January 25, 2026

Now Odisha

Now Odisha

ସରକାରଙ୍କ ସହ ଆଲୋଚନା ବିଫଳ: ବଡ ନିଷ୍ପତ୍ତି ନେଲେ ମିଲର, ମୁଣ୍ଡରେ ହାତ ଦେଲେ ଚାଷୀ |

Spread the love

ଭୁବନେଶ୍ୱର,୫ା୧: ରାଜ୍ୟରେ ସୃଷ୍ଟି ହୋଇପାରେ ଚାଉଳ ସଙ୍କଟ। ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ଚାଉଳ ମିଲର ସଂଘର ଆଲୋଚନା ବିଫଳ ହୋଇଛି। ଫଳରେ ମିଲରମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ଦାବି ପୂରଣ ନେଇ କୌଣସି ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ସାରା ରାଜ୍ୟରେ ଚାଉଳ କଳ ପରିଚାଳନା ବନ୍ଦ ରହିବ ବୋଲି ସଂଘ ଘୋଷଣା କରିଛି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହ ଅନୁଷ୍ଠିତ ବୈଠକ ଅମୀମାଂସିତ ରହିବା ପରେ ମିଲର ସଂଘ ନିଜ ଜିଦ୍‌ରେ ଅଟଳ ରହିଛି। ସଂଘ ପକ୍ଷରୁ କରାଯାଇଥିବା ମୁଖ୍ୟ ଦାବିଗୁଡ଼ିକ ହେଉଛି, ୨୦୨୩-୨୪ ଓ ୨୦୨୪-୨୫ ଖରିଫ୍ ଋତୁ ପାଇଁ ରକ୍ଷଣାବେକ୍ଷଣ ଶୁଳ୍କ ପ୍ରଦାନ, କଷ୍ଟମ ମିଲିଂ ପାଇଁ ଅତିରିକ୍ତ ପ୍ରୋତ୍ସାହନ ରାଶି, ୪୦ କିଲୋମିଟରରୁ ଅଧିକ ଦୂରତା ପାଇଁ ପରିବହନ ଖର୍ଚ୍ଚର ସଂଶୋଧନ, ଅରୁଆ ଚାଉଳ କ୍ଷେତ୍ରରେ ୧ ପ୍ରତିଶତ ‘ଡ୍ରାଇଏଜ୍’ ବ୍ୟବସ୍ଥାର ପୁନଃ ପ୍ରଚଳନ କରିବା।

ଏଥିସହିତ ମିଲରମାନେ ଚେତାବନୀ ଦେଇଛନ୍ତି ଯେ, ସରକାରୀ ସ୍ତରରେ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନପାଇବା ପର୍ଯ୍ୟନ୍ତ ସମସ୍ତ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରହିବ। ପୂର୍ବରୁ ନଭେମ୍ବର ଓ ଡିସେମ୍ବରରେ ମୌଖିକ ପ୍ରତିଶ୍ରୁତି ପାଇ ସେମାନେ କାର୍ଯ୍ୟ ଆରମ୍ଭ କରିଥିଲେ, ମାତ୍ର ୫ ସପ୍ତାହ ବିତିଯାଇଥିଲେ ମଧ୍ୟ କୌଣସି ସରକାରୀ ଆଦେଶନାମା ଜାରି କରାଯାଇ ନାହିଁ।

ଅପରପକ୍ଷରେ, ଖାଦ୍ୟ ଯୋଗାଣ ବିଭାଗ କହିଛି ଯେ ସେମାନେ ମିଲରଙ୍କ ଦାବି ସମ୍ପର୍କରେ ଅବଗତ ଅଛନ୍ତି ଏବଂ ଏହାର ସମାଧାନ ପାଇଁ ଅଧିକ ସମୟ ମାଗିଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ପ୍ରଭାବିତ ନହେବ, ସେଥିପାଇଁ ବିଭାଗ ଚେଷ୍ଟା କରୁଥିବା ଜଣାଇଛି।

ମିଲରଙ୍କ ଏହି ନିଷ୍ପତ୍ତି ଯୋଗୁଁ ବିଶେଷ କରି ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ଧାନ ବିକ୍ରି ପାଇଁ ଅପେକ୍ଷା କରିଥିବା ଚାଷୀଙ୍କ ମଧ୍ୟରେ ଅନିଶ୍ଚିତତା ଦେଖାଦେଇଛି।

error: Content is protected !!