମାଣର ପିଆଜକୁ ରଖିବା ପାଇଁ ନା ଶୀତଳ ଭଣ୍ଡାର ଅଛି, ନା ପିଆଜ ସଂରକ୍ଷଣର ବ୍ୟବସ୍ଥା ଅଛି ।ନାସିକ୍ ମଡେଲରେ ଟିଟିଲାଗଡ ଅଂଚଳରେ ୪ଟି ପିଆଜ ସାଇତା ଘର ଖୋଲିଥିଲା, କିନ୍ତୁ ତା’ର ଅବସ୍ଥା ନ କହିଲେ ଭଲ । ମୁରିବାହାଲ ସାଇତା ଘରେ ତାଲା ପଡିଛି । ଅନ୍ୟ ୩ଟି ବି କାମ କରୁନଥିବା କହିଛନ୍ତି ଅଧିକାରୀ । ତେଣୁ ବିଡମ୍ବନା, ଉତ୍ପାଦିତ ପିଆଜକୁ ୪/୫ ଟଙ୍କାରେ କିଣି ବ୍ୟବସାୟୀ ରାୟପୁରରେ ସଂରକ୍ଷଣ କରନ୍ତି । ଆଉ ମଉକା ଦେଖି, ଚଢ଼ାଦରରେ ବଜାରକୁ ଛାଡନ୍ତି ।ପରିଣାମ ସ୍ୱରୂପ ୫ଟଙ୍କାର ପିଆଜ ୭୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଅଧିକାରୀ କହିଛନ୍ତି, ସବୁ ବ୍ୟବସ୍ଥା କରିଛୁ, ଅବସ୍ଥା ଠିକ୍ ଠାକ୍ ଅଛି ।ପିଆଜର ଏଭଳି ଲୁହଭରା କାହାଣୀ ଭିତରେ ଗଜପତି ମୋହନା ଅଞ୍ଚଳରେ ଆହୁରି ସଙ୍ଗୀନ ସ୍ଥିତି । ମାଳ ମାଳ ହୋଇ ଓହଳିଛି ହାଣ୍ଡିଶାଳର ମହଙ୍ଗା ପରିବା । ଶୀତଳ ଭଣ୍ଡାର କିମ୍ବା ସଂରକ୍ଷଣ ସୁବିଧା ଅଭାବରୁ ଝୁଲି ଝୁଲି ଗଜା ବାହାରି ଯାଉଛି । ମୋହନାବ୍ଲକର ବାଲିବାଡ, କମ୍ପାଗୁଡ଼ା ଭଳି ବହୁ ଆଦିବାସୀ ଗାଁରେ ଏଭଳି ପଚିଷଢ଼ି ନଷ୍ଟ ହେଉଛି ପିଆଜ । ଏକଥା ଆଜିର ନୁହେଁ, ପ୍ରତିବର୍ଷ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ପିଆଜ ଚାଷୀ । ଚାଷୀ ହୁଅନ୍ତୁ ବା ସାଧାରଣ ଖାଉଟୀ । ପ୍ରତିବର୍ଷ ମହଙ୍ଗା ପିଆଜ ପାଇଁ ଆଖିରୁ ଲୁହ ଝରାଉଥିବାବେଳେ କେବେ ସରକାରଙ୍କ ଚୈତନ୍ୟ ଉଦୟ ହେବ ଏବଂ କେବେ ହେବ ସଂରକ୍ଷଣ ବ୍ୟବସ୍ଥା, ତାକୁ ନେଇ ପ୍ରଶ୍ନ।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି